ପିଜି-ୟୁଜି ପରୀକ୍ଷା ହେବ କି ନାହିଁ ଶୁକ୍ରବାର ରାୟ ଶୁଣାଇବେ ସୁପ୍ରିମକୋର୍ଟ

୩୧ ଜଣ ଛାତ୍ରଙ୍କ ସହିତ ଆଇନ ଛାତ୍ର ୟଶ ଦୁବେ, ଶିବସେନାର ଯୁବ ଶାଖା, ପଶ୍ଚିମବଙ୍ଗର ଶିକ୍ଷକଙ୍କର ଏକ ଗୋଷ୍ଠୀ ସହ ଅନେକ ମାମଲା ସୁପ୍ରିମକୋର୍ଟରେ ରୁଜୁ ହୋଇଛି । ୟୁଜିସି ପକ୍ଷରୁ ଦେଶରେ ୟୁଜି ଓ ପିଜି ଶେଷବର୍ଷ ପରୀକ୍ଷା ସଂକ୍ରାନ୍ତ ନିର୍ଦେଶନାମାକୁ ଏଥିରେ ବିରୋଧ କରାଯାଇଛି । ପରୀକ୍ଷା ଫଳରେ ଛାତ୍ରମାନଙ୍କ ସ୍ବାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପଡ଼ିବାର ଆଶଙ୍କା କରାଯାଇଛି । ସିବିଏସଇ ପରୀକ୍ଷାରେ ହାରାହାରି ନମ୍ବରକୁ ଦୃଷ୍ଟିରେ ରଖି ଯେପରି ଫଳ ପ୍ରକାଶିତ ହୋଇଛି ସେହିପରି ପିଜି ଓ ୟୁଜି ଶେଷବର୍ଷ ପରୀକ୍ଷା ଫଳ ଘୋଷଣା କରିବାକୁ ଏଥିରେ ଆବେଦନ କରାଯାଇଛି । ଅନ୍ୟପକ୍ଷରେ ୟୁଜିସି ପକ୍ଷରୁ ଏହି ପରୀକ୍ଷା ଛାତ୍ରମାନଙ୍କ ହିତ ଦୃଷ୍ଟିରୁ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ଏବଂ ଛାତ୍ରମାନଙ୍କୁ ଉଭୟ ଅନଲାଇନ ଓ ଅଫଲାଇନରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯାଇଥିବା ଯୁକ୍ତି ରଖାଯାଇଛି ।
ଶୁଣାଣି ସମୟରେ ଆବେଦନକାରୀମାନେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକାକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ଜୁଲାଇ ୨୦ରେ ଗୃହ ମନ୍ତ୍ରଣାଳୟ ସ୍କୁଲ କଲେଜ ବନ୍ଦ ରଖିବାକୁ ନିର୍ଦେଶ ଦେଇଥିଲେ । ଏ ସମ୍ପର୍କରେ ଅଦାଲତ ଗୃହ ମନ୍ତ୍ରଣାଳୟକୁ ନିଜର ପକ୍ଷ ରଖିବାକୁ କହିଥିଲେ ଏବଂ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଶେଷ ସେମିଷ୍ଟାର ପରୀକ୍ଷା ଆୟୋଜନ ନିମନ୍ତେ ଶିକ୍ଷଣ ପ୍ରତିଷ୍ଠାନଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଛି । ଅନଲକ୍-୩.୦ ଜାରି ମାର୍ଗଦର୍ଶିକାରେ ପରୀକ୍ଷା ଆୟୋଜନ ନିମନ୍ତେ କୌଣସି ବାଧା ନାହିଁ ।
ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଭିଷେକ ମନୁ ସିିଂଘଭୀ, ଆଲୋକ ଶ୍ରୀବାସ୍ତବ ଓ ଅନ୍ୟ ଆଇନଜୀବୀମାନେ ୟୁଜିସି ପରିସ୍ଥିତିକୁ ନଜର ଅନ୍ଦାଜ କରି ପରୀକ୍ଷା ନିମନ୍ତେ ମାର୍ଗଦର୍ଶିକା ଜାରି କରିଛି । ଦେଶରେ କରୋନା ସଂକ୍ରମଣ ସଂଖ୍ୟା ତୀବ୍ରଗତିରେ ବୃଦ୍ଧି ପାଉଛି । ପ୍ରତିଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି । ପରୀକ୍ଷା ନ ହେଲେ ଆକାଶ ଭାଙ୍ଗି ପଡ଼ିବ ନାହିଁ ବୋଲି ଏହି ଆଇନଜୀବୀମାନେ ଯୁକ୍ତି ବାଢ଼ିଥିଲେ ।

Comments are closed.