ସୁଶୀଲଙ୍କ ବିରୋଧରେ ୮ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ

ନୂଆଦିଲ୍ଲୀ: ଅଲିମ୍ପିକ୍‍ କ୍ରୀଡ଼ାରେ ୨ଟି ପଦକ ଜିତିଥିବା ମଲ୍ଲଯୋଦ୍ଧା ସୁଶୀଲ କୁମାର ଯୁବ ମଲ୍ଲଯୋଦ୍ଧା ସାଗର ଧନକଡ଼ଙ୍କ ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ। ଦିଲ୍ଲୀ ପୁଲିସ ସୁଶୀଲଙ୍କୁ ଗିରଫ କରିବା ପରେ ୬ ଦିନ ପାଇଁ ଜିମାରେ ନେଇଛି। ଦିଲ୍ଲୀ ପୁଲିସର ଅପରାଧ ଶାଖା (କ୍ରାଇମ୍‍ ବ୍ରାଞ୍ଚ୍‍) ମାମଲାର ତଦନ୍ତ ଚଳାଇଛି। ଜାଣିବାକୁ ମିଳିଛି ଯେ ଅତିକମ୍‍ରେ ୮ ଜଣ ପ୍ରତ୍ୟକ୍ଷଦର୍ଶୀ ସୁଶୀଲ କୁମାରଙ୍କ ବିରୋଧରେ ବୟାନ ଦେଇଛନ୍ତି। ଏହି ୮ ଜଣଙ୍କ ନାମ ପୁଲିସ ସାକ୍ଷୀ ଭାବେ ତା’ର ଚାର୍ଜସିଟ୍‍ରେ ଦର୍ଶାଇବାକୁ ଯାଉଛି। ଫଳରେ ଛତ୍ରସାଲ ଷ୍ଟାଡିୟମ୍‍ରେ ମାଡ଼ପିଟ୍‍ ଓ ହତ୍ୟା ଘଟଣାରେ ସୁଶୀଲଙ୍କ ବିରୋଧରେ ବିପଦ ଘନେଇବାରେ ଲାଗିଛି।

ଗତ ୪ ଦିନ ହେଲା ସୁଶୀଲ ଓ ଅନ୍ୟ ଅଭିଯୁକ୍ତଙ୍କୁ କ୍ରାଇମ୍‍ବ୍ରାଞ୍ଚ୍‍ ମାରାଥନ୍‍ ଜେରାକରିବା ସହ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ନେଇ ପ୍ରମାଣ ଏକାଠି କରିବାରେ ଲାଗିଛି। ସୁଶୀଲଙ୍କ ଓକିଲ ବାରମ୍ବାର କହୁଛନ୍ତି ଯେ ତାଙ୍କ ମହକିଲ ନିର୍ଦୋଷ ଏବଂ ତାଙ୍କୁ ହରଡ଼ଘଣାରେ ପକାଇବା ପାଇଁ ଏପରି ଷଡ଼ଯନ୍ତ୍ର କରାଯାଇଛି। ତେବେ ଅଦ୍ୟାବଧି ପୁଲିସ ହାତରେ ଲାଗିଥିବା ପ୍ରମାଣ ଓ ପ୍ରତ୍ୟକ୍ଷଦର୍ଶୀ ସୁଶୀଲଙ୍କ ବିରୋଧରେ। ସାଗର ଧନକଡ଼ ହତ୍ୟା ମାମଲାରେ ଆଉ ୪ ଜଣ ବ୍ୟକ୍ତିଙ୍କୁ ପୁଲିସ ଦିଲ୍ଲୀର କାଞ୍ଝାରୱାଲା ଅଞ୍ଚଳରୁ ଗିରଫ କରିଛି। ସେମାନଙ୍କୁ ମଧ୍ୟ ଅଦାଲତ ପୁଲିସର ଜିମାରେ ଦେଇଛନ୍ତି। ପୁଣି ପୁଲିସ ସୂତ୍ରରୁ ପ୍ରକାଶ, ଛତ୍ରସାଲ ଷ୍ଟାଡିୟମ୍‍ ଗଣ୍ଡଗୋଳ ମାମଲାରେ ୪ ଜଣଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି ହୋଇଥିଲା; ସେମାନଙ୍କୁ ଏସିପି ବ୍ରହ୍ମଜିତ ସିଂହ ଓ ଇନ୍‍ସ୍ପେକ୍ଟର ଈଶ୍ୱର ସିଂହଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ଚଢ଼ଉକରି ଗିରଫ କରିଥିଲା। ମଲ୍ଲଯୋଦ୍ଧା ସାଗର ଧନକଡ଼ ହତ୍ୟା ମାମଲାରେ ସେମାନେ ସୁଶୀଲ କୁମାରଙ୍କ ସହଯୋଗୀ ଥିଲେ। ସେମାନେ ପୁଲିସକୁ ଛତ୍ରସାଲ ଷ୍ଟାଡିୟମ୍‍ ଘଟଣାର ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ଓ ଘଟଣାକ୍ରମ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ପୁଲିସ ମୋଟ ୮ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କୁ ଯୋଗାଡ଼ କରିପାରିଛି। ସେମାନେ ମଧ୍ୟ ସୁଶୀଲଙ୍କ ବିରୋଧରେ କହିଛନ୍ତି। ଏହାସହ ଜାଣିବାକୁ ମିଳିଛି ଯେ ସୁଶୀଲ କୁମାର ପୁଲିସକୁ ତଦନ୍ତରେ ସହଯୋଗ କରୁନାହାନ୍ତି ଏବଂ ବାରମ୍ବାର ବୟାନ୍‍ ବଦଳାଉଛନ୍ତି ଓ ଅଧିକାଂଶ ସମୟରେ ଚୁପ୍‍ ରହୁଛନ୍ତି। ଏଥିପାଇଁ କ୍ରାଇମ୍‍ ବ୍ରାଞ୍ଚ୍‍ ଜଣେ ମନୋବିଜ୍ଞାନ ବିଶେଷଜ୍ଞଙ୍କ ଦ୍ୱାରା ସୁଶୀଲଙ୍କୁ ଜେରା କରିବାକୁ ନିଷ୍ପତ୍ତି ନେଇଛି। ସୁଶୀଲ ଭୟରେ ଚୁପ୍‍ ରହୁଥିବା ବେଳେ ମନୋବିଜ୍ଞାନ ବିଶେଷଜ୍ଞ ତାଙ୍କଠାରୁ କଥା ଆଦାୟ କରିପାରିବେ ବୋଲି ପୁଲିସ ଅନୁଭବ କରୁଛି।

Comments are closed.