ସ୍କଟଲାଣ୍ଡକୁ ହରାଇଲା ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନକୁ ଭାରତ

ଦୁବାଇ/ଆବୁଧାବି: ଟ୍ବେଣ୍ଟି୨୦ ବିଶ୍ବକପର ୩ୟ ମ୍ୟାଚରେ ୨ୟ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ। ବୁଧବାର ସୁପର-୧୨ ପର୍ଯ୍ୟାୟର ଗ୍ରୁପ୍-୨ ମ୍ୟାଚରେ ସ୍କଟଲାଣ୍ଡକୁ ୧୬ ରନରେ ନ୍ୟୁଜିଲାଣ୍ଡ ପରାସ୍ତ କରିଛି। ମାର୍ଟିନ୍ ଗପ୍ଟିଲଙ୍କ ବିସ୍ଫୋରକ ୯୩ ରନ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ନ୍ୟୁଜିଲାଣ୍ଡ ୫ ୱିକେଟରେ ୧୭୨ ରନ୍ କରିଥିଲା। ସ୍କଟଲାଣ୍ଡର ବ୍ୟାଟ୍ସମ୍ୟାନ୍ ସାହସିକ ପ୍ରଦର୍ଶନ କରିଥିଲେ ହେଁ ଏହା ୫ ୱିକେଟରେ ପ୍ରଶଂସନୀୟ ୧୫୬ ରନ୍ କରି ପାରିଥିଲା। ୧୭୩ ରନ୍ ଲକ୍ଷ୍ୟ ପିଛା କରିଥିଲେ ହେଁ ସ୍କଟଲାଣ୍ଡର ସମସ୍ତ ବ୍ୟାଟ୍ସମ୍ୟାନ୍ ସଟ୍ ଖେଳିବାର ପ୍ରୟାସ କରିଥିଲେ। ପ୍ରଥମ ବ୍ୟାଟିଂର ଆହ୍ବାନ ପାଇବା ପରେ ନ୍ୟୁଜିଲାଣ୍ଡ ପ୍ରଥମ ୧୦ ଓଭରରେ ୭୦ ରନ୍ କରିଥିବା ବେଳେ ଶେଷ ୧୦ ଓଭରରୁ ୧୦୨ ରନ୍ କରିଥିଲା।

ଅନ୍ୟପକ୍ଷରେ ଟ୍ବେଣ୍ଟି୨୦ ବିଶ୍ବକପରେ ପ୍ରଥମ ୨ଟି ମ୍ୟାଚ୍ ହାରିବା ପରେ ୩ୟ ମ୍ୟାଚରେ ପ୍ରଥମ ବିଜୟ ହାସଲ କରିଛି ଭାରତୀୟ ଦଳ। ବୁଧବାର ଗ୍ରୁପ୍-୨ର ମ୍ୟାଚରେ ଆଫଗାନିସ୍ତାନକୁ ୬୬ ରନ୍ ବ୍ୟବଧାନରେ ଭାରତ ପରାସ୍ତ କରି ସେମିଫାଇନାଲ ଖେଳିବାର କ୍ଷୀଣ ଆଶା ବଜାୟ ରଖିଛି। ଦୁଇ ଭାରତୀୟ ଓପ୍ନର ରୋହିତ ଶର୍ମା ଓ କେ.ଏଲ୍. ରାହୁଲ ଆକ୍ରମଣାତ୍ମକ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଋଷଭ ପନ୍ତ୍ ଓ ହାର୍ଦିକ ପାଣ୍ଡ୍ୟା ବିସ୍ଫୋରକ ଢଙ୍ଗରେ ଇନିଂସର ଅନ୍ତଃ ଘଟାଇଥିଲେ। ଫଳରେ ଭାରତ ୨ ୱିକେଟରେ ବିଶାଳ ୨୧୦ ରନ୍ କରି ପାରିଥିଲା। ଚଳିତ ବିଶ୍ବକପରେ ଅଦ୍ୟାବଧି ଏହା ସର୍ବାଧିକ ଦଳଗତ ସ୍କୋର୍। ପରେ ଆଫଗାନିସ୍ତାନ ୭ ୱିକେଟ ହରାଇ ୧୪୪ ରନ୍ କରି ପାରିଥିଲା।

Comments are closed.