ହରଭଙ୍ଗାରେ ଗଡିଲା ସ୍ୱଚ୍ଛତା ରଥ

ହରଭଙ୍ଗା: ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ଏକ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍‍ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ। ଅନ୍ୟତମ ଅତିଥିଭାବେ ବୌଦ୍ଧ ପି.ଡି ବବିତାରାଣି ଦଳବେହେରା, ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠି, ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ, ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ବ୍ଲକ ଉପାଧ୍ୟକ୍ଷ ରଶ୍ମିତା ମହାକୁଡ, ହରଭଙ୍ଗା ବିଡିଓ ସୁବାଷ ଯାନୀ ପ୍ରମୁଖ ଯୋଗଦାନ କରିଥିଲେ। ଅତିଥିଙ୍କ ଦ୍ୱାରା ସବୁଜ ପତାକା ହଲାଇ ସ୍ୱଛତା ରଥର ଶୁଭାରମ୍ଭ କରାଯାଇଥିଲା। ଶେଷରେ ଜନପ୍ରତିନିଧି, ପିଇଓମାନଙ୍କୁ ନେଇ ବ୍ଲକସ୍ତରୀୟ ଗ୍ରାମୀଣ ସ୍ୱଚ୍ଛତା ଉପରେ ଏକ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାର ସ୍ୱଛତା ଉପରେ ଗୁରୁତ୍ୱ ଦେବା ସହ ସ୍ୱଛତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ପାଇଁ ଖସଡା ପ୍ରସ୍ତୁତ କରୁଥିବାବେଳେ ବ୍ଲକରେ ମିଶନରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ସ୍ୱଚ୍ଛତା ବୈଠକରେ ଅନେକ ଅସ୍ୱଚ୍ଛତା ରହିଥିବା ଅନୁଭବ ହେଉଥିଲା। ବୈଠକର ଗୁରତ୍ୱକୁ ଭୁଲିଯାଇ କେବଳ ମିଟିଂ ଏବଂ ଇଟିଂରେ ଲକ୍ଷ ଲକ୍ଷ ଟଙ୍କା ଶ୍ରାଦ୍ଧ କରାଯାଇ ଗଣମାଧ୍ୟମକୁ ଅନ୍ଧାରରେ ରଖାଯିବା ଘଟଣା ପଛରେ ମନ୍ଦ ଉଦେଶ୍ୟ ଥିବା ବାରି ହୋଇପଡିଥିଲା। ଏ ଦିଗରେ ସ୍ୱଛ ଭାରତ ମିଶନ ଚେୟାରମ୍ୟାନ ତଥା ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଜନସାଧାରଣଙ୍କୁ ସାମିଲ କରାଯାଇ ଏହାର ପ୍ରଚାର ପ୍ରସାର ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Comments are closed.