ସେପ୍ଟେମ୍ବର ୨୮ ତାରିଖଯାଏ ଋଣ ପରିଶୋଧ ସ୍ଥଗିତ ଅବଧି ବୃଦ୍ଧି କଲେ ସୁପ୍ରିମକୋର୍ଟ

ଋଣ ସୁଧ ଉପରେ ସୁଧ ଲାଗୁ ନ କରିବାକୁ ସରକାରଙ୍କୁ ନିର୍ଦେଶ

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ ଆଜି ଋଣ ପରିଶୋଧ ସ୍ଥଗନ ବା ମୋରାଟୋରିୟମ ଅବଧିକୁ ଚଳିତମାସ ୨୮ ଯାଏ ବୃଦ୍ଧି କରିଛନ୍ତି । ଋଣ ସୁଧ ଉପରେ ସୁଧ ଲାଗୁ ନ କରି ଏବଂ ଋଣକର୍ତ୍ତାଙ୍କ କ୍ରେଡିଟ୍‌ ରେଟିଂରେ କୌଣସି ପ୍ରକାର ହ୍ରାସ ନ ଘଟାଇବାକୁ ସୁପ୍ରିମକୋର୍ଟ ଏହି ଅବସରରେ କେନ୍ଦ୍ର ସରକାରଙ୍କୁ କଡା ନିର୍ଦେଶ ଦେଇଛନ୍ତି । ତେବେ ପୂର୍ବରୁ ସର୍ବୋଚ୍ଚ ଅଦାଲତ ଏକ ଅନ୍ତରୀଣ ନିର୍ଦେଶନାମାରେ ମୋରାଟୋରିୟମ ଅବଧି ବୃଦ୍ଧି ମାମଲାରେ ପରବର୍ତ୍ତୀ ନିର୍ଦେଶନାମା ଜାରି ହେବା ଯାଏ ବ୍ୟାଙ୍କଗୁଡିକ କୌଣସି ଆକାଉଣ୍ଟକୁ ଏନ୍‌ପିଏ ଘୋଷଣା କରିପାରିବେ ନାହିଁ ବୋଲି କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଚଳିତମାସ ୨୮ରେ ହେବ ।
ଆଜି ସୁପ୍ରିମକୋର୍ଟରେ ମୋରାଟୋରିୟମ ଅବଧିରେ ଋଣକର୍ତ୍ତାଙ୍କଠାରୁ ଋଣର ସୁଧ ଉପରେ ସୁଧ ଛାଡ କରିବା ନେଇ କରଯାଇଥିବା ଆବେଦନର ଶୁଣାଣି ହୋଇଥିଲା । ଜଷ୍ଟିସ୍‌ ଆର୍‌. ସୁବାଷ ରେଡ୍ଡି ଏବଂ ଜଷ୍ଟିସ୍‌ ଏମ୍‌ଆର୍‌. ଶାହାଙ୍କୁ ନେଇ ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଏହା ପୂର୍ବରୁ କୋଭିଡ୍‌-ମହାମାରୀ ପାଇଁ ଲାଗୁ କରାଯାଇଥିବା ଲକ୍‌ଡାଉନ୍‌ ପରିପ୍ରେକ୍ଷୀ​‌ରେ ଚଳିତବର୍ଷ ମାର୍ଚ୍ଚରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ପାଇଁ ଋଣ ଉପରେ ଇଏମ୍‌ଆଇ ଦାଖଲରେ ପ୍ରଥମେ ୩ ମାସ ଏବଂ ପରବର୍ତ୍ତୀ ସମୟରେ ଏହି ଅବଧିକୁ ଅଗଷ୍ଟ ୩୧ ଯାଏ ଆଉ ତିନି ମାସ ବୃଦ୍ଧି କରାଯାଇଥିଲା । ତେବେ ଋଣ ସୁଧ ଉପରେ ସୁଧ ଲାଗୁ ନ କରିବା ଓ ଅନ୍ୟ ପ୍ରସଙ୍ଗ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଓ ଅନ୍ୟ ଋଣଦାତାଙ୍କ ସହ ଆଲୋଚନା କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଆଜି ମାମଲାର ପରିଚାଳନା କରୁଥିବା ଆଇନଜୀବୀ ରାଜୀବ ଦତ୍ତା କୋର୍ଟଙ୍କୁ ଅବଗତ କରି ଜଣାଇଥିଲେ ଯେ, ବହୁ ଋଣ ମାମଲାରେ ଗ୍ରାହକଙ୍କଠାରୁ ଏବେ ମଧ୍ୟ ଚକ୍ରବର୍ତ୍ତୀ ସୁଧ ହାର ଲାଗୁ କରାଯାଉଛି । ଏ କ୍ଷେତ୍ରରେ କେଉଁଠି କୋଭିଡ୍‌ ପାଇଁ ଋଣକାରୀଙ୍କୁ ଆଶ୍ବସ୍ତି ମିଳିଛି ​ବୋଲି ସେ ପ୍ରଶ୍ନ କରିଛନ୍ତି । ଋଣ ପୁନର୍ଗଠନ ପୂର୍ବରୁ କରାଯାଇପାରିଥାନ୍ତା ​ବୋଲି ସେ କହିଛନ୍ତି । ଲକ୍ଷାଧିକ ଲୋକ ଏବେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅନେକ ଏହି ମହାମାରୀର ପ୍ରଭାବରେ ରୋଜଗାର ହରାଇଛନ୍ତି । ତେଣୁ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ତାଙ୍କର ପକ୍ଷ ସ୍ପଷ୍ଟ କରନ୍ତୁ ।​‌ ସରକାର ​ଋଣ ପରିଶୋଧ ସ୍ଥଗନ ପ୍ରସଙ୍ଗରେ ସୁଧ ଉପରେ ସୁଧ ଛାଡ କରି ଋଣକାରୀଙ୍କୁ ଆଶ୍ବସ୍ତ କରିବାକୁ ଶ୍ରୀ ଦତ୍ତା ଅନୁରୋଧ କରିଛନ୍ତି ।

Comments are closed.