ଯୁବକଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ : କ୍ଷତିପୂରଣ ଓ ତଦନ୍ତ ଦାବିରେ ରାସ୍ତାରୋକ

ସମ୍ବଲପୁର : ସମ୍ବଲପୁରର ସଦର ଥାନା ଅର୍ନ୍ତଗତ ଧନକଉଡା ନିବାସୀ ୨୨ ବର୍ଷିୟ ଯୁବକ ସୋମନାଥ ଖମାରୀ ଓରଫ ପିଙ୍କୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୁଲିସର ସୂଚନାନୁଯାୟୀ, ଧନକଉଡା ଦେଇ ଯାଇଥିବା ଜାତୀୟ ରାଜପଥ ୫୩ ଉପରେ ବୁଧବାର ବିଳମ୍ବିତ ରାତ୍ରିରେ ଜଣେ ଯୁବକ ସନ୍ଦେହଜନକ ଭାବରେ ଗୁରୁତର ଆହତ ହୋଇ ପଡ଼ିଥିଲେ । ତେବେ ୨ ଜଣ ଯୁବକ ତାଙ୍କୁ ପଡ଼ିଥିବାର ଦେଖି ଗୁରୁତର ଆହତ ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ପିଙ୍କୁଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ଯୁବକଦ୍ୱୟ ମୃତ ପିଙ୍କୁଙ୍କ ମାଆଙ୍କୁ ବିଳମ୍ବିତ ରାତ୍ରିରେ ଫୋନ କରି ତାଙ୍କର ପୁତ୍ର ଗୁରୁତର ଆହତ ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟ ଠାରେ ଭର୍ତ୍ତି ଥିବାର ଖବର ଦେଇଥିଲେ । ଏ ସର୍ମ୍ପକରେ ସଦର ଥାନାଧିକାରୀଙ୍କୁ ପଚରାଯିବାରୁ ବିଳମ୍ବିତ ରାତ୍ରିରେ ଧନକଉଡା ସ୍ଥିତ ବାଉଁଶ ଗୋଦାମ ସମ୍ମୁଖରେ ଜାତୀୟ ରାଜପଥ ଉପରେ ଯୁବକ ଜଣକ ଆହତ ହୋଇ ପଡ଼ିଥିଲେ। ତେବେ ଡାକ୍ତରଖାନାକୁ ନେଲା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ସର୍ମ୍ପକରେ ପରିବାର ଅଭିଯୋଗ କରିବାରୁ ହତ୍ୟା ସର୍ମ୍ପକିତ ଏକ ମାମଲା ରୁଜୁ କରାଯାଇ ସବୁ ଦିଗରୁ ତଦନ୍ତ କରାଯାଉଛି।  ସାଇନ୍ଟିଫିକ ଦଳ ସମେତ ଡଗ ସ୍କ୍ବାର୍ଡ ମଧ୍ୟ ତଦନ୍ତ କରିଛନ୍ତି ବୋଲି ଥାନାଧିକାରୀ କହିଛନ୍ତି।

ଥାନାଧିକାରୀ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଯୁବକଟି ଦିନ ମଜୁରିଆ କାର୍ଯ୍ୟ କରୁଥିଲେ। ସେ ସବୁ ଦିନ ଭଳି ଗତକାଲି ଦିନ ପ୍ରାୟ ୩ଟାରେ କାମ ସାରି ଘରକୁ ଫେରି ଖାଇବା ପରେ ଆରାମ କରିଥିଲେ । ସବୁ ଦିନ ଭଳି ରାତି ପ୍ରାୟ ୮ଟା ସମୟରେ ସେ ଘରୁ ବାହାରକୁ ବୁଲି ବାହାରିଥିବା ବେଳେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ । ତେବେ ଏଭଳି ଅନେକ ସମୟରେ ସେ ଘରକୁ ବିଳମ୍ବିତ ରାତ୍ରି ଫେରୁଥିବାରୁ ତାଙ୍କର ମାଆ ଖାଇବା ପରେ ଶୋଇ ପଡ଼ିଥିଲେ। ଏହି ଘଟଣା ରାତି ପ୍ରାୟ ଗୋଟାଏ ସମୟରେ ହୋଇଥିବା ଅନୁମାନ କରାଯାଉଛି। ତେବେ ବିଳମ୍ବିତ ରାତ୍ରରେ ମୃତ ଯୁବକଙ୍କ ମାଆଙ୍କୁ ଖବର ମିଳିଥିଲା। ତେବେ ସେ ଡାକ୍ତରଖାନାକୁ ଆସି ଦେଖିବା ସମୟରେ ପୁତ୍ରର ମୃତଦେହ ରଖାଯାଇଥିଲା ଏବଂ ଖବର ଦେଇଥିବା ଯୁବକ ଦ୍ୱୟ ସେଠାରେ ନ ଥିଲେ। ଏଣୁ ସେମାନେ ସନ୍ଦେହ ଆଧାରରେ ସଦର ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଥାନାଧିକାରୀ କହିଛନ୍ତି । ମୃତକଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇ ପରିବାରଙ୍କୁ ହସ୍ତାନ୍ତରିତ କରିବା ପରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଧନକଉଡା ନିବାସୀ ଜାତୀୟ ରାଜପଥକୁ ପ୍ରାୟ ୧ ଘଣ୍ଟା ଧରି ଜାମ କରିଦେଇଥିଲେ । ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସମେତ ଏହି ହତ୍ୟାରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଶିଘ୍ର ଗିରଫ କରି କଡା ଦଣ୍ଡ ବିଧାନ ପାଇଁ ଦାବି କରିଥିଲେ। ତେବେ ପ୍ରଶାସନ ପକ୍ଷରୁ ଯଥା ସମ୍ଭବ ସହାୟତାର ପ୍ରତିଶୃତି ଦେବା ପରେ ଯାଇ ରାସ୍ତାରୋକ ହଟିଥିଲା ଏବଂ ରାତ୍ରିରେ ଯୁବକଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

Comments are closed.