ମାଗଣା ସଂସ୍କୃତି ଯୋଗୁ ଅର୍ଥନୀତି ରସାତଳଗାମୀ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଘୋଷଣା କରାଯାଉଥିବା ବିଭିନ୍ନ ମାଗଣା ଯୋଜନାକୁ ନେଇ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ରାଜନୈତିକ ଦଳଗୁଡିକର ବିଭିନ୍ନ ମାଗଣା ବ୍ୟବସ୍ଥା ଦେଶର ଅର୍ଥନୀତିକୁ ରସାତଳଗାମୀ କରୁଛି। ଆଉ ଏପରି ମାଗଣା ସଂସ୍କୃତିକୁ ବନ୍ଦ କରାଯିବା ଜରୁରୀ। ଶୀର୍ଷ ଅଦାଲତ କହିଛନ୍ତି ଯେ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଓ ମାଗଣା ସଂସ୍କୃତି ମଧ୍ୟରେ ଉତ୍ତମ ସମନ୍ବୟ ରହିବା ଜରୁରୀ। ଭିତ୍ତିଭୂମି ବିକାଶ ଦିଗରେ ସମସ୍ତ ଅର୍ଥ ଖର୍ଚ୍ଚ ହେବା ଦରକାର। ଓକିଲ ଅଶ୍ବିନୀ ଉପାଧ୍ୟାୟଙ୍କ ପକ୍ଷରୁ ଦାୟର ଏକ ଜନସ୍ବାର୍ଥ ମାମଲାର ଶୁଣାଣି କାଳରେ ପ୍ରଧାନ ବିଚାରପତି ଏନଭି ରମଣାଙ୍କ ନେତୃତ୍ବ ସୁପ୍ରିମକୋର୍ଟଙ୍କ ପୀଠ ଏପରି ମତବ୍ୟକ୍ତ କରିଛନ୍ତି।

ପ୍ରଧାନ ବିଚାରପତି ରମଣା କହିଛନ୍ତି ଯେ ମାଗଣା ସଂସ୍କୃତି ଏକ ବଡ ସମସ୍ୟା। ମାତ୍ର କେହି ଏହାକୁ ସମସ୍ୟା ବୋଲି ବିବେଚନା କରୁ ନାହାନ୍ତି। ଯେଉଁମାନେ ମାଗଣା ଜିନିଷ ପାଉଛନ୍ତି ସେମାନେ କହୁଛନ୍ତି ଯେ ଆମ ରାଜ୍ୟ ଏକ ଜନମଙ୍ଗଳକାରୀ ରାଜ୍ୟ। ଯେଉଁ ଅଳ୍କ କିଛି ଲୋକଙ୍କ ଟିକସରେ ଏହି ମାଗଣା ବ୍ୟବସ୍ଥା ଚାଲିଛି ସେମା​‌ନେ କହୁଛନ୍ତି ଏହା ବନ୍ଦ ହେଉ। ଟିକସ ଦେଉଥିବା ଲୋକ କହୁଛନ୍ତି ସେମାନଙ୍କ ଅର୍ଥ ଦେଶର ଭିତ୍ତିଭୂମି ବିକାଶରେ ବିନିଯୋଗ ହେଉ। ଉଭୟ ପକ୍ଷଙ୍କୁ ଶୁଣିବା ନିମନ୍ତେ ଏକ କମିଟି ଗଠନ କରାଯିବା ଦରକାର। ପ୍ରଧାନ ବିଚାରପତି କହିଛନ୍ତି ଯେ ଭାରତ ଏକ ଗରିବ ରାଷ୍ଟ୍ର। ଏଠାରେ ରହୁଥିବା ଗରିବଙ୍କ ମୁହଁରେ ଆହାର ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ଯୋଜନା କରିଛନ୍ତି। ନିର୍ବାଚନ ସମୟରେ ଭୋଟରଙ୍କୁ ଆପଣାଇବା ପାଇଁ ରାଜନୈତିକ ଦଳଗୁଡିକ ଘୋଷଣା କରୁଥିବା ବିଭିନ୍ନ ମାଗଣା ଯୋଜନାକୁ ବନ୍ଦ କରିବା ଲାଗି ଉପାଧ୍ୟାକ୍ଷ ତାଙ୍କ ଆବେଦନରେ ନିବେଦନ କରିଛନ୍ତି। ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଘୋଷଣା କରୁଥିବା ଇସ୍ତାହାରକୁ ନିୟନ୍ତ୍ରଣ କରିବା ଓ ଏଥିପାଇଁ ରାଜନୈତିକ ଦଳଗୁଡିକୁ ଉତ୍ତରଦାୟୀ କରାଯିବାକୁ ଉପାଧ୍ୟାୟ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି। ଅଗଷ୍ଟ ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ସଲିସିଟର ଜେନେରାଲ କହିଛନ୍ତି ଯେ ରାଜନୈତିକ ଦଳଗୁଡିକ ପକ୍ଷରୁ ମାଗଣା ଯୋଜନା ଘୋଷଣା ଜାରି ରହିଲେ ଦେଶର ଅର୍ଥନୀତି ଧ୍ବଂସ ହୋଇଯିବ। ସରକାର ଏ ପ୍ରସଙ୍ଗରେ ନୂଆ ନିୟମ ପ୍ରଣୟନ କରିବା ପର୍ଯ୍ୟନ୍ତ ଅଦାଲତ ମାଗଣା ଯୋଜନା ଘୋଷଣା ଉପରେ ହସ୍ତକ୍ଷେପ କରିବା ଦରକାର। ତେବେ ଏହି ପ୍ରସଙ୍ଗରେ ପକ୍ଷଭୁକ୍ତ ହେବାକୁ ନିର୍ବାଚନ ଆୟୋଗ (ଇସି) ମନା କରିଛନ୍ତି। ମାଗଣା ସଂସ୍କୃତି ଉପରେ ତର୍ଜମା ନିମନ୍ତେ ବିଶେଷଜ୍ଞ କମିଟି ଗଠନ କରାଯିବା ପ୍ରସ୍ତାବ ସ୍ବାଗତଯୋଗ୍ୟ। ମାତ୍ର ଏକ ସାମ୍ବିଧାନିକ କର୍ତ୍ତୃପକ୍ଷ ଭାବେ ଇସି ଏଥିରେ ସାମିଲ ହେବା ଠିକ୍ ନୁହେଁ। ସରକାରୀ ସଂସ୍ଥା ଏଥିରେ ସାମିଲ ହୋଇ ଆଲୋଚନା କରିବା ଠିକ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମାଗଣା ସଂସ୍କୃତି ଯୋଗୁଁ ଦେଶ ଆତ୍ମନିର୍ଭଶୀଳ ହେବାରେ ପ୍ରତିବନ୍ଧକ ହେଉଛି। ରାଜନୈତିକ ସ୍ବାର୍ଥ ସାଧନ ନିମନ୍ତେ ଘୋଷଣା ହେଉଥିବା ମାଗଣା ବ୍ୟବସ୍ଥା ଟିକସ ଦାତାଙ୍କ ଉପରେ ବୋଝ ବଢାଉଛି। ଦେଶର ନୂଆ ବୈଷୟିକ କ୍ଷେତ୍ରରେ ପୁଞ୍ଜିନିବେଶ ହୋଇପାରୁ ନାହିଁ। ବୁଧବାର ୨ଜି ଇଥାନଲ ପ୍ଲାଣ୍ଟକୁ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏପରି କହିଥିଲେ।

Comments are closed.