ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ତରଭା: ପୂର୍ବ ଶତ୍ରୁତାକୁ ନେଇ ସୁବର୍ଣ୍ଣପୁର ଜିଲା ତରଭା ଥାନା ଝାରତରଭା ପଞ୍ଚାୟତର ଦଇତପୁର ଗ୍ରାମରେ ଶୁକ୍ରବାର ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। କଟାପାଲି ପଞ୍ଚାୟତର ଅରଖପଦର ଗାଁର ପୀତାମ୍ବର ମହାକୁର(୪୬)ଙ୍କୁ ଦଇତପୁର ଅଙ୍ଗନବାଡ଼ି କେନ୍ଦ୍ର ପଛପଟେ ଥିବା ଜମିରେ ହତ୍ୟା କରାଯାଇଛି। ମୃତକଙ୍କ ସମ୍ପର୍କୀୟ ପରମେଶ୍ୱର ଜାଲ ତରଭା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଅରଖପଦରର ଯୁଧିଷ୍ଠିର ନାଗ(୫୫)ଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ସମ୍ବଲପୁର ମାଝୀପାଲିରେ ଗୋଟିଏ ଡାୟରୀ ଫାର୍ମରେ କାମ କରୁଥିବା ପୀତାମ୍ବର ତିିନି ଦିନ ହେଲା ନିଜ ଶଶୁରଘର ଗରାମହୁଲକୁ ଆସିଥିଲେ। ଶୁକ୍ରବାର ଦିନତମାମ ଦଇତପୁର ଗ୍ରାମରେ ରହି ମାତାଲ ବୁଲାବୁଲି କରୁଥିଲେ। ୨୦୧୧ ଏପ୍ରିଲ ୨୭ ତାରିଖରେ ପୀତାମ୍ବରଙ୍କ ବାପା କୁଶଳେଶ୍ୱର ଓ ମାଆ ଶାନ୍ତି ମିଶି ଯୁଧିଷ୍ଠିରକୁ ମରଣାନ୍ତକ ଆକ୍ରମଣ କରିବା ନେଇ ତରଭା ଥାନାରେ ମାମଲା ରୁଜୁ ହୋଇଥିଲା। ସେ ସମୟରେ ପୀତାମ୍ବରଙ୍କ ବାପା ମାଆ ଜେଲ ଯାଇଥିଲେ, ପିତାମ୍ବର ସେହିଦିନ ଠାରୁ ଫେରାର ଥିଲେ। ଯୁଧିଷ୍ଠିର ଓ ପୀତାମ୍ବରଙ୍କ ପରିବାର ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିଲା। ଗତକାଲି ପୀତାମ୍ବର ମାତାଲ ଅବସ୍ଥାରେ ଥିବା ଖବର ପାଇ ଯୁଧିଷ୍ଠିରଙ୍କ ପରିବାରର ପ୍ରାୟ ୧୦ରୁ ୧୨ ଜଣ ଲୋକ ଯୋଜନା ବଦ୍ଧଭାବେ ତାକୁ ସନ୍ଧ୍ୟା ୬ଟା୩୦ ରୁ ୭ଘଣ୍ଟା ମଧ୍ୟରେ ଆକ୍ରମଣ କରିବା ପାଇଁ ଗୋଡ଼ାଇଥିଲେ। ଫଳରେ ପୀତାମ୍ବର ଜୀବନ ବିକଳରେ ନାଏବ ସରପଞ୍ଚ ଭୂମିସୂତା ଜାଲଙ୍କ ଘରକୁ ପଶିଯାଇଥିଲେ। ଉକ୍ତ ସମୟରେ ବିଦ୍ୟୁତ ସରବରାହ ବନ୍ଦ ଥିଲା। ଆକ୍ରମଣକାରୀମାନେ ସେହି ଘର ଭିତରକୁ ପଶିଯାଇ ସେଠାରେ ଛଡ଼, ବାଡ଼ି ଓ ଠେଙ୍ଗାରେ ପୀତାମ୍ବରଙ୍କ ମୁଣ୍ଡରେ ଆକ୍ରମଣ କରିଥିଲେ। ଆହତ ହୋଇ ପୀତାମ୍ବର ତଳେ ପଡ଼ିଯିବାରୁ ଉକ୍ତ ବ୍ୟକ୍ତିମାନେ ତାକୁ ଘୋସାରି ନେଇ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରର ପଛପଟ ଜମିକୁ ନେଇଯାଇଥିଲେ। ସେମାନେ ସେଠାରେ ପୀତାମ୍ବରଙ୍କ ଦୁଇ ହାତକୁ କାଟି ଦେବା ସହିତ ବିଭତ୍ସ ଭାବେ ହତ୍ୟା କରିଥିଲେ। ବର୍ତ୍ତମାନ ପର୍ୟ୍ୟନ୍ତ ପୁଲିସକୁ ପିତାମ୍ବରଙ୍କ ଶବର ୫୦ ରୁ ୭୦ ମିଟର ଦୂରରେ ଡାହାଣ ହାତ ପାପୁଲି ମିଳିଥିବା ବେଳେ ବାମ ହାତର ପାପୁଲି ଗୋଟିକ ପୁଲିସର ହସ୍ତଗତ ହୋଇନାହିଁ। ଘଟଣା ସ୍ଥଳରୁ ପୁଲିସ ଦୁଇଟି ଛଡ଼, ତିନୋଟି ଠେଙ୍ଗା, ଗୋଟିଏ ମୋବାଇଲ, ଗୋଟିଏ ସାଇକଲ, ଏକ ଗାମୁଛା, ମୃତକଙ୍କ ଚପଲ ଆଦି ଜବତ କରିଛି। ପିତାମ୍ବରଙ୍କ ସ୍ତ୍ରୀ, ତିନି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ବଡ଼ପୁଅ ସମ୍ବଲପୁରର ଜ୍ୟୋତି ଟ୍ରାନ୍ସଫର୍ମରରେ କାମ କରୁଥିଲା। ଆଜି ପୂର୍ବାହ୍ନରେ ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ ଆସି ଘଟଣା ସ୍ଥଳରୁ ସର୍‌ଜମିନ ତଦନ୍ତ କରିଛନ୍ତି। ସୋନପୁର ଏସଡିପିଓ ମିହିର କୁମାର ପଣ୍ଡାଙ୍କ ତତ୍ତ୍ବାବଧାନରେ ତଦନ୍ତକାରୀ ଅଧିକାରୀ ଆଇ.ଆଇ.ସି ଡୋଳାମଣି ଭୋଇ, ଏଏସଆଇ ନାରାୟଣ ଶାହା, କମସରା ଫାଣ୍ଡି ଅଧିକାରୀ ଅରକ୍ଷିତ ମାଝୀ, ବୃନ୍ଦାବନ ପଞ୍ଚବିହାର, ଓଏପିଏଫ ଷ୍ଟାଫ ଓ ଓଏସ୍‌ଏପି ଷ୍ଟାଫ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ। ଘଟଣା ସ୍ଥଳରୁ ସ୍ୱର୍ଗରଥ ଗାଡିରେ ତରଭା ଡାକ୍ତରଖାନା ଅଣାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

Comments are closed.