ସରିଲା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ; ସବୁ କାମରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜ୍ଞାନକୁ କେବଳ ବିଦ୍ୟାଳୟ ଓ ବହି ମଧ୍ୟରେ ସୀମିତ ରଖ ନାହିଁ। ବର୍ତ୍ତମାନ ପ୍ରତିଯୋଗିତାମୂଳକ ଯୁଗ ହୋଇଥିବାରୁ ନିଜର ଦକ୍ଷତା ଓ ଜ୍ଞାନର ପରିସୀମାକୁ ବୃଦ୍ଧି କରିବାକୁ ପଡ଼ିବ। କ୍ରୀଡ଼ା, ନୃତ୍ୟ, ସଙ୍ଗୀତ, କଳା ଓ ସମାଜସେବା ଭଳି ଯେଉଁ କାମ ତୁମକୁ ଭଲ ଲାଗୁଛି ସେଥିରେ ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ କର ବୋଲି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିର ଉଦ୍‌ଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।
ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବର ଶେଷ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ପିଲାମାନେ ସୁରଭି କାର୍ଯ୍ୟକ୍ରମ ତୁମମାନଙ୍କୁ ଏକାଠି କରିଛି। ଏଠାରୁ ତୁମେ ଏକ ନିଆରା ଅଭିଜ୍ଞତା ନେଇ ବିଦ୍ୟାଳୟକୁ ଫେରିବ। ଜୀବନରେ ସମସ୍ୟା ରହିବ, କିନ୍ତୁ ତାକୁ ସାହସର ସହ ମୁକାବିଲା କର। ସତ୍‌ଶିକ୍ଷା ଜୀବନରେ ଆହ୍ବାନକୁ ସାମ୍ନା କରିବାକୁ ଶକ୍ତି ଯୋଗାଏ। ଆତ୍ମବିଶ୍ବାସକୁ ନେଇ ଆଗକୁ ବଢ଼ିବା ସହ ସକାରାତ୍ମକ ମନୋଭାବ ନେଇ କାମ କର। ଏଭଳି କାମ କରିବା ଦ୍ବାରା ସଫଳତା ପ୍ରାପ୍ତି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଶିକ୍ଷାର କୌଣସି ବିକଳ୍ପ ନାହିଁ। ସବୁ ଦିନ ବିଦ୍ୟାଳୟ ଯିବା ସହ ପାଠପଢ଼ା ଜାରି ରଖ। ଅନ୍ୟ ପିଲାଙ୍କୁ ମଧ୍ୟ ବିଦ୍ୟାଳୟ ଆସିବାକୁ ଉତ୍ସାହିତ କର ବୋଲି ସମାରୋହରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବିଦ୍ୟାର୍ଥୀଙ୍କ ଦ୍ବାରା ଖୋଲାଯାଇଥିବା ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହ ନିଜେ ରଙ୍ଗତୂଳୀ ଧରି ଚିତ୍ର ଆଙ୍କିଥିଲେ ମୁଖ୍ୟମନ୍ତ୍ରୀ। ବିଭାଗୀୟ ସଚିବ ଚିତ୍ରା ଅରମୁଗମ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ ଭାରତରେ ଶିକ୍ଷା କ୍ଷେତ୍ରରେ ସର୍ବାଧିକ ଅର୍ଥ ଖର୍ଚ୍ଚ କରୁଥିବା ରାଜ୍ୟ ହେଉଛି ଓଡ଼ିଶା। ପୂର୍ବରୁ ନୀତି ଆୟୋଗରେ ଗଣଶିକ୍ଷା ବିଭାଗର ସ୍ଥାନ ଭାରତରେ ୧୩ ତମ ସ୍ଥାନରେ ଥିବାବେଳେ ଚଳିତ ବର୍ଷ ସପ୍ତମ ସ୍ଥାନରେ ପହଞ୍ଚିଛି। ଆଗାମୀ ଦିନରେ ଭାରତରେ ଶିକ୍ଷାରେ ଓଡ଼ିଶା ପ୍ରଥମରୁ ତୃତୀୟ ନମ୍ବର ସ୍ଥାନ ହାସଲ କରିବା ପାଇଁ ଆମେ ପ୍ରଚେଷ୍ଟା ଜାରି ରଖିଛୁ। ଓଡ଼ିଶାକୁ ଶିକ୍ଷାର ହବ୍‌ ପାଇଁ ପ୍ରୟାସ କରାଯାଉଛି। ପୂର୍ବରୁ ଆମ ରାଜ୍ୟର ପିଲା ବାହାରକୁ ଯାଇଥିଲେ ଏବେ ଓଡ଼ିଶାକୁ ଅନ୍ୟ ରାଜ୍ୟରୁ ବିଦ୍ୟାର୍ଥୀ ଆସୁଛନ୍ତି ବୋଲି ସେ କହିଥିଲେ। ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୁରଭି କାର୍ଯ୍ୟକ୍ରମର ଉପାଦେୟତା ସଂକ୍ରାନ୍ତରେ ଆଲୋକପାତ କରିଥିଲେ। ଅତିଥିମାନେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ। ବିଦ୍ୟାର୍ଥୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ କାର୍ଯ୍ୟକ୍ରମର ସଫଳତାକୁ ନେଇ ଧନ୍ୟବାଦ ପ୍ରଦାନ କରିଥିଲେ।

ସୁରଭି ଦ୍ବିତୀୟ ସନ୍ଧ୍ୟାରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ପତାଣ୍ଡ ଏକମାତ୍ର ସ୍କୁଲ ଭାବେ ରାଜ୍ୟସ୍ତରୀୟ ‘ଓଡ଼ିଶା ସ୍ବଚ୍ଛ ବିଦ୍ୟାଳୟ-୨୦୧୯’ ପୁରସ୍କାର ଲାଭ କରିଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଦ୍ୟାଳୟର ଏହି ସଫଳତା ପାଇଁ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ବିଦ୍ୟାଳୟର ସମସ୍ତଙ୍କ କର୍ମକର୍ତ୍ତା ବାଚସ୍ପତିଙ୍କୁ ଭେଟିଥିଲେ। ଆଗାମୀ ଦିନରେ ସ୍ବଚ୍ଛତା ଧାରା ବଜାୟ ରଖିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ବାଚସ୍ପତି। ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ବେହେରା, ଶିକ୍ଷକ ସନାତନ ପଟ୍ଟନାୟକ, ସାବନା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.