ଦିଲ୍ଲୀ ହିଂସା ପାଇଁ ପୁଲିସ ଦାୟୀ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ହିଂସାଜନିତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି। ବୁଧବାର ଡାକ୍ତରଖାନାରେ ଚିକିତ୍ସାଧୀନ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ୨୬ତାରିଖରେ ଜଣେ ଆଇବି (ଗୁଇନ୍ଦା) ବିଭାଗ ଅଧିକାରୀଙ୍କ ମୃତଦେହ ଚାନ୍ଦବାଗ୍‌ସ୍ଥିତ ନଳାରୁ ଉଦ୍ଧାର ହୋଇଛି। ଏହି ଘଟଣାରେ ମୋଟ ୧୮ ଏତଲା ଦାୟର ହୋଇଥିବାବେଳେ ୧୧୬ଜଣଙ୍କୁ ଗିରଫ କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରଭାବିତ ସ୍ଥାନ ପରିଦର୍ଶନ କରିଛନ୍ତି। ସେ ମଉଜପୁର ଓ ଜାଫରାବାଦଠାରେ ବିଭିନ୍ନ ବର୍ଗର ଜନତାଙ୍କ ସହିତ ଆଲୋଚନା କରିଛନ୍ତି। ଲୋକଙ୍କୁ ସୁରକ୍ଷା ପ୍ରଦାନ ସମ୍ପର୍କରେ ଆଶ୍ବସ୍ତି ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଏଥିପାଇଁ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି। ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ​ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ପୁଲିସ ଉପରେ ଭରସା ରଖିବା ସହ ଶାନ୍ତି ବଜାୟ ରଖିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି। ଲୋକଙ୍କ ମଧ୍ୟରେ ବିବାଦ ନାହିଁ; କିଛି ଅସାମାଜିକ ବ୍ୟକ୍ତି ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ସେ ସ୍ଥାନୀୟ ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଡୋଭାଲ ଗଣମାଧ୍ୟମକୁ କହିଛନ୍ତି। ଏ ନେଇ ସେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଅବଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟରରେ ଶାନ୍ତି ଓ ସଦ୍‌ଭାବ ରକ୍ଷା ପାଇଁ ଜନତାଙ୍କୁ ନିବେଦନ କରିଛନ୍ତି।
ସୁପ୍ରିମକୋର୍ଟ ଏହି ଘଟଣାରେ ଦିଲ୍ଲୀ ପୁଲିସକୁ ଭର୍ତ୍ସନା କରିଛନ୍ତି। ପୁଲିସର ସ୍ବାଧୀନତା, ପେସାଦାର ମନୋବୃତ୍ତି ଓ କର୍ତ୍ତବ୍ୟ ପ୍ରତି ପ୍ରଶ୍ନ ଉଠାଇଛନ୍ତି। ପ୍ରଥମରୁ ପୁଲିସ ଆଇନାନୁଯାୟୀ ପଦକ୍ଷେପ ନେଇଥିଲେ ପରିସ୍ଥିତି ଏତେ ଗୁରୁତର ହୋଇ ନ ଥା’ନ୍ତା ବୋଲି ବିଚାରପତି କେ.ଏମ୍‌ ଯୋଶେଫ ଓ ବିଚାରପତି ଏସ୍‌.