ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ଫି’ ଛାଡ଼କୁ ଆଇସିଏସ୍‌ଇ ସ୍କୁଲ ଆସୋସିଏସନର ବିରୋଧ

ନୂଆଦିଲ୍ଲୀ : କୋଭିଡ଼-୧୯କାଳରେ ଘରୋଇ ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ବିରୋଧରେ ଆସୋସିଏସନ ଅଫ୍‌ ଓଡ଼ିଶା ଆଇସିଏସଇ ସ୍କୁଲ୍‌ଦ୍ୱାରା ଆଗତ ଏସଏଲପିର ଶୁଣାଣି କରି ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ବିଚାରପତି ଏଏମ ଖାଣ୍ଡିଲକର ଓ ବିଚାରପତି ଦିନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଓଡ଼ିଶା ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୭କୁ ଧାର୍ଯ୍ୟ ହୋଇଛି। ଆଜି ଶୁଣାଣିରେ ଆସୋସିଏସନ ଓକିଲ ଭି ମୋହନା ଦର୍ଶାଇଥିଲେ ଯେ ଘରୋଇ ବିଦ୍ୟାଳୟ ଫି’ ନିର୍ଦ୍ଧାରଣ କରିବା କ୍ଷମତା ଓଡ଼ିଶା ସରକାରଙ୍କ ନାହିଁ। ୨୦୧୪ରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶମତେ ପୂର୍ବତନ ହାଇକୋର୍ଟ ବିଚାରପତି କେପି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଫି’ ଷ୍ଟ୍ରକ୍‍ଚର କମିଟି ରିପୋର୍ଟ ଆଧାରରେ ଅଣଅନୁଦାନପ୍ରାପ୍ତ ଘରୋଇ ବିଦ୍ୟାଳୟର ଫି’ ନିର୍ଦ୍ଧାରଣ ହେଉଛି। ଗତ ୧୯ ଜାନୁଆରୀ ୨୦୨୧ରେ ଘରୋଇ ବିଦ୍ୟାଳୟ ଫି’ ନିର୍ଦ୍ଧାରଣ ବାବଦରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜାରି ବିଜ୍ଞପ୍ତିଦ୍ୱାରା ରାଜ୍ୟର ୧୦୫ଟି ଘରୋଇ ଅଣଅନୁଦାନପ୍ରାପ୍ତ ଆଇସିଏସଇ ବିଦ୍ୟାଳୟ ବିଶେଷ କରି ୫୦ଟି ସଂଖ୍ୟାଲଘୁ ଆଇସିଏସଇ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛନ୍ତି। ଓଡ଼ିଶା ହାଇକୋର୍ଟ ରିଟ୍‌ ସଂଖ୍ୟା ୨୯୧୮/୨୦୨୧ର ଚୂଡ଼ାନ୍ତ ବିଚାର ବେଳେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଦ୍ୱାରା ଜାରି ୧୯ ଜାନୁଆରୀ ୨୦୨୧ ବିଜ୍ଞପ୍ତି ଏବଂ ୧୦ ସେପ୍‍ଟେମ୍ବର ୨୦୨୦ ଏମଓୟୁର ଆଇନଗତ ବୈଧତାକୁ ବିଚାରକୁ ନେଇ ନାହାନ୍ତି। ଫି’ ହ୍ରାସ ସଂକ୍ରାନ୍ତରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଦ୍ୱାରା ୧୦ ସେପେ୍‍ଟେମ୍ବର ୨୦୨୦ରେ ଆହୁତ ବୈଠକରେ ଆସୋସିଏସନକୁ ନିଜର ପକ୍ଷ ରଖିବାକୁ କୌଣସି ସୁଯୋଗ ଦିଆଯାଇ ନଥିଲା। ଓଡ଼ିଶା ଶିକ୍ଷା ଆଇନ ୧୯୬୯ରେ ଘରୋଇ ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଫି’ ନିର୍ଦ୍ଧାରଣ ଲାଗି କୌଣସି ବ୍ୟବସ୍ଥା ନଥିବା ବେଳେ ଫି’ ନିର୍ଦ୍ଧାରଣ ଲାଗି ୧୦ ସେପ୍‍ଟେମ୍ବର ୨୦୨୦ର ଏମଓୟୁ ଆଦୌ ଆଇନ ସମ୍ମତ ନୁହେଁ। ଓଡ଼ିଶା ଶିକ୍ଷା ଆଇନ ୧୯୬୯ ଅନୁଯାୟୀ ରାଜ୍ୟ ସରକାରଙ୍କ ଫି’ ନିର୍ଦ୍ଧାରଣ ବାବଦରେ କୌଣସି ଅଧିକାର ନାହିଁ ବୋଲି ହାଇକୋର୍ଟରେ ସତ୍ୟପାଠ ଜରିଆରେ ଖୋଦ୍‍ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାନିଛି ବୋଲି ଆଡ଼ଭୋକେଟ ମୋହନା କୋର୍ଟଙ୍କୁ ଜଣାଇଥିଲେ। ସୁପ୍ରିମକୋର୍ଟରେ ଆସୋସିଏସନ ଅଫ ଓଡ଼ିଶା ଆଇସିଏସଇ ସ୍କୁଲ ତରଫରୁ ଆଡ଼ଭୋକେଟ ଶୁଭେନ୍ଦୁ ଶୁଭାଶିଷ ଦାଶ ଓ ଶ୍ୱାତୀ ବୈଭବ ମାମଲା ପରିଚାଳନା କରୁଛନ୍ତି।

Comments are closed.