ଆଶ୍ଚର୍ଯ୍ୟ ନା ଠକେଇ, ଗୋଟିଏ କଲେଜର ୧୦ ଟପ୍ପର୍ସଙ୍କ ମାର୍କ ସମାନ

ଭୋପାଳ: ମଧ୍ୟ ପ୍ରଦେଶର ବ୍ୟାବସାୟିକ ଶିକ୍ଷା ମଣ୍ଡଳ (ବ୍ୟାପମ୍‌) ଦ୍ବାରା ପରିଚାଳିତ କୃଷି ବିକାଶ ଅଧିକାରୀ ପଦ ପାଇଁ ଅନୁଷ୍ଠିତ ପରୀକ୍ଷାରେ ୧୦ ଜଣ ଟପ୍ପର୍ସ ସମାନ ନମ୍ବର ରଖିଛନ୍ତି। କେବଳ ସେତିକି ନୁହେଁ, ସେମାନେ ସମସ୍ତେ ଉତ୍ତର ଖାତାରେ ଗୋଟିଏ ପ୍ରକାର ତ୍ରୁଟି କରିଛନ୍ତି। ଏହି ସମସ୍ତ ପରୀକ୍ଷାର୍ଥୀଙ୍କ ଘର ଚମ୍ବଲ ଅଞ୍ଚଳରେ। ପୂର୍ବରୁ ଏହି ୧୦ ଜଣ ହିଁ ଗୋଟିଏ କଲେଜରୁ ବିଏସସି ପାସ୍‌ କରିଥିଲେ। ରାଜ୍ୟ କୃଷି ବିଭାଗ ଏହାକୁ ଏକ ସଂଯୋଗ ବୋଲି କହୁଥିବାବେଳେ ପରୀକ୍ଷାର୍ଥୀମାନେ ଉକ୍ତ ପରୀକ୍ଷାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି।

ଗତ ଫେବୃଆରୀ ୧୦ ଓ ୧୧ରେ ବ୍ୟାପମ୍‌ ପକ୍ଷରୁ ଉପରୋକ୍ତ ପଦ ପାଇଁ ପରୀକ୍ଷା କରାଯାଇଥିଲା। ୧୭ ତାରିଖରେ ଉତ୍ତର ପତ୍ର ସହ କୃତକାର୍ୟ୍ୟ ପରୀକ୍ଷାର୍ଥୀଙ୍କ ନାମ ତାଲିକା ପ୍ରକାଶ ପାଇଥିଲା। ଆଶ୍ଚର୍ୟ୍ୟର କଥା, ସାଧାରଣ ଜ୍ଞାନ ପ୍ରଶ୍ନପତ୍ରରେ ଟପ୍ପର ହୋଇଥିବା ଉକ୍ତ ୧୦ ଜଣ ସମାନ ମାର୍କ ରଖିଛନ୍ତି। ଓପ୍ପର୍ସଙ୍କ ମଧ୍ୟରୁୁ ଜଣେ ଯେଉଁ ପ୍ରଶ୍ନର ଉତ୍ତର ଭୁଲ କରିଛନ୍ତି ଅନ୍ୟ ୯ ଜଣ ମଧ୍ୟ ଉକ୍ତ ପ୍ରଶ୍ନର ଉତ୍ତର ଭୁଲ ଲେଖିଛନ୍ତି। ଟପ୍ପର୍ସଙ୍କ ମଧ୍ୟରୁ ଜଣକର ଜ୍ଞାନ ଆଦୌ ଭଲ ନୁହେଁ। ସମ୍ପୃକ୍ତ ଛାତ୍ର ଜଣକ ଏହି ପରୀକ୍ଷାର ଗଣିତ ବିଷୟରେ ପୂରା ମାର୍କ ରଖିଛନ୍ତି। ତେବେ ଏହି ଛାତ୍ର ଜଣକ ବିଏସସି ପଢୁଥିବା ସମୟରେ ଗଣିତରେ ୪ ଥର ଫେଲ ହୋଇଥିଲେ ଓ ବିଏସି ଡିଗ୍ରୀ ପୂରା କରିବାକୁ ତାଙ୍କୁ ୮ ବର୍ଷ ସମୟ ଲାଗିଥିଲା। ଏଣୁ ବ୍ୟାପମ୍‌ ଦ୍ବାରା ପରିଚାଳିତ ଉକ୍ତ ପରୀକ୍ଷାରେ ଦୁର୍ନୀତି କରାଯାଇଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ସମସ୍ତ ୧୦ ଜଣ ଟପ୍ପର୍ସ ‘ରୟାଲ ଆଗ୍ରିକଲଚର କଲେଜ’, ଗ୍ବାଲିଅରରେ ପଢୁଥିଲେ। ଅନ୍ୟ ପରୀକ୍ଷାର୍ଥୀମାନେ ପୁନର୍ବାର ପରୀକ୍ଷା କରାଇବା ପାଇଁ ଦାବି କରୁଥିବାବେଳେ ପୁଣିଥରେ ଏହି ପରୀକ୍ଷା ହେବ ନାହିଁ ବୋଲି ବ୍ୟାପମ୍‌ର ଅଧିକାରୀ ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀମାନେ ନିରାଶ ହୋଇ ରାଜ୍ୟ କୃଷି ମନ୍ତ୍ରୀ କମଲ ପଟେଲଙ୍କୁ ଭେଟିଥିଲେ। କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ପରୀକ୍ଷାର୍ଥମାନେ ଆନ୍ଦୋଳନ କରିବେ ବୋଲି କହିଛନ୍ତି।

Comments are closed.