ପିପିଲି ହାଇସ୍କୁଲ ପରିଦର୍ଶନ କଲେ ସୁସ୍ମିତା ବାଗ୍‍ଚୀ

ପୁରାତନ ଛାତ୍ରଛାତ୍ରୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର

ପିପିଲି : ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷା ସୁସ୍ମିତା ବାଗ୍‍ଚୀ ବୁଧବାର ପିପିଲି ହାଇସ୍କୁଲକୁ ପରିଦର୍ଶନରେ ଆସି ମୋ ସ୍କୁଲ ଅଭିଯାନ ଅଧିନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ତଦାରଖ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଶିକ୍ଷାଦାନ ଓ ଭିତ୍ତିଭୂମିର ଉନ୍ନତିରେ ସହଯୋଗ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ସେ ସଂବର୍ଦ୍ଧିତ କରିବା ସହ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଧନ୍ୟବାଦପତ୍ର ପ୍ରଦାନ କରିଥିଲେ ।

ଆଜି ପୂର୍ବାହ୍ନ ସାଢେ ୧୧ଟା ସମୟରେ ଶ୍ରୀମତୀ ବାଗ୍‍ଚୀ ପିପିଲି ହାଇସ୍କୁଲକୁ ପରିଦର୍ଶନରେ ଆସିଥିଲେ । ମୋ ସ୍କୁଲ ଅଭିଯାନ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ତଥା ନିର୍ମାଣଧିନ ସ୍ମାର୍ଟ ଲାଇବ୍ରେରୀ, ବିଦ୍ୟାଳୟର ଖେଳପଡିଆ ଆଦିକୁ ସେ ପରିଦର୍ଶନ କରିବା ସହ ବିଦ୍ୟାଳୟର ସୁନ୍ଦର ପରିବେଶକୁ ଦେଖି ସେ ଖୁସିବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆୟୋଜିତ ଏକ ସଭାରେ ଯୋଗଦେଇ ଶ୍ରୀମତୀ ବାଗ୍‍ଚୀ ମୋ ସ୍କୁଲ ଅଭିଯାନ ସଂପର୍କରେ ଆଲୋକପାତ କରିଥିଲେ । ମୋ ସ୍କୁଲ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଦ୍ୟାଳୟର ପ୍ରକଳ୍ପର ତଦାରଖ ଓ ଡକ୍ୟୁମେଣ୍ଟେସନ ଉପରେ ସେ ଗୁରୁତ୍ୱାରୋପ କରିବା ସହ ପିପିଲି ହାଇସ୍କୁଲର ଶିକ୍ଷାଦାନ ଓ ଭିତ୍ତିଭୂମିକୁ ପରିବର୍ତ୍ତନ କରିବା ଦିଗରେ ବିଶେଷ ସଫଳତା ହାସଲ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ । ନିଜ ବିଦ୍ୟାଳୟକୁ ସହଯୋଗ ଯୋଗାଇ ଦେଇଥିବା ୧୫ଜଣ ପୁରାତନ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ସେ ସଂବର୍ଦ୍ଧିତ କରିବା ସହ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦପତ୍ର ପ୍ରଦାନ କରିଥିଲେ । ପୁରାତନ ଛାତ୍ର ସଂଘର ସଭାପତି ଶଶାଙ୍କ ଶେଖର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ, ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ମହାନ୍ତି, ପିପିଲି ବ୍ଳକ ମଣ୍ଡଳ ଶିକ୍ଷାଧିକାରୀ ବେଣୁଧର ଜାଲି, ସହ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷ୍ମୀପ୍ରିୟା ନାୟକ, ମୋ ସ୍କୁଲ ଅଭିଯାନର ଜୋନାଲ ଅଧିକାରୀ ଶାନ୍ତା ଦାଶ, ପୁରାତନ ଛାତ୍ର ସଂଘର ସଂପାଦକ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ପୁରାତନ ଛାତ୍ରୀ ଗାୟତ୍ରୀ ପ୍ରମାଣିକ, ପ୍ରୀୟବ୍ରତ ସାମନ୍ତରାୟ, ସୁଦେଷ୍ଣା ମିଶ୍ର, ଦିବାକର ଷଡଙ୍ଗୀ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଏହି ମହତ ଯୋଜନା ସଂପର୍କରେ ଆଲୋକପାତ କରିବା ସହ ବିଦ୍ୟାଳୟର ଉନ୍ନତିରେ ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ହାଇସ୍କୁଲର ପୁରାତନ ଛାତ୍ର ସଂଘର ସଂପାଦକ ଶ୍ରୀ ସୁବୁଦ୍ଧି ବିଦ୍ୟାଳୟର ଉନ୍ନତି ପାଇଁ ୧୦ ହଜାର ଟଙ୍କାର ଏକ ଚେକ୍‍ ଶ୍ରୀମତୀ ବାଗ୍‍ଚୀଙ୍କୁ ପ୍ରଦାନ କରିଥିଲେ । ପୁରାତନ ଛାତ୍ର ତଥା ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ବିନୋଦ ପ୍ରମାଣିକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୁରାତନ ଛାତ୍ର ତଥା ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ବିକ୍ରମ ରଥ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ସହିତ ଶ୍ରୀମତୀ ବାଗ୍‍ଚୀ ଆରୁହା ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟ ପରିଦର୍ଶନ କରିଥିଲେ ।

Comments are closed.