ଆତ୍ମଘାତୀ ବୋମାଧାରୀଙ୍କ ସଂପର୍କୀୟଙ୍କୁ ତାଲିବାନର ଅର୍ଥ ଓ ଜମି ଲୋଭ

କାବୁଲ: ଆମେରିକା ଏବଂ ଆଫଗାନ ସୈନ୍ୟଙ୍କ ଉପରେ ଆକ୍ରମଣ କରିଥିବା ଆତ୍ମଘାତୀ ବୋମାଧାରୀଙ୍କ ପରିବାର ବର୍ଗ ଓ ସଂପର୍କୀୟଙ୍କୁ ତାଲିବାନ ଆତଙ୍କିଗୋଷ୍ଠୀ ଅର୍ଥ ଓ ଜମି ପ୍ରଦାନ କରିବାର ଲୋଭ ଦେଖାଉଛନ୍ତି । ଅନ୍ୟପକ୍ଷରେ ସେମାନେ ନିଜ ପାଇଁ ଆନ୍ତର୍ଜାତିକ ସମର୍ଥନ ଲୋଡୁଛନ୍ତି । ତାଲିବାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି କାବୁଲର ଏକ ହୋଟେଲରେ ସମବେତ ଏକାଧିକ ଆତ୍ମଘାତୀ ବୋମାଧାରୀଙ୍କ ପରିବାରବର୍ଗଙ୍କୁ ଅର୍ଥ ପ୍ରଦାନ କରିଥିବା ଦେଶର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ମୁଖପାତ୍ର ସଇଦ ଖୋସ୍ତି ଟ୍ୱିଟ କରି କହିଛନ୍ତି । ସେ କହିଛନ୍ତି ଯେ ଆତ୍ମଘାତୀ ଆକ୍ରମଣରେ ନିହତ ବୋମାଧାରୀଙ୍କୁ ହକାନି ସହୀଦ ଓ ଫିଦାୟିନ ବୋଲି କହିବା ସହିତ ସେମାନଙ୍କୁ ପ୍ରଶଂସା କରିଥିଲେ । ସେମାନେ ଇସଲାମ ଏବଂ ଦେଶର ବୀର ବୋଲି ମଧ୍ୟ ହକାନି କହିଥିଲେ । ପ୍ରତ୍ୟେକ ପରିବାରକୁ ୧୦ ହଜାର ଆଫଗାନି (୧୧୨ ଡଲାର) ପ୍ରଦାନ କରାଯାଇଥିଲା । ଏଥିସହିତ ସେମାନଙ୍କ ମଧ୍ୟରୁ ପ୍ରତି ପରିବାରକୁ ଜମି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଅନ୍ୟପକ୍ଷରେ ତାଲିବାନ ଆତଙ୍କି ଗୋଷ୍ଠୀ ନିଜ ପାଇଁ ଆନ୍ତର୍ଜାତୀୟ ସମୁଦାୟ ନିକଟରୁ ସମର୍ଥନ ଲୋଡିବାରେ ଲାଗିଛନ୍ତି । ତେବେ ପାକିସ୍ତାନ, ଚୀନ ଭଳି କେତେକ ରାଷ୍ଟ୍ରକୁ ବାଦଦେଲେ ଅନ୍ୟମାନେ ତାଲିବାନ ସରକାରକୁ ଆନୁଷ୍ଠାନିକ ସ୍ୱୀକୃତି ପ୍ରଦାନ କରିବାକୁ ପ୍ରସ୍ତୁତ ନଥିବା ଜଣାଯାଇଛି ।

Comments are closed.