ସୁଶାନ୍ତ ସିଂହ ରାଜପୁତ ; ବଲିଉଡର ଅନନ୍ୟ ଅଭିନେତା

ମୁମ୍ବଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସମଗ୍ର ବଲିଉଡ ଜଗତ ସହିତ ସାଧାରଣ ଦର୍ଶକଙ୍କୁ ସ୍ତବ୍ଧ କରିଦେଇଛି। ସୁଶାନ୍ତଙ୍କ ଅଭିନୟ ଯେପରି ଚର୍ଚ୍ଚିତ; ଅଭିନୟ ପ୍ରତି ତାଙ୍କର ମୋହ ମଧ୍ୟ ବେଶ ଚର୍ଚ୍ଚିତ କାହାଣୀ। ବଲିଉଡର ଅନନ୍ୟ ଅଭିନେତା ଅଭିନୟ କ୍ଷେତ୍ରରେ ନିଆରା ଛାପ ଛାଡି ଯାଇଛନ୍ତି। ସୁଶାନ୍ତ ପାଟନାର ସେଣ୍ଟ କାରେନ ହାଇସ୍କୁଲରେ ପାଠପଢା ଆରମ୍ଭ କରିଥିଲେ। ହାଇସ୍କୁଲ ପରୀକ୍ଷା ପାସ ପରେ ସେ ଦିଲ୍ଲୀର କୁଲାଚି ହଂସରାଜ ମଡେଲ ସ୍କୁଲରେ ନାମ ଲେଖାଇଥିଲେ। ଇଞ୍ଜିନିୟରିଂ ପଢିବା ପାଇଁ ସେ ଦେଇଥିବା ୧୧ଟି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏପରିକି ଆଇଏସଏମ୍ ଧାନବାଦ ପାଇଁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ପଦାର୍ଥ ବିଜ୍ଞାନ ଜାତୀୟ ଅଲମ୍ପିଆଡରେ ମଧ୍ୟ ସେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୦୩ରେ ସେ ଦିଲ୍ଲୀ କଲେଜ ଅଫ ଇଞ୍ଜିନିୟରଂି (ଡିସିଇ)ର ପ୍ରବେଶିକା ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୭ମ ସ୍ଥାନ ହାସଲ କରିଥିଲେ। ଡିସିଇର ସେ ମେକାନିକାଲ ବିଭାଗରେ ଡିଗ୍ରୀ ପାଇଁ ନାମ ଲେଖାଇଥିଲେ। ମାତ୍ର ଅଭିନୟ ପ୍ରତି ତାଙ୍କର ମୋହ ଯୋଗୁଁ ଇଞ୍ଜିନିୟରିଂ ପାଠ ପଢା ଚତୁର୍ଥ ବର୍ଷରୁ ଛାଡିଥିଲେ। ପାଠପଢା ସମୟରେ ସେ ବିଭିନ୍ନ ସ୍ଥାନରେ ନାଟକ ଓ ନୃତ୍ୟରେ ଭାଗ ନେଉଥିଲେ। ଇଞ୍ଜିନିୟରିଂ ପାଠପଢା ଛାଡି ସେ ସିଆମକ ଦରବାର ଡ୍ୟାନ୍ସ କ୍ଲାସରେ ଯୋଗ ଦେଇଥିଲେ। ପରେ ସେ ବ୍ୟାରି ଜନ୍ସ ଡ୍ୟାନ୍ସ କ୍ଲାସରେ ଯୋଗ ଦେଇଥିଲେ। ୨୦୦୬ରେ ସେ ଅଷ୍ଟ୍ରେଲିଆରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡାର ଉଦ୍ଘାଟନୀ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ। ଏହି ସମୟରେ ତାଙ୍କ ଇଞ୍ଜିନିୟରିଂ ପରୀକ୍ଷାର କେତେକ ପେପରରେ ଫେଲ ହୋଇଥିଲେ। ସେତେବେଳକୁ ଇଞ୍ଜିନିୟରିଂ ପାଠପଢା ପ୍ରତି ତାଙ୍କର ମୋହ ତୁଟି ଯାଇଥିଲା।