କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ; କେନ୍ଦ୍ର, ସବୁ ରାଜ୍ୟଠାରୁ ରିପୋର୍ଟ ତଲବ

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ପୁନର୍ବାର ବୃଦ୍ଧି ପାଇବାକୁ ନେଇ ସୋମବାର ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଗମ୍ଭୀର ସ୍ଥିତିରେ ପହଞ୍ଚିଥିବାବେଳେ ଗୁଜରାଟରେ ଏହି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲାଣି ସୁପ୍ରିମକୋର୍ଟ କହିବା ସହିତ ଦୁଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଥିବାବେଳେ ଏହାକୁ ନିୟନ୍ତ୍ରଣ ପାଇଁ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାର କି ପ୍ରକାର ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏହି ରିପୋର୍ଟ ଦୁଇଦିନ ମଧ୍ୟରେ ଦେବାକୁ ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ବ ସୁପ୍ରିମକୋର୍ଟଙ୍କ ପୀଠ ନିର୍ଦେଶ ଦେଇଛନ୍ତି। କରୋନାକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଗୁଡିକ କେନ୍ଦ୍ର ଠାରୁ କି ପ୍ରକାର ସହାୟତା ଆବଶ୍ୟକ କରୁଛନ୍ତି ତାହା ଜଣାଇବାକୁ ମଧ୍ୟ କୁହାଯାଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ନଭେମ୍ବରରେ କେବଳ ସଂକ୍ରମଣ ବୃଦ୍ଧି ପାଇଛି। ଡିସେମ୍ବରକୁ ପରିସ୍ଥିତି ଆହୁରି ଗମ୍ଭୀର ହେବ। ତେଣୁ ଏଥିପାଇଁ କି ପ୍ରକାର ପଦକ୍ଷେପ ନେଇଛ ଓ ଆଗକୁ କି ପ୍ରକାର ପଦକ୍ଷେପ ନିଆଯିବ ତାହା ଜଣାଇବାକୁ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବା ଦରକାର। ଆଜିର ଶୁଣାଣି ସମୟରେ ଦିଲ୍ଲୀ ଓ ମହାରାଷ୍ଟ୍ର ସରକାରଙ୍କ ଓକିଲ ସୁପ୍ରିମକୋର୍ଟରେ ଉପସ୍ଥିତି ଥିବାବେଳେ ସେମାନଙ୍କୁ ସ୍ବତନ୍ତ୍ର ଭାବେ ସ୍ଥିତାବସ୍ଥା ରିପୋର୍ଟ ମଗାଯାଇଛି।
କରୋନା ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ଓ କରୋନା ମୃତକଙ୍କ ଶବକୁ ଡାକ୍ତରଖାନାରେ ସମ୍ମାନପୂର୍ବକ ପରିଚାଳନା କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଜ ଆଡୁ ହସ୍ତକ୍ଷେପ କରି ମାମଲାର ଶୁଣାଣି କରିଥିଲେ। ଏହି ମାମଲା ଉପରେ ସୁପ୍ରିମକୋର୍ଟ ନଭେମ୍ବର ୨୭ରେ ପରବର୍ତ୍ତୀ ଶୁଣାଣି କରିବେ। ସୋମବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ଦିଲ୍ଲୀରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୈଠକ କରିଥିଲେ। ବୈଠକରେ ଅନେକଗୁଡିଏ ପଦକ୍ଷେପ ନିଆଯାଇଥିଲା। ତେବେ ଜୁନ୍ ୧୯ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶର କାର୍ଯ୍ୟକାରିତାରେ ଅବହେଳାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ଜୁନ ୧୯ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶରେ କରୋନା ନିୟମାବଳୀକୁ ଠିକ୍‌ରେ ପାଳନ, କାର୍ଯ୍ୟକାରିତା ଓ ଅନୁଧ୍ୟାନ ନିମନ୍ତେ ବିଶେଷଜ୍ଞ କମିଟି ଗଠନ କରିବାକୁ କହିଥିଲେ। ସେହିପରି କରୋନା ଲାଗି ଉଦ୍ଦିଷ୍ଟ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସାର ଅନୁଧ୍ୟାନ ପାଇଁ କମିଟି ଗଠନ କରିବାକୁ କହିଥିଲେ।

Comments are closed.