ସ୍ବଚ୍ଛ ଭାରତ ମିଶନରେ ଓଡ଼ିଶା ପୁରସ୍କୃତ

ବାହ୍ୟ ମଳମୁକ୍ତ ଗାଁରେ ଚତୁର୍ଥ

ଭୁବନେଶ୍ୱର : ସ୍ବଚ୍ଛ ଭାରତ ମିଶନ ଅଭିଯାନରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି ରହିଛି। ଗତ ୨ବର୍ଷ ମଧ୍ୟରେ ରାଜ୍ୟର ୧୧ହଜାର ୨୦୩ ବାହ୍ୟ ମଳମୁକ୍ତ ଗାଁକୁ ସମ୍ପୂର୍ଣ୍ଣ ଭାବେ ସ୍ବଚ୍ଛ ଭାରତ ମିଶନ ଅଧୀନକୁ ଅଣାଯାଇ ପାରିଛି। ଏଥିଯୋଗୁଁ ସର୍ବଭାରତୀୟସ୍ତରରେ ଓଡ଼ିଶାର ରାଙ୍କ ଚତୁର୍ଥ ସ୍ଥାନରେ ଥିବାରୁ ଭାରତ ସରକାରଙ୍କ ପକ୍ଷରୁ ଆଜି ପୁରସ୍କୃତ କରାଯାଇଛି।
ରବିବାର ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ରସିଂ ଶେଖାୱାତ ଓ ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ପ୍ରମୁଖ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀଙ୍କୁ ପୁରସ୍କୃତ କରିଛନ୍ତି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ୨୦୨୦ ଗାନ୍ଧୀ ଜୟନ୍ତୀରେ ସ୍ବଚ୍ଛଭାରତ ମିଶନ ଗ୍ରାମୀଣ-୨ ଅଭିଯାନ ପ୍ରଣୟନ ହୋଇଥିଲା। ଏଥିରେ ଦେଶର ସବୁ ଗାଁକୁ ମଳମୁକ୍ତ କରିବା ପାଇଁ ଲକ୍ଷ୍ୟ ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ୪୬ହଜାର ୭୮୫ ଗାଁକୁ ବାହ୍ୟ ମଳମୁକ୍ତରୁ ସ୍ବଚ୍ଛଭାରତ ମିଶନ ଅଧୀନକୁ ଆଣିବାକୁ ପ୍ରୟାସ ଜାରି ରହିଥିବାବେଳେ ଇତିମଧ୍ୟରେ ୨୩ ପ୍ରତିଶତ ଅର୍ଥାତ ୧୧ହଜାର ୨୦୩ ଗାଁ ବାହ୍ୟ ମଳମୁକ୍ତ ହୋଇଛି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ପାଇଁ ୯ଟି ପୁରସ୍କାର ମିଳିଛି। ସେଥିମଧ୍ୟରୁ ୨ଟି ଜଳ ସଂରକ୍ଷଣ ଲାଗି ସୁଜଳମ୍ ଅଭିଯାନରେ ରହିଥିବାବେଳେ ଆଉ ୨ଟି ସ୍ବଚ୍ଛ ସର୍ବେକ୍ଷଣ ଗ୍ରାମୀଣ ଲାଗି ଏବଂ ଅନ୍ୟ ୫ଟି ପୁରସ୍କାର ବାହ୍ୟମଳମୁକ୍ତ ସଚେତନତା କାର୍ଯ୍ୟକ୍ରମ ଲାଗି ରହିଛି। ଏଥିମଧ୍ୟରେ ଯାଜପୁର ଜିଲା ୧ ନମ୍ବର ରାଙ୍କ ଅଧିକାର କରିଥିବା ମନ୍ତ୍ରଣାଳୟ ସର୍ବେକ୍ଷଣରୁ ଜଣାଯାଇଛି। ଶ୍ରୀ ଲୋହାନୀଙ୍କ ନେତୃତ୍ବରେ ଯାଜପୁର, ଗଞ୍ଜାମ ଓ ନୂଆପଡାର ତିନିଜଣ ଜିଲାପରିଷଦ, ୩ଜଣ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ୩ଜଣ ବିଡିଓ ପୁରସ୍କାର ଗ୍ରହଣ କରିବାକୁ ଯାଇଥିଲେ।

Comments are closed.