ପିଲାଙ୍କୁ ଜଗିବା

ରାଜ୍ୟ କ୍ରମଶଃ କୋଭିଡ୍‌ କଟକଣାମୁକ୍ତ ହେଉଥିବାବେଳେ ପିଲାଙ୍କ ଭିତରେ ସଂକ୍ରମଣ ବୃଦ୍ଧି ଉଦ୍‌ବେଗଜନକ; ଏଥିପ୍ରତି ସମସ୍ତେ ଯତ୍ନବାନ୍‌ ହେବା ଦରକାର

ଆମ ରାଜ୍ୟରେ ଗତ ଦୁଇଦିନ ହେଲା କୋଭିଡ୍‌-୧୯ ସଂକ୍ରମଣ ଏକ ହଜାର ମଧ୍ୟରେ ରହୁଥିବାବେଳେ ଶିଶୁ-କିଶୋର ଅଧିକ ଆକ୍ରାନ୍ତ ହେବା ଉଦ୍‌ବେଗଜନକ। ତଥ୍ୟ ଅନୁସାରେ, ଗତ ପାଞ୍ଚ ଦିନ ଭିତରେ ପାଞ୍ଚ ଶହରୁ ଊର୍ଦ୍ଧ୍ବ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଲେଣି। ଏମାନଙ୍କ ଭିତରୁ ଅଧିକାଂଶ ଲକ୍ଷଣବିହୀନ। ଜନସ୍ବାସ୍ଥ୍ୟ ନି​‌େର୍ଦଶକଙ୍କ ମତରେ ପୂର୍ବରୁ ୦ରୁ ୧୦ ବର୍ଷ ବୟସର ୩.୫ ଶତାଂଶ ଓ ୧୦ରୁ ୧୮ ବର୍ଷ ବୟସର ୮.୫ ଶତାଂଶ ପିଲା ପଜିଟିଭ୍‌ ଚିହ୍ନଟ ହୋଇଥିଲେ; କିନ୍ତୁ କୋଭିଡ୍‌ର ଦ୍ବିତୀୟ ତରଙ୍ଗରେ ସଂକ୍ରମଣ ହାର ୧୨ ଶତାଂଶ ରହିଛି। ଡେଲ୍‌ଟା ପ୍ରଜାତିର ଭୂତାଣୁ ସଂକ୍ରମଣ ଯୋଗୁଁ ହୁଏ ତ ଏହି ସଂଖ୍ୟା ବଢ଼ିଛି; ତେବେ ଭଲ କଥା ହେଲା ଏହା ପିଲାଙ୍କୁ ଗୁରୁତର ସ୍ବାସ୍ଥ୍ୟ ସଂକଟରେ ପକାଉନାହିଁ ଓ ଅଳ୍ପ ପିଲାଙ୍କୁ ଡାକ୍ତରଖାନା ଯିବାକୁ ପଡ଼ୁଛି। କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ, ସଂକ୍ରମିତ ପିଲାଙ୍କ ମଧ୍ୟରୁ ୫ରୁ ୬ ଶତାଂଶ ପିଲାଙ୍କୁ ଡାକ୍ତରଖାନା ଯିବାକୁ ହେଉଛି। ସୂଚନାଯୋଗ୍ୟ, ପ୍ରଥମ ତରଙ୍ଗରୁ ଆଜି ସୁଦ୍ଧା ଓଡ଼ିଶାରେ ୦ରୁ ୧୮ ବର୍ଷ ବୟସର ୮୩,୨୪୦ ଜଣ କୋଭିଡ଼ରେ ଆକ୍ରାନ୍ତ ହୋଇଛନ୍ତି, ଯାହା ସମୁଦାୟ କରୋନା ପୀଡ଼ିତଙ୍କ ମଧ୍ୟରୁ ୭ ଶତାଂଶ। ଆକ୍ରାନ୍ତ ଶିଶୁଙ୍କ ମଧ୍ୟରୁ ୩ ଜଣଙ୍କ ପ୍ରାଣହାନି ହୋଇଥିବା ସରକାରୀ ତଥ୍ୟ କହୁଛି। ଏବେ ଜନସ୍ବାସ୍ଥ୍ୟ ନିର୍ଦେଶକ ଶିଶୁଙ୍କ ପାଇଁ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି; ତେବେ ସରକାରୀ ସ୍ବାସ୍ଥ୍ୟସେବା ସୁବ୍ୟବସ୍ଥିତ ଥିଲେ ଲୋକ ଆତଙ୍କିତ ହେବେ ନାହିଁ; ନଚେତ୍‌ ଛୋଟ ସମସ୍ୟା ବି ଜନସାଧାରଣଙ୍କ ପାଇଁ ବଡ଼ ପାଲଟିଯିବ। ଅତୀତରେ କେତେକ ରାଜ୍ୟରେ କୋଭିଡ୍‌ ଅବ୍ୟବସ୍ଥା ଯୋଗୁଁ ଯେଉଁଭଳି ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ଦେଖାଦେଲା, ସେପରି ଅବସ୍ଥା ନହେବା