ଅଯୋଧ୍ୟା ରାୟର ପୁନର୍ବିଚାର ହେବନି, ସବୁ ପକ୍ଷର ସମୀକ୍ଷା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଯୋଧ୍ୟା ରାୟର ପୁନଃବିଚାର ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସମସ୍ତ ଆବେଦନ ଖାରଜ ହୋଇଯାଇଛି। ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହି ଆବେଦନଗୁଡ଼ିକୁ ଖାରଜ କରିଦେଇଛନ୍ତି। ଅଯୋଧ୍ୟା ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୧୮ଟି ରିଭ୍ୟୁ ପିଟିସନ ଦାଖଲ ହୋଇଥିଲା। ଗୁରୁବାର ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ପୁନଃବିଚାର ମାମଲାର ଶୁଣାଣି କରି ସମସ୍ତ ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ, ଗତ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ମାମଲାର ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ କରିଥିଲେ। ଖଣ୍ଡପୀଠ ବିବାଦୀୟ ସ୍ଥଳକୁ  ହିନ୍ଦୁ ପକ୍ଷଙ୍କୁ ଦେବା ସହିତ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ମସଜିଦ ନିର୍ମାଣ ଲାଗି ଅଯୋଧ୍ୟା ଭିତରେ ୫ ଏକର ଜାଗା ଯୋଗାଇଦେବାକୁ କେନ୍ଦ୍ର ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହି ରାୟକୁ ବିରୋଧ କରି ହିନ୍ଦୁ ମହାସଭା ଓ ଜାମିୟତ ଉଲେମା-ଏ-ହିନ୍ଦ ପକ୍ଷରୁ ସମୀକ୍ଷା ଆବେଦନ ଦାଖଲ କରାଯାଇଛି । ସୁପ୍ରିମକୋର୍ଟ ମୁସଲିମ ପକ୍ଷଙ୍କୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜାଗା ଯୋଗାଇଦେବାକୁ ସରକାରଙ୍କୁ ନିର୍ଦେଶ ଦେଇଥିବାବେଳେ ଅଖିଳ ଭାରତ ହିନ୍ଦୁ ମହାସଭା ଏହାକୁ ଚ୍ୟାଲେଞ୍ଜ କରି ରିଭ୍ୟୁ ପିଟିଶନ ଦାଖଲ କରିଥିଲା । ହିନ୍ଦୁ ମହାସଭା ପକ୍ଷରୁ ବିଷ୍ଣୁ ଶଙ୍କର ଜୈନ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିଶନ ଦାଖଲ କରିଥିଲେ।

Comments are closed.