ଶପଥ ନେବାର ୭ ଘଣ୍ଟା ପରେ ଇସ୍ତଫା ଦେଲେ ସ୍ବିଡେନ୍‌ ପ୍ରଧାନମନ୍ତ୍ରୀ

ଷ୍ଟକ୍‌ହୋମ୍‌: ସ୍ବିଡେନ୍‌ର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ଗୌରବ ରକ୍ଷା କରିପାରିଲେ ନାହିଁ ମାଗ୍‌ଡାଲେନା ଆଣ୍ଡରସନ୍‌। ଶୁକ୍ରବାର ସେ ପ୍ରଧାନମନ୍ତ୍ରୀ ଭାବେଶପଥ ଗ୍ରହଣ କରିଥିଲେ; କିନ୍ତୁ ଏହି ପଦରେ ମାତ୍ର ୭ ଘଣ୍ଟା ରହିବାରେ ସମର୍ଥ ହୋଇଥିଲେ। ସେଣ୍ଟର ଲେପ୍ଟ ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟିର ନେତ୍ରୀ ମାଗ୍‌ଡାଲେନା ଶପଥ ନେବା ପରେ ପାର୍ଲାମେଣ୍ଟରେ ବଜେଟ୍‌ ଉପସ୍ଥାପନ ପ୍ରସ୍ତାବ ରଖିଥିଲେ; କିନ୍ତୁ ଏଇଥିପାଇଁ ତାଙ୍କୁ ଆବଶ୍ୟକ ସାଂସଦଙ୍କ ସମର୍ଥନ ମିଳି ନ ଥିଲା। ସଂଖ୍ୟାଗରିଷ୍ଠତା ନ ମିଳିବାରୁ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ତାଙ୍କୁ ସମର୍ଥନ କରିଥିବା ଗ୍ରୀନ୍‌ ପାର୍ଟି ସଦସ୍ୟମାନେ ମଧ୍ୟ ଏଥିରେ ସହଯୋଗ କରି ନ ଥିଲେ। ମାଗ୍‌ଡାଲେନାଙ୍କ ଇସ୍ତଫା ପରେ ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦରେ ରହିବେ। ଆସନ୍ତା ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବ।

Comments are closed.