ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ- ଅଭିଯୁକ୍ତ କିଏ ଓ କାହା ବିରୁଦ୍ଧରେ ଏତଲା ଦିଆଯାଇଛି ସ୍ଥିତିପତ୍ର ଦାଖଲ କର

ସୁପ୍ରିମକୋର୍ଟରେ ଲଖିମପୁର ଖେରି ମାମଲା

ଲଖିମପୁର ଖେରି: ଲଖିମପୁର ଖେରିରେ ଘଟିଥିବା ହିଂସାତ୍ମକ ଘଟଣାରେ ସୁପ୍ରିମକୋର୍ଟ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରିବା ସହିତ ଗୁରୁବାର ଦିନ ଏହି ମାମଲାର ଶୁଣାଣି କରିଛନ୍ତି । ଅକ୍ଟୋବର ୩ ତାରିଖରେ ସେଠାରେ ଘଟିଥିବା ଘଟଣାରେ ୮ ଜଣଙ୍କର ପ୍ରାଣହାନି ଘଟିଥିଲା । ଶୁଣାଣି ସମୟରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ଏହି ଘଟଣାରେ ଅଭିଯୁକ୍ତ କିଏ ଏବଂ କାହା ବିରୁଦ୍ଧରେ ଏତଲା ଦିଆଯାଇଛି ସେ ସମ୍ପର୍କିତ ସ୍ଥିତି ପତ୍ର ଦାଖଲ କରିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଶୁକ୍ରବାରକୁ ଧାର୍ଯ୍ୟ କରାଯାଇଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି ଯେ ଏହି ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଗଠନ କରାଯିବା ସହିତ ଉତ୍ତର ପ୍ରଦେଶ ରାଜ୍ୟପାଳ ରାଜ୍ୟ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଜଣିକିଆ ତଦନ୍ତ ଆୟୁକ୍ତ ନିଯୁକ୍ତ କରିଛନ୍ତି । ଆୟୁକ୍ତଙ୍କର ମୁଖ୍ୟ ଦପ୍ତର ଲଖିମପୁର ଖେରିଠାରେ ଅବସ୍ଥିତ ହେବ ଏବଂ ସେ ଦୁଇମାସ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି ।

Comments are closed.