ଅଟକି ଥିବା ଓଡିଆଙ୍କ ପାଇଁ ସହଯୋଗର ହାତ ବଢାଇଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ସମାଜ ପୋର୍ଟାଲ ଡେସ୍କ: ତାମିଲନାଡୁର ତିରିପୁର୍‌ ଅଞ୍ଚଳରେ ଅଟକି ରହିଥିବା ୨୫ ଜଣ ଓଡିଆ ଶ୍ରମିକଙ୍କ ପାଖରେ ତାମିଲନାଡୁ ପ୍ରଶାସନ ପହଂଚି ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛି। ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଅନୁରୋଧ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ ତିରୁପୁର ଜିଲ୍ଲାପାଳଙ୍କୁ ତୁରନ୍ତ ଖାଦ୍ୟ ସାମଗ୍ରୀ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। କରୋନା ଲକ୍‌ଡାଉନ ଯୋଗୁ ତାମିଲନାଡୁର ତିରିପୁର୍‌ ଅଞ୍ଚଳରେ ୨୫ ଜଣ ଓଡିଆ ଶ୍ରମିକ ରାଜ୍ୟକୁ ଫେରି ନ ପାରି ଭୋକ ଉପାସରେ ସମୟ କାଟୁଥିବା ଜଣାପଡିବା ପରେ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯାଇଥିଲା।

ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ ତିରୁପୁର ଜିଲ୍ଲାପାଳ କେ. ବିଜୟ କାର୍ତ୍ତିକେୟନଙ୍କୁ ତୁରନ୍ତ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ମଧ୍ୟ ସମ୍ପୃକ୍ତ ଓଡିଆଙ୍କ ପାଖରେ ପହଞ୍ଚି ଆବଶ୍ୟକୀୟ ରାସନ୍‌, ଡାଲି ଏବଂ ପନିପରିବା ଯୋଗାଇ ଦେଇଛନ୍ତି। ଭୋକ ଉପାସରେ ଅଟକି ରହିଥିବା ଓଡିଆମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଥିବାରୁ ବୈଜୟନ୍ତ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.