ଖୋଲିଲା ଆକାଶ ପାଠକଙ୍କ ମିଛର ପେଡି : ଆକାଶ କେବେ ବି ଟାଟାର କର୍ମଚାରୀ ନଥିବା ଟାଟାର ସ୍ପଷ୍ଟୀକରଣ

ଭୁବନେଶ୍ବର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ମିଛର ପେଡି ଖୋଲିବାରେ ଲାଗିଛି । ଟାଟା ମୋଟର୍ସର ଏମଡି ଥିବା ନେଇ ମିଛ କହିବୁଲୁଥିବା ଆକାଶ କେବେ ବି ଟାଟାର କର୍ମଚାରୀ ନଥିବା ଟାଟା କମ୍ପାନୀ ସ୍ପଷ୍ଟୀକରଣ ରଖିଛି । ଖାରବେଳନଗର ଥାନାରେ ସ୍ପଷ୍ଟୀକରଣ ରଖି ଟାଟା ମୋଟର୍ସ ପକ୍ଷରୁ କୁହାଯାଇଛି ଯେ ଆକାଶ ପାଠକ କେବେବି ଟାଟା କମ୍ପାନୀର କୌଣସୀ ପଦରେ ନଥିଲେ । ଏଥି ସହିତ ସ୍କାଏ କିଙ୍ଗ ସଂସ୍ଥା ସହ କମ୍ପାନିର କୌଣସି କାରବାର ନାହିଁ କି ସ୍କାଏ କିଙ୍ଗ୍ ଟ୍ରାଭେଲ୍ସ ଟାଟା ମୋର୍ଟସର ଭେଣ୍ଡର ନୁହେଁ । ଏପରିକି ସ୍କାଏ କିଙ୍ଗ ଭାଉଚର ଉପରେ କେବେବି କମ୍ପାନି ଜିଏସଟି ଫେରସ୍ତ ଦାବି କରିନି ବୋଲି ଟାଟା ମୋଟର୍ସ ପକ୍ଷରୁ ସ୍ପଷ୍ଟୀକରଣରେ ଦର୍ଶାଯାଇଛି ।
ଅନ୍ୟପକ୍ଷରେ ଗିରଫ ଅଭୟକାନ୍ତ ପାଠକ କହିଛନ୍ତି ଯେ, କମ୍ପାନୀ କର୍ତ୍ତୃପକ୍ଷ ମିଛ କହୁଛନ୍ତି । ପୁଅ ଆକାଶ ସେଠାରେ ଚାକିରୀ କରୁଥିବା ନେଇ ତାଙ୍କ ପାଖରେ ସମସ୍ତ ପ୍ରମାଣ ଅଛି । ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର କରି ତାଙ୍କୁ ଫସାଇଦିଆଯାଇଥିବା ଆକାଶଙ୍କ ବାପା ଅଭୟକାନ୍ତ ପାଠକ କହିଛନ୍ତି ।ସେହିପରି ଆକାଶ ମଧ୍ୟ କହିଛନ୍ତି ଟାଟାରେ ଚାକିରି କରୁଥିଲି, ହେଲେ ଏବେ ଟାଟା ସପୋର୍ଟ କରୁ ନାହିଁ।
ସୂଚନାଯୋଗ୍ୟ ଆଜି ରିମାଣ୍ଡ ଅବଧି ସରିବା ପରେ ଆଜି ଆକାଶ ଓ ତାଙ୍କ ବାପାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ହାଜର ପରେ ବାପ-ପୁଅଙ୍କୁ ଝାରପଡା ଜେଲ୍କୁ ପଠାଇଦିଆଯାଇଛି । ସେମାନଙ୍କୁ ଆଉ ରିମାଣ୍ଡରେ ନେବାର ଆବଶ୍ୟକତା ନଥିବା କହିଛନ୍ତି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ରିମାଣ୍ଡ ଅବଧି ମଧ୍ୟରେ ଠକେଇ ଓ ଆର୍ଥିକ କାରବାର ସମ୍ପର୍କରେ ସମସ୍ତ ତଥୟ ମିଳିଥିବା ସୂଚନା ମିଳିଛି ।