ଆତ୍ମହତ୍ୟା ସପକ୍ଷରେ ମୁମ୍ବଇ ପୁଲିସ!

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ପଛରେ କୌଣସି ରାଜନେତାଙ୍କ ସମ୍ପୃକ୍ତିର ପ୍ରମାଣ ନାହିଁ। ମୁମ୍ବଇ ପୁଲିସର ତଦନ୍ତ ସମୟରେ ରାଜନେତାଙ୍କ ସମ୍ପୃକ୍ତି ସମ୍ପର୍କରେ କୌଣସି ତଥ୍ୟ ମିଳିନାହିଁ। ଏପରିକି କୌଣସି ରାଜନୈତିକ ବ୍ୟକ୍ତି ବିଶେଷ ଏ ସମ୍ପର୍କରେ ପ୍ରମାଣ ଉପସ୍ଥାପନ କରିନାହାନ୍ତି। ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣା ଉପରେ ତଦନ୍ତ ଚଳାଇଥିବା ମୁମ୍ବଇ ପୁଲିସ ସୋମବାର ଗଣମାଧ୍ୟମକୁ ଏପରି ସୂଚନା ଦେଇଛି।

ମୁମ୍ବଇ ପୁଲିସ କମିସନର ପରମବୀର ସିଂହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ କ୍ରମରେ ୫୬ଜଣଙ୍କର ବୟାନ ରେକର୍ଡ କରାଯାଇଛି। କମିସନର ସିଂହ କହିଛନ୍ତି ଯେ ଜୁନ୍ ୧୬ରେ ସୁଶାନ୍ତଙ୍କ ପିତା, ଭଉଣୀ ଓ ଭିଣୋଇଙ୍କ ବୟାନ ରେକର୍ଡ କରାଯାଇଥିଲା। ସେ ସମୟରେ ସେମାନେ ମୁମ୍ବଇ ପୁଲିସର ତଦନ୍ତକୁ ନେଇ କୌଣସି ପ୍ରକାର ସନ୍ଦେହ ପ୍ରକାଶ କରି ନଥିଲେ। ପରବର୍ତ୍ତୀ ସମୟରେ ତଦନ୍ତରେ ସହଯୋଗ ଲାଗି ସୁଶାନ୍ତଙ୍କ ଭଉଣୀମାନଙ୍କୁ ମୁମ୍ବଇ ଡକାଯାଇଥିଲା;ମାତ୍ର ସେମାନେ ମୁମ୍ବଇ ଆସି ନଥିଲେ କି ତଦନ୍ତରେ ସାମିଲ ହୋଇ ନଥିଲେ। ଏବେ ବିହାର ପୁଲିସ ନିକଟରେ ସୁଶାନ୍ତଙ୍କ ପିତା କୃଷ୍ଣକୁମାର ସିଂହ ଅଲଗା ମାମଲା ରୁଜୁ କରିଛନ୍ତି। ମାମଲା ଆଧାରରେ ବିହାର ପୁଲିସ ଏହା ଉପରେ ଅଲଗା ତଦନ୍ତ ଚଳାଇଛି।

ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ପ୍ରତ୍ୟେକଟି ଦିଗ ଯେପରି ବୃତ୍ତିଗତ ଶତ୍ରୁତା, ଅର୍ଥନୈତିକ ହେରଫେର ଓ ସ୍ୱାସ୍ଥ୍ୟଗତ କାରଣ ଭଳି ପ୍ରତ୍ୟେକଟି ଦିଗ ଉପରେ ତଦନ୍ତ କରାଯାଉଛି ବୋଲି କମିସନର ପରମବୀର ସିଂହ କହିଛନ୍ତି। ତଦନ୍ତରୁ ଜଣାଯାଇଛି ଯେ ସୁଶାନ୍ତ ବାଇପୋଲାର ଡିଜଅର୍ଡରରେ ପୀଡିତ ଥିଲେ। ଏଥିପାଇଁ ଔଷଧ ଖାଉଥିଲେ। କମିସନର ସିଂହ କହିଛନ୍ତି ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗଲ ସର୍ଚ୍ଚରେ ‘ପେନଲେସ୍ ଡେଥ’, ‘ସିଞ୍ଜୋଫ୍ରେନିଆ’ ଓ ‘ବାଇପୋଲାର ଡିଜଅର୍ଡର’ ଭଳି ଶବ୍ଦକୁ ଖୋଜିଥିଲେ। ଏ ସବୁ ତଥ୍ୟ ତାଙ୍କ ମୋବାଇଲ ଓ ଲାପଟପ୍ ଯାଞ୍ଚରୁ ଜଣାପଡ଼ିଛି। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ନିଜ ନାମକୁ ମଧ୍ୟ ସେ ଗୁଗଲରେ ସର୍ଚ୍ଚ କରିଥିଲେ। ନିଜର ମ୍ୟାନେଜର ଦିଶା ସାଲିଏନଙ୍କ ମୃତ୍ୟୁ ପରେ ସୁଶାନ୍ତ ମାନସିକ ଭାବେ ଅସ୍ଥିର ହୋଇପଡ଼ିଥିଲେ। ଏଥିପାଇଁ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଦିଶାଙ୍କ ମୃତ୍ୟୁ ସହିତ ତାଙ୍କ ନାମକୁ ଯୋଡାଯାଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ସୁଶାନ୍ତ ଓକିଲଙ୍କ ପରାମର୍ଶ ନେଇଥିଲେ। ତେବେ ବାସ୍ତବରେ କେଉଁ କାରଣରୁ ସୁଶାନ୍ତଙ୍କର ମୃତ୍ୟୁ ହେଲା ତାର ତଦନ୍ତ ଚାଲିଛି।

ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଅର୍ଥ ଆତ୍ମସାତ୍ କରାଯିବା ସମ୍ପର୍କରେ ପରମବୀର କହିଛନ୍ତି ଯେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୮କୋଟି ଟଙ୍କା ଥିଲା। ଏବେ ତାଙ୍କ ଆକାଉଣ୍ଟରେ ୪.୫କୋଟି ଟଙ୍କା ଅଛି। ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ କୌଣସି ଅର୍ଥ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଆକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର ହୋଇ ନଥିବା ତଦନ୍ତରୁ ଜଣାଯାଇଛି। ତଦନ୍ତରେ ସହଯୋଗ ନିମନ୍ତେ ଫରେନସିକ୍ ବିଶେଷଜ୍ଞ ଓ ଡାକ୍ତରଙ୍କୁ ଯୋଗାଯୋଗ କରାଯାଇଛି।

ସୁଶାନ୍ତଙ୍କ ମୃତ୍ୟୁ ସ୍ୱାଭାବିକ ନା ସନ୍ଦେହଜନକ ତାହା ଫରେନସିକ ଯାଞ୍ଚରୁ ଜଣାପଡ଼ିବ। ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଯାଇଥିବା ବିହାର ପୁଲିସକୁ ମୁମ୍ବଇ ପୁଲିସ ସହଯୋଗ କରୁ ନଥିବା ଅଭିଯୋଗକୁ କମିସନର ସିଂହ ଖଣ୍ଡନ କରିଛନ୍ତି। ବିହାର ପୁଲିସକୁ ଅସହଯୋଗ କରିବାର ପ୍ରଶ୍ନ ଉଠୁନାହିଁ। ଏହି ମାମଲାର ତଦନ୍ତ ପାଇଁ ବିହାର ପୁଲିସର କ୍ଷମତା ପରିସରଭୁକ୍ତ କି ନାହିଁ ତା’ର ବିଚାର କରାଯାଇଛି। ଯଦି ଏହି ମାମଲା ବିହାର ପୁଲିସର କ୍ଷମତା ପରିସରଭୁକ୍ତ ଥିବ ତେବେ ସେମାନେ ଏହାର ତଦନ୍ତ କରିବେ। ସିଂହ କହିଛନ୍ତି ଯେ ବିହାର ପୁଲିସ ଏହି ଘଟଣାର ତଦନ୍ତ ମୁମ୍ବଇ ପୁଲିସକୁ ହସ୍ତାନ୍ତର କରିବା ଦରକାର।

Comments are closed.