କେ କାଉଲ କହିଛନ୍ତି। ଏଥିସହିତ ପୁଲିସ କାହିଁକି ହିଂସାକୁ ଉସୁକାଇଥିବା ଲୋକଙ୍କୁ ଛାଡ଼ିଦେଲା ଏବଂ ଆଉ କେତେ ଲୋକଙ୍କ ମୃତ୍ୟୁ ହେଲେ ଓ କେତେ ଘର ପୋଡ଼ାଗଲେ ପୁଲିସ ଏତଲା ରୁଜୁ କରିବ ବୋଲି ପ୍ରଶ୍ନ କରିଛନ୍ତି। ଇଂଲଣ୍ଡର ଦୃଷ୍ଟାନ୍ତ ଦେଇ ବିଚାରପତି ଯୋଶେଫ କହିଛନ୍ତି ଯେ ସେଠାରେ କେହି ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେଲେ ଉପର ମହଲର ନିର୍ଦେଶକୁ ଅପେକ୍ଷା ନ କରି ତୁରନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ; କିନ୍ତୁ ଦିଲ୍ଲୀ ପୁଲିସ ସେଭଳି ଲୋକଙ୍କୁ ଛାଡ଼ିଦେଇ କର୍ତ୍ତବ୍ୟରେ ଢ଼ିଲା କରିଛି। ଏହି ପରିପ୍ରେକ୍ଷୀରେ ସାହିନବାଗ୍‌ ବିକ୍ଷୋଭ ସମ୍ପର୍କିତ ମାମଲାର ଶୁଣାଣିକୁ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ସାହିନବାଗ୍‌ ବିକ୍ଷୋଭ ବାବଦରେ ଆମ ପଦକ୍ଷେପରୁ କିଛି ସୁଫଳ ମିଳି ନାହିଁ। ସାମ୍ପ୍ରତିକ ପରିସ୍ଥିତି ସାହିନବାଗ୍‌ ସମ୍ପର୍କରେ ଶୁଣାଣି ପାଇଁ ଉପଯୁକ୍ତ ନୁହେଁ। ପ୍ରଶାସନକୁ ତା’ କାମ କରିବାକୁ ଦିଆଯାଉ। ପରିସ୍ଥିତି ଶାନ୍ତ ପଡ଼ିବା ଯାଏ ଅପେକ୍ଷା କରିବାକୁ ହେବ ବୋଲି ବିଚାରପତି ମତ ଦେଇଛନ୍ତି। ଦିଲ୍ଲୀ ହିଂସା ସମ୍ପର୍କିତ ମାମଲା ହାଇକୋର୍ଟ ବୁଝିିବେ ବୋଲି କହିଛନ୍ତି।
ଅପରପକ୍ଷରେ ଗୁରୁ ତେଗ୍‌ ବାହାଦୁର ହସ୍ପିଟାଲରେ ଅଦ୍ୟାବଧି ୨୦୦ ଆହତଙ୍କ ଚିକିତ୍ସା କରାଗଲାଣି। ବୁଧବାର ନୂଆ ୧୬ଜଣ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ୩୫ ଆହତ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ହିଂସାକୁ ଲକ୍ଷ୍ୟ କରି ଦିଲ୍ଲୀ ସରକାର ମଙ୍ଗଳବାର ଉତ୍ତରପ୍ରଦେଶ ଓ ହରିୟାଣା ସଂଲଗ୍ନ ଏହାର ସୀମାକୁ ବନ୍ଦ କରିଦେଇଥିଲେ। ବୁଧବାର ପରିସ୍ଥିତିକୁ ଦେଖି ହରିୟାଣା ସରକାର ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୁଧବାର ହିଂସାକୁ ଉସୁକାଇବା ଓ ଏହାକୁ ନିୟନ୍ତ୍ରଣ କରି ନ ପାରିବା ନେଇ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଛନ୍ତି। ଏଥିପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ସେ ଦାବି କରିଛନ୍ତି। ସ୍ବତନ୍ତ୍ର ଭାବେ ଆହୂତ ଦଳର କାର୍ଯ୍ୟକାରିଣୀ ବୈଠକରେ ମୃତକଙ୍କ ପାଇଁ ଶୋକ ବ୍ୟକ୍ତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଦଳ ପକ୍ଷରୁ ଆୟୋଜିତ ଶାନ୍ତି ଶୋଭାଯାତ୍ରାକୁ ପୁଲିସ ଅନୁମତି ନ ଦେବାରୁ ଏହା ଅନୁଷ୍ଠିତ ହୋଇପାରି ନ ଥିଲା।

Comments are closed.