ଶାନ୍ତି ବଜାୟ ରଖିବାକୁ ଉଭୟ ପକ୍ଷକୁ ପରାମର୍ଶ

ତାଇୱାନ ପ୍ରସଙ୍ଗରେ ଚିନ୍ତାପ୍ରକଟ କଲା ଭାରତ

ନୂଆଦିଲ୍ଲୀ : ଆମେରିକା ସଂସଦର ବାଚସ୍ପତି ନାନ୍‌ସି ପେଲୋସିଙ୍କ ତାଇୱାନ ଗସ୍ତକୁ ନେଇ ତାଇୱାନ ଓ ଚୀନ୍‌ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ କ୍ଷୁବ୍ଧ ଚୀନ୍‌ ତାଇୱାନର ନିକଟବର୍ତ୍ତୀ ଅଞ୍ଚଳ​ରେ‌ ସାମରିକ ଅଭ୍ୟାସକୁ ଜୋରଦାର୍‌ କରିଛି।
ଏହି ପ୍ରସଙ୍ଗରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଚିନ୍ତାପ୍ରକଟ କରାଯିବା ସହ ଉଭୟ ପକ୍ଷ ଉତ୍ତେଜନା କମାଇବା ସହ ଶାନ୍ତି ବଜାୟ ରଖିବାକୁ ପରାମର୍ଶ ଦେଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ବିଭାଗ ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି ତାଇୱାନ ପ୍ରସଙ୍ଗରେ ଅନ୍ୟ ଦେଶଙ୍କ ଭଳି ଭାରତ ମଧ୍ୟ ଚିିନ୍ତିତ। ଚୀନ୍ ଓ ତାଇୱାନ କୌଣସି ପ୍ରକାର ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ ନ କରିବା, ଉତ୍ତେଜନା କମାଇବା ଏବଂ ଶାନ୍ତି ବଜାୟ ରଖିବାକୁ ଉଭୟ ପକ୍ଷକୁ ପରାମର୍ଶ ଦିଆଯାଉଛି। ତାଇୱାନକୁ ଚୀନ୍‌ର ନୀତି ସଂପର୍କରେ ମତ ଦେଇ ସେ କହିଥିଲେ ଏଥିନେଇ ଭାରତର ପୂର୍ବରୁ ଯେଉଁ ନୀତି ଥିଲା ସେଥିରେ କୌଣସି ପରିବର୍ତ୍ତନ ହୋଇ ନାହିଁ।
ସୂଚନାଥାଉ କି ତାଇୱାନକୁ ଚୀନ୍‌ ନିଜର ଏକ ଅଂଶ ବୋଲି ବିବେଚନା କରିବା ସହ ଏଠାକୁ କୌଣସି ବିଦେଶୀ ରାଜନେତାଙ୍କ ଗସ୍ତକୁ ବିରୋଧ କରି ଆସୁଛି। ଅନ୍ୟପକ୍ଷରେ ଚୀନ୍‌ର ଏପରି ମନୋଭାବକୁ ତାଇୱାନ ବିରୋଧ କରୁଛି।

Comments are closed.