ଆମେରିକା, ବ୍ରିଟେନ, କାନାଡା ଓ ଇୟୁ ପ୍ରତିନିଧିଙ୍କ ସହିତ ତାଲିବାନର ବୈଠକ

କାବୁଲ: ଆମେରିକା, ବ୍ରିଟେନ, କାନାଡା ଏବଂ ୟୁରୋପୀୟ ସଂଘ ରାଷ୍ଟ୍ରସମୂହର ରାଷ୍ଟ୍ରଦୂତ ଏବଂ କୂଟନୈତିକ ଅଧିକାରୀମାନଙ୍କ ସହିତ ତାଲିବାନ ଦୋହାଠାରେ ଏକ ବୈଠକରେ ମିଳିତ ହୋଇଥିବା ଦାବି କରିଛନ୍ତି ତାଲିବାନ ମୁଖପାତ୍ର ସୁହେଲ ସାହିନ । ସୁହେଲ କହିଛନ୍ତି ଯେ ସେ ଆଉ କିଛି ରାଷ୍ଟ୍ରର ପ୍ରତିନିଧିଙ୍କୁ ମଧ୍ୟ ଭେଟିଛନ୍ତି ଏବଂ ଆଫଗାନିସ୍ତାନକୁ ଏକଘରିଆ ହେବା ପରିସ୍ଥିତିରୁ ରକ୍ଷା କରିବାକୁ ଉକ୍ତ ରାଷ୍ଟ୍ରରେ ବିକାଶ ମୂଳକ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଜାରି ରଖିବାକୁ ସୁହେଲ ଏହି ବୈଠକରେ ଜୋର ଦେଇଛନ୍ତି ।
ଟ୍ୱିଟ୍‌ କରି ସୁହେଲ ସାହିନ କହିଛନ୍ତି, ସେ ଉପରୋକ୍ତ ରାଷ୍ଟ୍ରଗୁଡିକ ସହିତ ନରୱେ, ସ୍ୱିଡେନ, ନେଦରଲାଣ୍ଡସ, ଇଟାଲି, ଜାପାନ, ଦକ୍ଷିଣ କୋରିଆ ଆଦି ରାଷ୍ଟ୍ରର ପ୍ରତିନିଧିଙ୍କୁ ମଧ୍ୟ ଭେଟିଛନ୍ତି । ତାଙ୍କ ସହିତ ଇସଲାମିକ ଏମିରେଟ୍ସ ଅଫ ଆଫଗାନିସ୍ତାନର ରାଷ୍ଟ୍ରପତି ମୌଲବୀ ମତିଉଲ ହକ୍‌ ମଧ୍ୟ ଉପସ୍ଥିତ ଥିଲେ ।
ଉକ୍ତ ବୈଠକର ଫଟୋକୁ ଟ୍ୱିଟରରେ ଛାଡି ସାହିନ କହିଛନ୍ତି ଯେ ଅତୀତରେ ଆଫଗାନିସ୍ତାନକୁ ଏକଘରିଆ କରିବା ଏକ ବିଫଳ ନୀତି ଭାବରେ ପ୍ରମାଣିତ ହୋଇଛି । ତାହା କେହି ଚାହୁଁନାହାନ୍ତି । ଆଫଗାନିସ୍ତାନରେ ଅସମ୍ପୂର୍ଣ୍ଣ ହୋଇ ରହିଥିବା ପ୍ରକଳ୍ପଗୁଡିକର କାର୍ଯ୍ୟ ଆରମ୍ଭ କରାଯିବା ଆବଶ୍ୟକ । ଖବର ସରବରାହ ସଂସ୍ଥା ସ୍ପୁଟନିକ କହିଛି ଯେ ଶୀତ ଋତୁ ଆରମ୍ଭ ହେବାକୁ ଯାଉଥିବାବେଳେ ତାହା ପୂର୍ବରୁ ଆଫଗାନିସ୍ତାନ ମାନବୀୟ ସହାୟତା ଜରୁରୀ ଭିତ୍ତିରେ ଆବଶ୍ୟକ କରୁଥିବା ସାହିନ ସ୍ୱୀକାର କରିଥିଲେ । ତାଲିବାନ ଆନ୍ତର୍ଜାତିକ ସମୁଦାୟ ସହିତ ମିଶି କାମ କରିବାକୁ ଚାହୁଁଥିବାବେଳେ ବିଶ୍ୱ ସମୁଦାୟ ତାଲିବାନ ସରକାରକୁ ଏପର୍ଯ୍ୟନ୍ତ ସ୍ୱୀକୃତି ଦେଇନଥିବା କହିଛନ୍ତି ସାହିନ ।

Comments are closed.