ମହିଳାଙ୍କ ଅଭିନୀତ ଟିଭି ସୋ ଓ ଚଳଚ୍ଚିତ୍ର ଉପରେ ତାଲିବାନର କଟକଣା

କାବୁଲ: ଆଫଗାନିସ୍ତାନର ତାଲିବାନ ସରକାର ମହିଳାଙ୍କ ନିମନ୍ତେ ଆଉ ଏକ କଡା ଆଇନ ପ୍ରଣୟନ କରିଛନ୍ତି । ଟେଲିଭିଜନ କାର୍ଯ୍ୟକ୍ରମଗୁଡିକରେ ଭାଗ ନେଉଥିବା ମହିଳା ଉପସ୍ଥାପିକା ଏବଂ ଆଙ୍କରମାନେ ପରଦା ଉପରେ ମଧ୍ୟ ହିଜବ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏଥିସହିତ ଧର୍ମକୁ ଅପମାନ ପ୍ରଦର୍ଶନ କରୁଥିବା ସମସ୍ତ ବ୍ୟଙ୍ଗାତ୍ମକ ଓ ହାସ୍ୟରସାତ୍ମକ କାର୍ଯ୍ୟକ୍ରମଗୁଡିକୁ ନିଷେଧ କରାଯାଇଛି । ତାଲିବାନ ଦ୍ୱାରା ରବିବାର ଜାରି ନିର୍ଦ୍ଦେଶ ଅନୁଯାୟୀ ମହିଳା ଅଭିନୟ କରିଥିବା କୌଣସି କାର୍ଯ୍ୟକ୍ରମ ଟେଲିଭିଜନରେ ପ୍ରସାରିତ ହୋଇପାରିବନାହିଁ । ଏଥିରେ କୁହାଯାଇଛି ଯେ ଏଣିକି ଚଳଚ୍ଚିତ୍ର,, ନାଟକ ଓ ଟେଲିଭିଜନ କାର୍ଯ୍ୟକ୍ରମଗୁଡିକରେ ମହିଳାମାନେ ଅଭିନୟ କରିପାରିବେନାହିଁ । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଅଗଷ୍ଟ ମାସରେ ବଳପୂର୍ବକ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ତାଲିବାନ ଆତଙ୍କି ଗୋଷ୍ଠୀ ଦେଶରେ ସରିଆ ଆଇନକୁ କଡାକଡି ଭାବରେ ଲାଗୁ କରିବା ସହିତ ମହିଳାଙ୍କ ନିମନ୍ତେ ସମସ୍ତ ପ୍ରକାର ପ୍ରତିବନ୍ଧକ ଲାଗୁ କରିଛନ୍ତି । ଦେଶରେ ସଂଗୀତ, ନୃତ୍ୟ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଏହାର ଉଲ୍ଲଂଘନକାରୀଙ୍କ ପ୍ରତି ସର୍ବସାଧାରଣରେ ଫାଶୀ ଭଳି କଠୋର ଦଣ୍ଡବିଧାନ ବ୍ୟବସ୍ଥା କରାଯାଇଛି ।

Comments are closed.