ଜନ୍ମାଷ୍ଟମୀ ଅବସରରେ ସ୍ବାମୀ ଲକ୍ଷ୍ଣଣାନନ୍ଦଙ୍କ ୧୪ତମ ଶ୍ରଦ୍ଧାଞ୍ଜଳି, ସୁରକ୍ଷା ବ୍ୟବସ୍ଥା କଡାକଡି

ଫୁଲବାଣୀ/ତୁମୁଡିବନ୍ଧ: କନ୍ଧମାଳ ଜିଲା ସାରା ଆଜି କଡା ସୁରକ୍ଷା ଭିତରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ବାମୀ ଲକ୍ଷ୍ଣଣାନନ୍ଦ ସରସ୍ୱତୀଙ୍କ ୧୪ତମ ତିରୋଧାନ ଦିବସ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ଭଳି ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଆଜିର ଦିନକୁ ବଳିଦାନ ଦିବସ ଭାବରେ ପାଳନ କରାଯାଇଛି। ତୁମୁଡିବନ୍ଧର ଜଳେଶପଟା ଓ ଚକାପାଦ ଠାରେ ଥିବା ସ୍ୱାମୀଜୀଙ୍କ ଆଶ୍ରମରେ ବିଶେଷ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ସ୍ବାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଶ୍ରମରେ ପୂଜାର୍ଚ୍ଚନା ସହ ଭଜନ କୀର୍ତ୍ତନ ଆୟୋଜିତ ହୋଇଥିଲା।

ସୂଚନାଯୋଗ୍ୟ, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ସନ୍ଧ୍ୟାରେ ଆଶ୍ରମ ଅନ୍ତେବାସୀଙ୍କ ସହିତ ଜନ୍ମାଷ୍ଟମୀ ପାଳନ କରୁଥିବା ବେଳେ କିଛି ଦୁର୍ବୁତ୍ତ ସ୍ୱାମିଜୀଙ୍କୁ ଜାଲେଶପଟା ଆଶ୍ରମରେ ହତ୍ୟା କରିଥିଲେ। ସ୍ୱାମିଜୀଙ୍କ ସହିତ ବାବା ଅମୃତାନନ୍ଦଜୀ, କିଶୋର ବାବା, ଭକ୍ତିମାୟୀ ମାତା ଏବଂ ଅଭିଭାବକ ନିରଞ୍ଜନ ଗାଣ୍ଠିଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ସେତେବେଳେ ଏହି ଘଟଣାକୁ ନେଇ ସାରା ଜିଲ୍ଲାରେ ଆଇନଶୃଙ୍କଳା ପରିସ୍ଥିତି ବିଗିଡି ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଆୟୋଜିତ ହେଉଥିବା ସ୍ବାମିଜୀ ତିରୋଧାନ ଦିବସରେ ଯେପରି ପୁଣି ଆଇନ ଶୃଙ୍ଖଳା ପରିସ୍ଥିତ ସୃଷ୍ଟି ନ ହେବ ସେଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇ ଆସୁଛି। ପୁଲିସ ପ୍ରଶାସନ ସମସ୍ତ ପ୍ରକାର ସତର୍କତା ଅବଲମ୍ଭନ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଏସପି ଭିନିତ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ଥାନା ଅଧିକାରୀ ପରିସ୍ଥିତି ଉପରେ ନଜର ରଖିଥିଲେ। ଜନ୍ମାଷ୍ଟମୀ ପାଇଁ ଜିଲାରେ ମୁତୟନ ଥିବା ନିୟମିତ ଫୋର୍ସ ସହ ଅଧିକା ୬ ପ୍ଲାଟୁନ ଫୋର୍ସ ଅଣାଯାଇ ଜିଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରାଯାଇଥିଲା ।

୧୪ ଜଣ ଇନନ୍ସପେକ୍ଟର, ୮ଜଣ ଡ଼ିଏସପି ଓ ଜଣେ ଅତିରିକ୍ତ ଏସପିଙ୍କୁ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଥିଲା। ରାତ୍ରୀ କାଳୀନ ପାଟ୍ରୋଲିଂକୁ କଡାକଡି କରାଯିବା ସହ ବିଭିନ୍ନ ସ୍ଥାନରେ ନାକାବନ୍ଦି କରାଯାଇ ଯାନବାହନ ଯାଞ୍ଚ କରାଯାଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି କୁମ୍ବିଂ ଅପରେସନ ମଧ୍ୟ ଜୋରଦାର କରାଯାଇଥିଲା। ଜଲେଶପଟା ଓ ଚକାପାଦ ଆଶ୍ରମରେ ସ୍ୱତନ୍ତ୍ର ଫୋର୍ସ ସହିତ ବରିଷ୍ଠ ପୁଲିସ ଅଧିକାରୀ ପରିସ୍ଥିତିର ସମୀକ୍ଷା କରିଥିଲେ।
ଅପରପକ୍ଷରେ କନ୍ଧମାଳ ଜିଲାରେ ଶ୍ରୀକୃଷ୍ଣ ଜନ୍ମଷ୍ଟମୀ ଓ ସ୍ବାମିଜୀଙ୍କ ତିରୋଧାନ ଦିବସ ତଥା ବଳିଦାନ ଦିବସ ଆଦି ସମସ୍ତ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ଶେଷ ହୋଇଛି ବୋଲି ଏସପି ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି।

Comments are closed.