ଧରାକୋଟ ଓ ଶେରଗଡ଼ ଆଦର୍ଶ ବିଦ୍ୟାଳୟରେ ସୁରତ ଫେରନ୍ତା ‘ସଙ୍ଗରୋଧ’

ଭୁବନେଶ୍ବର (ବ୍ୟୁରୋ):   ପ୍ରବାସୀ ଓଡିଆଙ୍କୁ ନେଇ ଆସିଥିବା ୪ଟି ବସ୍ ଗତକାଲି ରାତିରେ ଗଞ୍ଜାମ ପହଞ୍ଚିବା ପରେ ସମସ୍ତଙ୍କୁ ସଙ୍ଗରୋଧରେ ପଠାଇ ଦିଆଯାଇଛି । ପ୍ରଥମେ ବସଗୁଡ଼ିକୁ ଡ଼ାକ୍ତରୀ ଯାଞ୍ଚସ୍ଥଳକୁ ଅଣାଯାଇ ସୁରତ ଫେରନ୍ତାଙ୍କ ସ୍କ୍ରିନିଂ କରାଯାଇଥିଲା ଏବଂ ଏହାପରେ ସେମାନଙ୍କୁ ଆଦର୍ଶ ବିଦ୍ୟାଳୟ ପରିସରରେ ଥିବା ସଙ୍ଗରୋଧ ଗୃହକୁ ନିଆଯାଇଥିଲା। ଏଠାରେ ସେମାନେ ୧୪ ଦିନ ସଙ୍ଗରୋଧ ହୋଇ ରହିବେ ।

 

ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ଶ୍ରମିକଙ୍କ ନିମନ୍ତେ କଡ଼ା ସୁରକ୍ଷା କରାଯାଇଛି । କେବଳ ସ୍ବାସ୍ଥ୍ୟ କର୍ମୀଙ୍କ ଭିନ୍ନ ଅନ୍ୟମାନେ ସେମାନଙ୍କୁ ଭେଟିବା ଓ ସେମାନେ ଅନ୍ୟ କାହାରି ସହ ମିଶିବା ଉପରେ କଟକଣା କରାଯାଇଛି । ଶ୍ରମିକମାନଙ୍କୁ ଏଠାରେ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯାଇଛି । ସକାଳେ, ମଧ୍ୟାହ୍ନ ଓ ରାତିରେ ଖାଦ୍ୟ ସହ ସନ୍ଧ୍ୟାରେ ଚା ଦେବାର ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ଶ୍ରମିକଙ୍କ ପାଇଁ ସରକାର ଦୈନିକ ଖାଦ୍ୟ ବାବଦରେ ୧୨୦ ଟଙ୍କା ମଞ୍ଜୁର କରିଛନ୍ତି । ଏହାବ୍ୟତୀତ ବିଶୋଧନ ସାମଗ୍ରୀ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି ।  ଶେରଗଡ ଆଦର୍ଶ ବିଦ୍ୟାଳୟରେ ୨୫ଟି କୋଠରୀରେ ୧୧୪ ଜଣଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି । ୬ ଜଣ ମହିଳାଙ୍କ ପାଇଁ ଅଲଗା କୋଠରୀ ବ୍ୟବସ୍ଥା କରାଯାଇଛି । ଧରାକୋଟ ବ୍ଲକ ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ର ନିବାସରେ ସୁରତଫେରନ୍ତା ଅବଶିଷ୍ଟ ପ୍ରବାସୀଙ୍କୁ ରଖାଯାଇଛି।

Comments are closed.