ସତ୍ୟନ୍‌ଙ୍କୁ ୬ଷ୍ଠ ସ୍ଥାନ; ବିଶ୍ବକପ୍ ଯୋଗ୍ୟତା

ୟୋକୋହାମା (ଜାପାନ): ଭାରତର ୧ନଂ ପୁରୁଷ ସିଙ୍ଗଲ୍‌ସ ଟେବୁଲ ଟେନିସ୍ ଖେଳାଳି ଜି. ସତ୍ୟନ୍ ଆସନ୍ତା ବିଶ୍ବକପ୍ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ୟୋକୋହାମାରେ ଚାଲିଥିବା ଏସିଆନ୍ କପ୍ ଟେବୁଲ ଟେନିସ ଚମ୍ପିଆନ୍‌ସିପ୍‌ରେ ଚମତ୍କାର ପ୍ରଦର୍ଶନ କରି ପୁରୁଷ ସିଙ୍ଗଲ୍‌ସରେ ୬ଷ୍ଠ ସ୍ଥାନ ହାସଲକରି ସତ୍ୟନ୍ ଏହି କୃତିତ୍ବ ହାସଲ କରିଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷର ଟେବୁଲ ଟେନିସ୍ ବିଶ୍ବକପ୍ ଚୀନ୍‌ର ଚେଙ୍ଗ୍‌ଡୁ ସହରରେ ଅକଟୋବର ୧୮ରୁ ୨୦ ପର୍ଯ୍ୟନ୍ତ ଆୟୋଜନ ହେବ।

ରବିବାର ପୁରୁଷ ସିଙ୍ଗଲ୍‌ସରେ ୫ମ ସ୍ଥାନ ପାଇଁ ମ୍ୟାଚ୍‌ରେ ବିଶ୍ବର ୨୮ନଂ ସିଙ୍ଗଲ୍‌ସ ଖେଳାଳି ଜି. ସତ୍ୟନ୍‌ଙ୍କୁ ୧୭ ବର୍ଷ ବୟସ୍କ ଚାଇନିଜ୍ ତାଇପେର ଲିନ୍ ୟୁନ୍-ଜୁ ୪-୦ (୧୧-୪, ୧୧-୮, ୧୧-୮, ୧୪-୧୨) ଗେମ୍‌ରେ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ରେ ବିଶ୍ବର ୨୧ନଂ ଖେଳାଳି ବାମହାତି ଲିନ୍ ୟୁନ୍-ଜୁ ଚମତ୍କାର ପ୍ରଦର୍ଶନ କରି ୨୬ ବର୍ଷ ବୟସ୍କ ସତ୍ୟନ୍‌ଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଶନିବାର ସିଙ୍ଗଲ୍‌ସ କ୍ବାର୍ଟରଫାଇନାଲରେ ପରାସ୍ତ ହୋଇଥିବା ଜି. ସତ୍ୟନ୍ ପରେ ଯୋଗ୍ୟତା ରାଉଣ୍ଡ ମ୍ୟାଚ୍‌ରେ ହଂକଂର ୧ନଂ ତଥା ବିଶ୍ବର ୧୪ନଂ ଖେଳାଳି ଚୁନ୍ ତିଙ୍ଗ୍ ୱଙ୍ଗ୍‌ଙ୍କୁ ୪-୧ ଗେମ୍‌ରେ ପରାସ୍ତକରି ୫ମ ସ୍ଥାନ ପାଇଁ ମ୍ୟାଚ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ସେ ଯାହାହେଉ; ଏସିଆନ୍ କପ୍ ଟେବୁଲ ଟେନିସ ଚମ୍ପିଆନ୍‌ସିପ୍‌ରେ ପୁରୁଷ ସିଙ୍ଗଲ୍‌ସ​‌ର ୬ଷ୍ଠ ସ୍ଥାନ ହାସଲ କରିବାରୁ ସତ୍ୟନ୍ ବିଶ୍ବକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

Comments are closed.