ତାଲିବାନର କଥା ନୁହେଁ, କାମ ବିଚାରକୁ ନିଆଯିବ- ହ୍ୱାଇଟ ହାଉସ

ୱାଶିଂଟନ: ଆମେରିକା ଏବଂ ତାଲିବାନ ମଧ୍ୟରେ ବୃତ୍ତିଗତ ମନୋଭାବ ନେଇ ବିସ୍ତୃତ ଆଲୋଚନା ଅନୁଷ୍ଠିତ ହୋଇଛି । ତେବେ ତାଲିବାନ ଆତଙ୍କି ଗୋଷ୍ଠୀର କଥା ନୁହେଁ, ବରଂ ତାହାର କାମ ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ତାଲିବାନ ଆତଙ୍କି ଗୋଷ୍ଠୀ ଆଫଗାନିସ୍ତାନରେ କ୍ଷମତା ପୁନଃ ଦଖଲ କରିବା ଏବଂ ଆମେରିକା ସୈନ୍ୟ ଅଗଷ୍ଟ ମାସରେ ତରବରିଆ ଭାବରେ ସେଠାରୁ ଫେରିଆସିବା ପରେ ଆମେରିକା ଏବଂ ତାଲିବାନ ପ୍ରତିନିଧିଙ୍କ ମଧ୍ୟରେ ଏହା ମୁହାଁମୁହିଁ ପ୍ରଥମ ବୈଠକ ଥିଲା ।
ଏକ ବିବୃତିରେ ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି ଯେ ଦୋହାଠାରେ ଆମେରିକାର ବରିଷ୍ଠ ଅଧିକାରୀ ଏବଂ ତାଲିବାନ ପ୍ରତିନିଧିଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ମୁଖ୍ୟତଃ ସୁରକ୍ଷା ଏବଂ ଆତଙ୍କବାଦ ଭଳି ପ୍ରସଙ୍ଗ ଉପରେ ଆଧାରିତ ଥିଲା । ତାହାସହିତ ଆଫଗାନିସ୍ତାନରେ ଅଟକି ରହିଥିବା ଆମେରିକା ନାଗରିକ ଏବଂ ଅନ୍ୟାନ୍ୟ ବିଦେଶୀ ନାଗରିକଙ୍କୁ ସେଠାରୁ ସୁରକ୍ଷିତ ଭାବରେ ସ୍ୱଦେଶ ଫେରିବା, ଆଫଗାନିସ୍ତାନରେ ମାନବାଧିକାର ବଜାୟ ରଖିବା ଏବଂ ଆଫଗାନ ସମାଜର ସମସ୍ତ କ୍ଷେତ୍ରରେ ମହିଳା ଓ ଯୁବତୀଙ୍କର ଅର୍ଥପୂର୍ଣ୍ଣ ଅଂଶଗ୍ରହଣ ଭଳି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଦୁଇ ପକ୍ଷ ଆଫଗାନ ଜନସାଧାରଣଙ୍କ ପାଇଁ ସିଧାସଳଖ ଭାବରେ ଆମେରିକା ପକ୍ଷରୁ ବ୍ୟାପକ ମାନବୀୟ ସହାୟତା ଉପରେ ମଧ୍ୟ ଆଲୋଚନା କରିଥିଲେ ।
ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ ଏକ ବିବୃତିରେ କହିଛନ୍ତି ଯେ ଆଫଗାନର ତାଲିବାନ ସରକାର ଏବଂ ଆମେରିକା ପ୍ରଶାସନର ଅଧିକାରୀଙ୍କ ମଧ୍ୟରେ ସେମାନଙ୍କ ସମ୍ପର୍କରେ ସୁଧାର ଆଣିବା ଏବଂ ଆଫଗାନିସ୍ତାନକୁ ମାନବୀୟ ସହାୟତା ଯୋଗାଣ ତଥା ଦୋହା ଶାନ୍ତି ରାଜିନାମା କାର୍ଯ୍ୟକାରୀ କରିବାକୁ ଆଲୋଚନା କରାଯାଇଥିଲା ।

Comments are closed.