ଲଖିମପୁର ଖେରି ମାମଲା: ଉତ୍ତର ପ୍ରଦେଶ ସରକାରଙ୍କ ରିପୋର୍ଟକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅସନ୍ତୋଷ

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ୩ ତାରିଖରେ ଉତ୍ତର ପ୍ରଦେଶର ଲଖିମପୁର ଖେରି ଠାରେ ଘଟିଥିବା ହିଂସାତ୍ମକ ଘଟଣାରେ ଉତ୍ତର ପ୍ରଦେଶ ସରକାରଙ୍କ ସ୍ଥିତି ପତ୍ର (ଷ୍ଟାଟସ ରିପୋର୍ଟ)କୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୋମବାର ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନା ଏବଂ ଜଷ୍ଟିସ ସୁର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଏକ ପୀଠ କହିଥିଲେ ଯେ ରାଜ୍ୟ ସରକାର ଦାଖଲ କରିଥିବା ସ୍ଥିତି ପତ୍ରରେ ଅଧିକ ସଂଖ୍ୟାରେ ସାକ୍ଷୀଙ୍କୁ ଜେରା କରାଯାଇଥିବା କୁହାଯିବା ବ୍ୟତୀତ ଆଉ କିଛି ନାହିଁ । ଅକ୍ଟୋବର ୩ ତାରିଖରେ ଦ୍ରୁତଗତିରେ ଏସୟୁଭି ଚଢାଇ ଦିଆଯିବାରୁ ଚାରିଜଣ କୃଷକ ପ୍ରାଣ ହରାଇଥିଲେ । ଏହାପରେ ଉତ୍ତ୍ୟକ୍ତ କୃଷକଙ୍କ ଆକ୍ରମଣରେ ବିଜେପିର ଦୁଇ କର୍ମୀ, ଜଣେ ଡ୍ରାଇଭର ଏବଂ ସ୍ଥାନୀୟ ଜଣେ ସାମ୍ବାଦିକଙ୍କ ସମେତ ୪ ଜଣଙ୍କର ପ୍ରାଣହାନି ଘଟିଥିଲା । ଏହି ଘଟଣାର ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଅକ୍ଟୋବର ୨୬ ତାରିଖରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଉତ୍ତ୍ୟକ୍ତ ଜନତାଙ୍କ ଦ୍ୱାରା ସାମ୍ବାଦିକ ଶ୍ୟାମସୁନ୍ଦରଙ୍କୁ ମାରିଦିଆଯିବା ଘଟଣାର ସ୍ଥିତିପତ୍ର ଦାଖଲ କରିବାକୁ କହିଥିଲେ । ଏହି ଘଟଣାର ସିବିଆଇ ସହିତ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ କରାଇବାକୁ ଦୁଇଜଣ ଆଇନଜୀବୀ ପ୍ରଧାନ ବିଚାରପତିଙ୍କ ନିକଟକୁ ପତ୍ର ଲେଖିବା ପରେ ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରୁଛନ୍ତି । ଏହି ଘଟଣାରେ ଏପର୍ଯ୍ୟନ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ସମେତ ଅନେକଙ୍କୁ ଗିରଫ କରାଯାଇସାରିଛି ।

Comments are closed.