ମାମଲାପୁରମ ସମୁଦ୍ର କୂଳରେ ଅଧଘଣ୍ଟା ସଫେଇ କଲେ ମୋଦୀ

ମହାବଲୀପୁରମ: ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ୨ ଦିନିଆ ଭାରତ ଗସ୍ତରେ ଆସି ଚେନ୍ନାଇର ମହାବଲୀପୁରମରେ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାକୁ ଗସ୍ତ କରିଛନ୍ତି। ଶୁକ୍ରବାରଠାରୁ ମୋଦୀ ମହାବଲୀପୁରମରେ ଅଛନ୍ତି। ଶନିବାର ସକାଳେ ମୋଦୀ ମହାବଲୀପୁରମର ମାମଲାପୁରମ ସମୁଦ୍ରକୂଳକୁ ବୁଲିବାକୁ ଯାଇଥିଲେ। ଏହି ଅବସରରେ ସେ ସମୁଦ୍ରକୂଳରେ ସଫେଇ କାର୍ଯ୍ୟ କରିଥିଲେ। ପ୍ରାୟ ଅଧଘଣ୍ଟା ଧରି ମୋଦୀ ସ୍ବଚ୍ଛତା ଅଭିଯାନ ଜାରି ରଖିବା ସହିତ ସମୁଦ୍ରକୂଳରେ ପଡ଼ିଥିବା ଅଳିଆ ଆବର୍ଜନା ଗୋଟାଇଥିଲେ। ଏହା ସହିତ ଲୋକଙ୍କୁ ସ୍ବଚ୍ଛତା ଉପରେ ସଚେତନ ରହିବାକୁ ବାର୍ତ୍ତା ଦେଇଥିଲେ। ମୋଦୀ କହିଥିଲେ, ସ୍ବଚ୍ଛତାରୁ ହିଁ ଆମେମାନେ ସ୍ବଚ୍ଛ ଏବଂ ଫିଟ୍‌ ରହିବା। ସଫେଇ ପରେ ମୋଦୀ ନିଜେ ଏକ ଟ୍ବିଟ୍‌ କରିବା ସହିତ ସଫେଇର ଏକ ଭିଡିଓ ପୋଷ୍ଟ କରିଥିଲେ। ମୋଦୀ ଟ୍ବିଟରେ ଲେଖିଥିଲେ ଯେ, ମୁଁ ମାମଲାପୁରମର ସମୁଦ୍ରକୂଳରେ ୩୦ ମିନିଟ ସଫେଇ ଅଭିଯାନ କଲି। ସମୁଦ୍ରକୂଳରୁ ଉଠାଇଥିବା ଆବର୍ଜନାକୁ ହୋଟେଲ କର୍ମଚାରୀ ଜେୟାରାଜଙ୍କୁ ଦେଲି। ସର୍ବସାଧାରଣ ସ୍ଥାନ ସବୁବେଳେ ସଫାସୁତୁରା ରହିବା ଜରୁରୀ। ଆମ ସମସ୍ତଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ।

 

Comments are closed.