ଡିନ୍ ଜୋନ୍‌ସଙ୍କୁ ଶ୍ରଦ୍ଧାଞ୍ଜଳି: ହାତରେ କଳାପଟି ପିନ୍ଧିବେ ୨ ଦଳର କ୍ରିକେଟର୍‌

ସିଡନୀ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଶୁକ୍ରବାର ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ପରଲୋକଗତ ବ୍ୟାଟସମ୍ୟାନ୍‌ ଡିନ୍‌ ଜୋନ୍‌ସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଉଭୟ ଦଳର କ୍ରିକେଟର୍‌ ହାତରେ କଳାପଟି ପିନ୍ଧି ମ୍ୟାଚ୍‌ ଖେଳିବେ। ସେହିପରି ମ୍ୟାଚ୍ ଆରମ୍ଭ ପୂର୍ବରୁ ଖେଳାଳିମାନେ ଏକମିନିଟ୍‌ ନୀରବ ପ୍ରାର୍ଥନା କରିବେ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ସୂଚନା ଦିଆଯାଇଛି।
ସୂଚନାଥାଉକି ଆଇପିଏଲ୍‌ରେ ଭାଷ୍ୟକାର ଭାବେ ଦାୟିତ୍ବ ତୁଲାଇବାକୁ ମୁମ୍ବଇରେ ଥିବା ବେଳେ ଗତ ସେପ୍ଟେମ୍ବର ୨୪ରେ ହୃଦ୍‌ଘାତରେ ଜୋନ୍‌ସଙ୍କ ପରଲୋକ ହୋଇଯାଇଥିଲା। ସେ ଅଷ୍ଟ୍ରେଲିଆ ତରଫରୁ ୫୨ଟି ଟେଷ୍ଟ ଓ ୧୬୪ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଅନ୍ୟପକ୍ଷରେ ଦୁଇ ଦଳ ମଧ୍ୟରେ ଏମ୍‌ସିଜିରେ ଅନୁଷ୍ଠିତ ହେବାକୁ ଥିବା ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଚା’ପାନ ବିରତି ସମୟରେ ଡିନ୍ ଜୋନ୍‌ସଙ୍କ ପତ୍ନୀ ଓ ପରିବାରବର୍ଗ ଉପସ୍ଥିତ ରହିବେ ଏବଂ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜୋନ୍‌ସଙ୍କୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ ବୋଲି ଜଣାପଡ଼ିଛି।

Comments are closed.