ଖିଣ୍ଡାରେ ସୁରେନ୍ଦ୍ର ସାଏଙ୍କ ୧୩୮ତମ ଶ୍ରାଦ୍ଧ ଦିବସ ; ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସ୍ଥାପିତ ହେବ ସୁରେନ୍ଦ୍ର ସାଏ ଚେୟାର୍

ସୁରେନ୍ଦ୍ର ସାଏଙ୍କ ସାଲିସ ବିହୀନ ସଂଗ୍ରାମ ନିର୍ଭିକତା ଏବଂ ତ୍ୟାଗ ବିଶ୍ୱ ଇତିହାସରେ ବିରଳ

ରେଙ୍ଗାଲି : ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ସାଲିସ ବହୀନ ସଂଗ୍ରାମ, ନିର୍ଭୀକତା, ବୀରତ୍ୱ, ତ୍ୟାଗ ଏବଂ ଦେଶ ପ୍ରେମ ଯୁବପିଢି ପାଇଁ ପ୍ରେରଣାର ଉତ୍ସ। ସ୍ୱାଧିନତା  ପ୍ରାପ୍ତି ପାଇଁ ସାଲିସ ନକରି ଶକ୍ତିଶାଳି ବ୍ରିଟିଶ ସରକାର ବିରୋଧରେ ନିର୍ଭୀକତା ଏବଂ ବୀରତ୍ୱର ସହିତ ଲଢେଇ କରିବା ବିଶ୍ୱ ଇତିହାସରେ ବିରଳ। ଯୁବପିଢି ସୁରେନ୍ଦ୍ର ସାଏଙ୍କ ନୀତି ଆଦର୍ଶ ଯୁବପିଢି ପାଇଁ ପ୍ରେରଣାର ଉତ୍ସ ବୋଲି ଆଜି ଖିଣ୍ଡା ଛକରେ ବୀର ସୁରେନ୍ଦ୍ର ସାଏ ସଚେତନ ନାଗରିକ ସଙ୍ଗଠନ ପକ୍ଷରୁ ଆୟୋଜିତ ହୋଇଥିବା ବୀର ସୁରେନ୍ଦ୍ର ସାଏଙ୍କ ୧୩୮ତମ ଶ୍ରାଦ୍ଧ ସଭାରେ ବକ୍ତାମାନେ ମତ ବ୍ୟକ୍ତ କରିଛନ୍ତି। ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ଦୁର୍ଗାପ୍ରସାଦ ସାହୁଙ୍କ ଅଧ୍ୟକ୍ଷତା ଏବଂ ଗବେଷକ ଡକ୍ଟର ଗୌରୀଦାସ ପ୍ରଧାନଙ୍କ ସଂଯୋଜନାରେ ପରିଚାଳିତ ଏହି ଉତ୍ସରେ କବି ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସୁରେନ୍ଦ୍ର ସାଏଙ୍କୁ ଅସିରଗଡ ଜେଲ୍ ରେ ନିର୍ଯାତନା, ତାଙ୍କର ଶେଷ ଜୀବନ, ଆରାଧ୍ୟ ଦେବୀ ମା’ ସମଲେଇଙ୍କ ସହିତ ସୁରେନ୍ଦ୍ର ସାଏଙ୍କ ସାକ୍ଷାତ ଦର୍ଶନ ଉପରେ ଅଧାରିତ ସ୍ୱରଚିତ କବିତା ପାଠ କରି ସମବେତ ଜନସାଧାରଣଙ୍କୁ ବିମୋହିତ କରିଥିଲେ। ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲ ଉତ୍ସବରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ସୁରେନ୍ଦ୍ର ସାଏଙ୍କ ନାମରେ ଏକ ଚେୟାର୍ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିବା ସହିତ ବିଶ୍ୱ ବିଦ୍ୟାଳୟର ଗ୍ରନ୍ଥାଗାରରେ ସ୍ୱାଧିନତା ଅନ୍ଦୋଳନ ତଥା ଦେଶ ଗଠନରେ ଅବଦାନ ଥିବା ମହାପୁରୁଷ ମାନଙ୍କର ଫଟୋଚିତ୍ର ଲଗାଯିବ ବୋଲି ଘୋଷଣା କରି ସୁରେନ୍ଦ୍ର ସାଏଙ୍କ ଭଳି ସଂଗ୍ରାମୀଙ୍କ ପାଇଁ ଆମେ ଯେତେ କଲେ ବି ତାହା କମ୍ ହେବ ବୋଲି କହିଥିଲେ। ବିଶ୍ୱବିଦ୍ୟାଳୟ ର ଏନ୍.