ସୁରତ ସଡ଼କ ଦୁର୍ଘଟଣା, ଗୋଟିଏ ଗାଁର ୨ ଭାଇ ସମେତ ୩ ମୃତ

ପୋଲସରା: ଗୁଜରାଟର ସୁରତ ସହରରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡାଶାସନ ଗ୍ରାମର ୩ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରର ୨ ଭାଇ ରହିଛନ୍ତି। ସୂଚନା ଅନୁଯାୟୀ ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଘୋଡ଼ା ସାହି ନିବାସୀ ରମା ଜେନା ନିଜର ଦୁଇ ପୁଅ ଟୁକୁନା ଓ ସିଲୁ ଜେନା ସହିତ ଗତମାସ ୧୦ ତାରିଖରେ ଗୁଜରାଟର ସୁରତ ସହରକୁ ଯାଇଥିଲେ। ସେଠାରେ ପ୍ରାୟ ଏକ ମାସ ରହିବା ପରେ ମଙ୍ଗଳବାର ନିଜ ଗ୍ରାମକୁ ଫେରିବା ପାଇଁ ଗୋଟିଏ ଅଟୋରିକ୍ସାରେ ଦୁଇ ପୁଅ ସହିତ ରେଳ ଷ୍ଟେସନକୁ ଆସିବା ସମୟରେ ରାସ୍ତା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ବଡପୁଅ ଟୁକୁନା (୩୫)ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସାନପୁଅ ସିଲୁ ଜେନା (୩୦)ର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଛି।

ଦୁଇ ରୋଜଗାରିଆ ପୁଅଙ୍କ ଆକସ୍ମିକ ମୃତ୍ୟୁ ପରେ ପରିବାର ସମ୍ପୂର୍ଣ୍ଣ ନିଃସ୍ୱ ହୋଇ ଯାଇଛନ୍ତି। ସେହିପରି ଚିରିକିପଡାଶାସନ ଗ୍ରାମର କଣିତୋଟା ସାହି ବାସିନ୍ଦା ସନ୍ତୋଷ ବେହେରା (୪୦ ବର୍ଷ) ଚଳିତ ମାସ ୧୦ ତାରିଖରେ ସୁରତରୁ ନିଜ ଗ୍ରାମକୁ ଆସିବା ପାଇଁ ଅଟୋରିକ୍ସାରେ ଷ୍ଟେସନକୁ ଯିବା ସମୟରେ ତାଙ୍କର ମଧ୍ୟ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ତିନିଟି ଯାକ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ବର୍ତ୍ତମାନ ସେମାନଙ୍କ ଅନ୍ତେ ପରିବାର ଚଳିବା ଅତ୍ୟନ୍ତ କଷ୍ଟକର ହୋଇ ପଡିଛି। ଉଭୟ ଗୁଜୁରାଟ ଓ ଓଡିଶା ସରକାର ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.