କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
୩୩ତମ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଉଦ୍ଘାଟିତ

ଭୁବନେଶ୍ୱର: କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି। ଗୁରୁବାର ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ୩୩ତମ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଅହିଂସା ମହାତ୍ମାଗାନ୍ଧୀଙ୍କର ବିଶ୍ୱକୁ ଶ୍ରେଷ୍ଠ ଦାନ। ଅହିଂସା ମାଧ୍ୟମରେ ହିଁ ବିଶ୍ୱର ବିଭିନ୍ନ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ମତ ଦେଇ ନବୀନ ଅହିଂସାକୁ ଜୀବନର ମୂଳମନ୍ତ୍ର କରିବା ପାଇଁ ଆହ୍ୱାନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ପୁନଶ୍ଚ କହିଛନ୍ତି, ଚଳିତ ବର୍ଷ ସାରା ବିଶ୍ୱ ବାପୁଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି। ସ୍ୱାଧେୀନତା ସଂଗ୍ରାମୀମାନେ ବାପୁଙ୍କ ଡାକରାରେ ଦେଶର ସଂଗ୍ରାମରେ ଯୋଗ ଦେବାର ସୌଭାଗ୍ୟ ପାଇଥିଲେ। ସ୍ୱାଧୀନ ଭାରତ ପାଇଁ ଆମ ସଂଗ୍ରାମୀମାନଙ୍କ ତ୍ୟାଗକୁ ଏ ଜାତି କେବେ ଭୁଲିପାରିବ ନାହିଁ। କେବଳ ସ୍ୱାଧୀନତା ଗାନ୍ଧୀଙ୍କ ଲକ୍ଷ୍ୟ ନ ଥିଲା। ଏକ ଶୋଷଣମୁକ୍ତ ସୁସ୍ଥ ସମାଜ ଓ ସ୍ୱାବଲମ୍ବୀ ଅର୍ଥନୀତି ତାଙ୍କର ଲକ୍ଷ୍ୟ ଥିଲା। ଏ ଦିଗରେ ଆମେ ସମସ୍ତେ ନିଷ୍ଠାପର ଭାବେ କାର୍ଯ୍ୟ କଲେ ତାହା ହେବ ବାପୁଙ୍କ ୧୫୦ତମ ଜୟନ୍ତୀର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
ଏହି ଅବସରରେ ଡ. ହରେକୃଷ୍ଣ ମହତାବଙ୍କ ସ୍ମୃତି ପ୍ରତି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମହତାବଙ୍କ ୧୨୦ତମ ଜନ୍ମବାର୍ଷିକୀ ଜାତୀୟ ଉତ୍ସବର ଲୋଗୋ ଓ ମହୋତ୍ସବ ସ୍ମରଣିକା ଉନ୍ମୋଚନ କରିଥିଲେ।
ସୂଚନାଯୋଗ୍ୟ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ଅଶୋକ ପଣ୍ଡା, ଶହୀଦ ସ୍ୱାଧୀନତା ସଂଗ୍ରାମୀ ସଦନର ଅଧ୍ୟକ୍ଷ ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ସୁରେଶ କୁମାର ରାଉତରାୟ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।