ଏସ୍.ଏସ୍ ୟୁନିଟ୍ ଖିଣ୍ଡା ଅଞ୍ଚଳକୁ ଆସି ବିଭିନ୍ନ ସେବା କାର୍ଯ୍ୟ କରିବ ବୋଲି ପ୍ରଫେସର ମିତ୍ତଲ ଘୋଷାଣା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷାମଣ୍ଡଲାଧିଶ ଭକ୍ତପ୍ରସାଦ ନନ୍ଦ, ସୁରଜମଲ୍ କଳେଜ ର ଅଧ୍ୟକ୍ଷ କବି ଡ. ମନୋଜକୁମାର ପଣ୍ଡା,ସୋସିଅଲ୍ ମିଡିଆ ର ଜଣାଶୁଣା ବ୍ଳଗିଷ୍ଟ୍ ଇପାରି କ୍ରିଷ୍ନା ମୋହନ, ସାମାଜିକ କର୍ମୀ  ପ୍ରଜ୍ଞା ପଟ୍ଟନାୟକ, ଜୁହାର ପରିବାର ର ମୁଖ୍ୟ ପ୍ରତୀଷ ଦାସ, ଜି.ଏମ୍ କଳେଜ ଛାତ୍ର ସଂସଦ ର ପୂର୍ବତନ ସଭାପତି ଦେବେନ୍ଦ୍ର କିଶୋର ପତି,କବି ପ୍ରଶାନ୍ତ ମେହେର,ସିନେ ମା ନିର୍ମାତା ବିଶ୍ୱନାଥ ରଥ,  ଏନ୍.ଏଲ୍.ସିମ୍ମ୍ାନୀ ର ମାନବ ସମ୍ବଳ ବିଭାଗ ମୁଖ୍ୟ ସୁବ୍ର ବିଶ୍ୱାଲ ,ସୁରେନ୍ଦ୍ର ସାଏ ଙ୍କ ବଂଶଜ ଶଶିଭୂଷଣ ସାଏ, ରେଙ୍ଗାଲି ବ୍ଳକ୍ ଉପାଧ୍ୟକ୍ଷ ସତ୍ୟନରାୟଣ ଅଗ୍ରଓାଲା ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ହୋଇ ସୁରେନ୍ଦ୍ର ସାଏ ଙ୍କ ସଂଗ୍ରାମୀ ଜୀବନ ,ତ୍ୟାଗ ଏବଂ ଦେଶ ପ୍ରେମ ଉପରେ ସମବେତ ଜନସାଧାରଣ ଙ୍କୁ ଉଦ୍ବୋଧନ ଦେଇଥିଲେ।  କାର୍ଯ୍ୟକ୍ରମ ରେ ସଙ୍ଗଠନ ର କାର୍ଯ୍ୟକର୍ତ୍ତା ମୋତିଲାଲ୍ ତନ୍ତି ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭା ପ୍ରାରମ୍ଭ ରେ ଜାତୀୟ ସଙ୍ଗୀତ ପରିବେଷଣ କରାଯିବା ପରେ ଖିଣ୍ଡା ର ଜୟ ଜଗନ୍ନାଥ ଭଜନ ମଣ୍ଡଲି ପକ୍ଷରୁ ସୁରେନ୍ଦ୍ର ସାଏ ଙ୍କ ଜୀବଣି ଉପରେ ଆଧାରିତି ସଙ୍ଗୀତ ପରିବେଷଣ କରାଯାଇଥିଲା। ମଞ୍ଚାସୀନ ଅତିଥି ମାନଙ୍କୁ ସଙ୍ଗଠନ ର ସଭାପତି ଯଦୁମଣି ପଟେଲ, ସମ୍ପାଦକ କେଶବ ରୋହିଦାସ,କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ରାଉତ,ସଂଯୋଜକ କେଦାର ପ୍ରଧାନ, ଗୋବିନ୍ଦ ନେଟୀ ପ୍ରମୁଖ ଅଙ୍ଗବସ୍ତ୍ର ଉପଢୌକନ ଦେଇ ସମ୍ବଦ୍ଧ୍ରି୍ରତ କରିଥିଲେ। କାର୍ଯ୍ୟକ୍ରମ ଶେଷ ରେ ସଙ୍ଗଠନ ର ସଭାପତି ଯଦୁମଣୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

ସଭାକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସକାଳ ୧୦ଟାରେ ସଙ୍ଗଠନର ସଭାପତି ଯଦୁମଣୀ ପଟେଲ, ମୁଖ୍ୟ ଉପଦେଷ୍ଟା ଦୁର୍ଗାପ୍ରସାଦ ସାହୁ, ସମ୍ପାଦକ କେଶବ ରୋହିଦାସ ପ୍ରମୁଖଙ୍କ ନେତୃତ୍ୱରେ ସଦସ୍ୟ ମାନେ ମଶାଳ ଶୋଭାଯାତ୍ରାରେ ବାହାରି ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠରୁ ଖିଣ୍ଡା ଛକରେ ଥିବା ପ୍ରତିମୂର୍ତ୍ତି ସ୍ଥଳକୁ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ପଦ୍ମଶ୍ରୀ ହଲଧର ନାଗ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ର  କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ, ଭୂଷଣ ଷ୍ଟିଲ୍ ର ଉପ-ସଭାପତି ଦିନେଶ ଯାଦବ, ଗୋପାଳ ଶର୍ମା, ଯୁବନେତା ଦେବନ ପତି ମୋତିଲାଲ ତନ୍ତି,ଏନ୍ ଏଲ୍.ସି ର ସୁବ୍ତର ବିଶ୍ୱାଲ, ଆଦାନୀ କମ୍ପାନୀର ଉପ-ସଭାପତି ପ୍ରସନ୍ନ କୁମାର ପଣ୍ଡା ପ୍ରମୁଖ ମଶାଳ ଶୋଭାଯାତ୍ରୀ ଙ୍କ ସ୍ୱାଗତ କରି ମଶାଳକୁ ଗ୍ରହଣ କରି ସହିଦ ମଶାଳ ପ୍ରଜ୍ଜଳିତ କରିଥିଲେ। ଏହାପରେ  ଖିଣ୍ଡା ଛକରେ ଥିବା ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ।

ପ୍ରତିବର୍ଷ ସୁରେନ୍ଦ୍ର ସାଏଙ୍କ ଜନ୍ମ ଦିବସ ଜାନୁଆରୀ ୨୩ ତାରିଖକୁ ମହା ଆଡମ୍ବରରେ ପାଳନ କରାଯାଇ ଆସୁଥିବା ବେଳେ ସୁରେନ୍ଦ୍ର ସାଏଙ୍କ ତିରୋଧାନ ଦିବସ ପାଳନ ଅନୁରୂପ ଭାବରେ ପାଳନ କରାଯାଉ ନଥିଲା। ବୀର ସୁରେନ୍ଦ୍ର ସାଏ ସଚେତନ ନାଗରିକ ସଙ୍ଗଠନ ତିରୋଧାନ ଦିବସ କୁ ପ୍ରଥମ ଥର କରି ମହାସମାରୋହରେ ପାଳନ କରିଥିବାରୁ ଜନସାଧାରଣ ରେ ସଙ୍ଗଠନ ର ଏହି କାର୍ଯ୍ୟକୁ ପ୍ରଶଂସା କରଯାଉଛି।

Comments are closed.