ଉପଭୋକ୍ତାଙ୍କ ପାଇଁ ଖରାପ ଖବର; ଆଗକୁ ମହଙ୍ଗା ହୋଇପାରେ ମୋବାଇଲ ସେବା

ନୂଆଦିଲ୍ଲୀ: ପୂର୍ବରୁ ଏକ ସମୟ ଥିଲା ଯେତେବେଳେ ୧   ଜିବି ଡ଼ାଟା ପାଇଁ ମାସକୁ ପ୍ରାୟ ୩ ଶହ ଟଙ୍କା ବ୍ୟୟ କରିବାକୁ ପଡ଼ୁଥିଲା । ଏହାପରେ କିଛିଦିନ ଲୋକଙ୍କୁ ମାଗଣା ଡ଼ାଟା ମିଳିଲା । ଏବେ ମାସକୁ ହାରାହାରି ୪୫ ଜିବି ଡ଼ାଟା ପାଇଁ ଜଣେ ଉପଭୋକ୍ତାଙ୍କୁ ଦେଢ଼ଶହରୁ ୨ଶହ ଟଙ୍କା ଖର୍ଚ କରିବାକୁ ପଡ଼ୁଛି । ମାତ୍ର ଆଗାମୀ ଦିନରେ ମୋବାଇଲ ଡ଼ାଟା ଓ କଥା ହେବା ଆହୁରି ମହଙ୍ଗା ହେବାର ଆଶଙ୍କା ରହିଛି ।    ବର୍ତ୍ତମାନ ଆପଣଙ୍କର ମୋବାଇଲ୍ ଫୋନ୍ ବିଲ୍ ବୃଦ୍ଧି ହେବାକୁ ଯାଉଛି | ସୋମବାର ଜେଏମ ଫାଇନାନସିଆଲ ଦ୍ୱାରା ‘A tale of supremacy, defence and survival’  ପ୍ରକାଶିତ ରିପୋର୍ଟରେ ମୋବାଇଲ ଉପଭୋକ୍ତାଙ୍କ ଉପରେ ମୋବାଇଲ ଜନିତ ବ୍ୟୟ ବୃଦ୍ଧି ପାଇବାର ଆଶଙ୍କା ବ୍ୟକ୍ତ କରିଛି ।   ଟେଲିକମ୍ ଇଣ୍ଡଷ୍ଟ୍ରିରେ ଶୁଳ୍କ ବୃଦ୍ଧି ସମେତ ଅନ୍ୟାନ୍ୟ ପଦ୍ଧତି ମାଧ୍ୟମରେ ଉପଭୋକ୍ତା ପ୍ରତି ହାରାହାରି ରାଜସ୍ୱ (ARPU – Average Revenue Per User) ବୃଦ୍ଧି ଘଟିବ ବୋଲି ଏଥିରେ ଆକଳନ କରାଯାଇଛି । ARPU ମାଧ୍ୟମରେ ଟେଲିକମ୍ କମ୍ପାନୀଗୁଡିକ ପ୍ରତି ମାସରେ ଜଣେ ଉପଭୋକ୍ତାଙ୍କଠାରୁ ମିଳୁଥିବା ରାଜସ୍ବକୁ ଅନୁଧ୍ୟାନ କରାଯାଉଛି । ଏଥିରେ ଖୁବ୍ ଶୀଘ୍ର ପରିବର୍ତନ ହୋଇପାରେ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଏବଂ ୨୦୨୫ ମସିହା ସୁଦ୍ଧା ଦେଶରେ ମୋବାଇଲ ଓ ଟେଲିକମ୍ ଶିଳ୍ପର ଆୟ ବୃଦ୍ଧି ପାଇ ୨୬୦୦୦୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଏଥିରେ ଆକଳନ କରାଯାଇଛି ।

ଏହି ଆକଳନ ଅନୁସାରେ ଜଣେ ଉପଭୋକ୍ତା ବର୍ତମାନ ମାସକୁ ମୋବାଇଲ ନିମନ୍ତେ ହାରାହାରି ୧୫୦ରୁ ୧୬୦  ଟଙ୍କା ବ୍ୟୟ କରୁଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ବେଳକୁ ଏହି ପରିମାଣ ୨୩୦ରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ପାରେ । ପ୍ରତ୍ୟେକ ଘରକୁ ଫାଇବର ଅପଟିକାଲ ସେବା ଯୋଗାଇବା, ଟେଲିକମ୍ ସଂଯୋଗ ନିମନ୍ତେ ଆବଶ୍ୟକ ଅର୍ଥ ଏଥିରୁ ଭରଣା କରାଯାଇ ପାରିବ । ତେବେ ରିପୋର୍ଟରେ କୁହାଯାଇଛି ଯେ ନିକଟ ଭବିଷ୍ୟତକୁ ଦୃଷ୍ଟିରେ ରଖି ବଜାରରେ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଶୁଳ୍କ ବୃଦ୍ଧିରେ ଅନିଶ୍ଚିତତା ରହିଛି।  |

Comments are closed.