ପାଇଁ ଏବେଠୁ ସରକାରୀ ସ୍ତରରେ ସୁବ୍ୟବସ୍ଥା କରାଯିବା ଆବଶ୍ୟକ। ରାଜ୍ୟ ସରକାର ପିଲାଙ୍କ ସଂକ୍ରମଣର ମ୍ୟାପିଂ କରୁଥିବା ସୂଚନା ଦେଇଛନ୍ତି; ତେବେ ଏହା ନିର୍ଭୁଲ୍‌ ହେବା ଆବଶ୍ୟକ; ନଚେତ୍‌ କିଛି ଲାଭ ହେବ ନାହିଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ, ଡାକ୍ତରଖାନାକୁ ଆସିବାକୁ ପଡ଼ୁନାହିଁ ବୋଲି କହି ଅବହେଳା କଲେ ହେବନାହିଁ। ଡାକ୍ତରଖାନାରେ ଆଇସିୟୁ ଶଯ୍ୟା ସମେତ ପିଲାଙ୍କ କୋଭିଡ଼ ଚିକିତ୍ସା ପାଇଁ ଯଥେଷ୍ଟ ସୁବିଧାସୁଯୋଗର ବନ୍ଦୋବସ୍ତ କରିବା ଜରୁରୀ। ଶିଶୁଙ୍କ ପାଇଁ କୋଭିଡ୍‌ ଟିକା ନ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ନେଇ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ।
ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ପିଲାଙ୍କ ପାଇଁ କରୋନା ଟିକା ଉପଲବ୍ଧ ହୋଇଯିବ ବୋଲି ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌) ଅଧୀନ ଜାତୀୟ ବିଷାଣୁ ବିଜ୍ଞାନ ସଂସ୍ଥାନ (ଏନ୍‌ଆଇଭି)ର ନିର୍ଦେଶକ ପ୍ରକାଶ କରିଛନ୍ତି। ଶିଶୁଙ୍କ ପାଇଁ ନିର୍ମିତ କୋଭାକ୍ସିନ ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଥିବାବେଳେ ଆସନ୍ତା ମାସ ମଧ୍ୟରେ ଏହା ଲୋକଙ୍କ ପାଇଁ ଉପଲବ୍ଧ ହେବ ବୋଲି ସେ ଆଶା କରିଛନ୍ତି। କୋଭାକ୍ସିନ ବ୍ୟତୀତ ଜାଇଡସ୍‌ କାଡିଲା ଦ୍ବାରା ପ୍ରସ୍ତୁତ ଜାଇକୋଭ୍‌-ଡି ଭଳି ଅନ୍ୟ ଟିକାର ଉପଯୋଗ ବିଷୟ ବର୍ତ୍ତମାନ ସରକାରଙ୍କ ବିଚାରାଧୀନ ରହିଛି। ଯଦି ଏଗୁଡ଼ିକ ଉପଯୁକ୍ତ ମାନର ସାବ୍ୟସ୍ତ ହୁଏ, ତେବେ ସେଗୁଡ଼ିକୁ ମଧ୍ୟ ବ୍ୟବହାର କରାଯିବା ଉଚିତ। ତେବେ ଟିକା ନେଇଗଲେ ଯେ ସମସ୍ତେ ସଂପୂର୍ଣ୍ଣ ସୁରକ୍ଷିତ, ତାହା ଭାବିବା ଭୁଲ୍‌। ପିଲାମାନେ ମଧ୍ୟ କୋଭିଡ୍‌ ମାର୍ଗଦର୍ଶିକାର ପାଳନ କରୁଛନ୍ତି ନା ନାହିଁ, ତାହା ଦେଖିବାକୁ ହେବ। ବିଶେଷ କରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଯାଉଥିବା ପିଲାମାନେ ଏଥିପ୍ରତି ବିଶେଷ ଯତ୍ନବାନ ହେବା ଦରକାର। ଗତ ମାସଠାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିଥିବାବେଳେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଓ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଖୋଲିଛି। ଯେଉଁ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଆସୁଛନ୍ତି, ସେମାନେ ଯେପରି ତୁଣ୍ଡି ପିନ୍ଧିବା, ବାରମ୍ବାର ହାତ ଧୋଇବା, ଶାରୀରିକ ଦୂରତା ଅବଲମ୍ବନ କରିବା ଆଦି ନିୟମକୁ ଠିକ୍‌ରୂପେ ପାଳନ କରିବେ, ତାହା ଦେଖିବା ଅଭିଭାବକ ଓ ଶିକ୍ଷକମାନଙ୍କର କର୍ତ୍ତବ୍ୟ। ନିକଟରେ ଭୁବନେଶ୍ବରସ୍ଥିତ ଏକ ଆବାସିକ ବିଦ୍ୟାଳୟ ଛାତ୍ରୀନିବାସର ୮ଜଣ କରୋନାରେ ଆକ୍ରାନ୍ତ ହେବା ଘଟନା ଦର୍ଶାଉଛି ଯେ କେଉଁଠି ନା କେଉଁଠି ତ୍ରୁଟିବିଚ୍ୟୁତି ରହୁଛି। ଏଥିପ୍ରତି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଓ ଅଭିଭାବକମାନେ ଦୃଷ୍ଟି ଦେବା ଆବଶ୍ୟକ। ଦେଖାଯାଇଛି ଯେ ଏବେ ମଧ୍ୟ ଅଭିଭାବକମାନେ ପିଲାଙ୍କୁ ଶିକ୍ଷାନୁଷ୍ଠାନକୁ ଛାଡ଼ିବା ପାଇଁ ସାହସ କରିପାରୁ ନାହାନ୍ତି। ତେଣୁ ଶିକ୍ଷାନୁଷ୍ଠାନମାନ ଖୋଲିଥିବା ସତ୍ତ୍ବେ ଉତ୍ସାହଜନକ ଉପସ୍ଥାନ ହେଉନାହିଁ। ଅନ୍ୟପକ୍ଷରେ ଉଚିତ ଶିକ୍ଷାଦାନ ଅଭାବରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣର ମାନ କରୋନା କାଳରେ ନ୍ୟୂନ ହୋଇଯାଇଛି, ଏହା ଅନସ୍ବୀକାର୍ଯ୍ୟ। କେତେକ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବା ପରି ଆମ ରାଜ୍ୟରେ ମଧ୍ୟ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଶ୍ରେଣୀକକ୍ଷ ଖୋଲିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରିବା କଥା କହିଛନ୍ତି। ଏ ବିଷୟରେ ମଧ୍ୟ ରାଜ୍ୟ ସରକାର ଚିନ୍ତା କରିବାର ସମୟ ଆସିଛି। ପିଲାଙ୍କୁ ଅଧିକ ଦିନ ଶ୍ରେଣୀକକ୍ଷ ଶିକ୍ଷାରୁ ବଞ୍ଚିତ କରିହେବ ନାହିଁ। କେବଳ ଶିକ୍ଷା ନୁହେଁ; ପିଲାମାନେ ଯେଉଁ ମାନସିକ ଚାପରେ ରହୁଛନ୍ତି ତାହା ଏକ ବଡ଼ ସମସ୍ୟା। ସେଥିରୁ ସେମାନଙ୍କୁ ମୁକୁଳାଇବା ଜରୁରୀ। ସରକାର, ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ, ଶିକ୍ଷକ ଓ ଅଭିଭାବକ ଏ ଦିଗରେ ଯତ୍ନବାନ ହୁଅନ୍ତୁ।

Comments are closed.