ଚୋରି କର କି ମାଗିକି ଆଣ, ଅମ୍ଳଜାନ ଯୋଗାଅ – କୋର୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅମ୍ଳଜାନର ଅଭାବ ଦେଖାଯାଇଥିବାବେଳେ ରାଜଧାନୀ ଦିଲ୍ଲୀରେ ଏହି ପରିସ୍ଥିତି ଉଦ୍ବେଗଜନକ ହୋଇଛି। ଅମ୍ଳଜାନ ଅଭାବକୁ ନେଇ ବୁଧବାର ଦିଲ୍ଲୀର ମାସ୍କ ହସ୍ପିଟାଲ ଲିମିଟେଡ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଡାକ୍ତରଖାନା ପକ୍ଷରୁ ଦାୟର ଆବେଦନ ଉପରେ ଉଚ୍ଚ ନ୍ୟାୟାଳୟ ରାତିରେ ଶୁଣାଣି କରିଥିଲେ। ଶୁଣାଣି ସମୟରେ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଅବହେଳାକୁ ତୀବ୍ର ସମାଲୋଚନା କରିଥିଲେ। ଏହା ସହିତ ଯେକୌଣସି ପ୍ରକାରେ ଡାକ୍ତରଖାନାଗୁଡିକୁ ଅମ୍ଳଜାନ ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି। ଏପରିକି ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଅମ୍ଳଜାନ ନଥିଲେ ସରକାର ଚୋରି କରି କିମ୍ବା ମାଗିକି ହେଉ ପଛେ ଅମ୍ଳଜାନ ଦିଅନ୍ତୁ। ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସରକାର ଶିଳ୍ପ କାର୍ଯ୍ୟ ଲାଗି ଅମ୍ଳଜାନ ଯୋଗାଉଛନ୍ତି। ଶିଳ୍ପ ପାଇଁ ଯୋଗାଣ ହେଉଥିବା ଅମ୍ଳଜାନକୁ ଏକ ସପ୍ତାହ ବନ୍ଦ ରଖିଲେ ଆକାଶ ଖସି ପଡିବ ନାହିଁ।

ମାକ୍ସ ହସ୍ପିଟାଲ ଲିମିଟେଡ ଅଧୀନ ବିଭିନ୍ନ ଡାକ୍ତରଖାନାରେ ପ୍ରାୟ ୧୪,୦୦୦ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏହିସବୁ ଡାକ୍ତରଖାନାଗୁଡିକରେ ଗଚ୍ଛିତ ଅମ୍ଳଜାନ ମାତ୍ର କିଛି ଘଣ୍ଟା ମଧ୍ୟରେ ଶେଷ ହେବାକୁ ଥିବାବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ଉପାୟଶୂନ୍ୟ ହୋଇ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଡାକ୍ତରଖାନାର ଆବେଦନ ଉପରେ ବିଚାରପତି ବିପିନ ସାଙ୍ଘି ଓ ରେଖା ପାଲିଙ୍କ ପୀଠ ଜରୁରୀ ଶୁଣାଣି ପାଇଁ ରାତିରେ କୋର୍ଟ ଖୋଲିଥିଲେ। ପୀଠ କହିଥିଲେ ଯେ କେନ୍ଦ୍ର ସରକାର ନାଗରିକଙ୍କ ବଞ୍ଚିବାର ମୌଳିକ ଅଧିକାରକୁ ସୁରକ୍ଷା ଦେବା ଦରକାର। ମଙ୍ଗଳବାର ମଧ୍ୟ ଉଚ୍ଚ ନ୍ୟାୟାଳୟ ଦିଲ୍ଲୀ ବିଭିନ୍ନ ଡାକ୍ତରଖାନାରେ ଅମ୍ଳଜାନ ଅଭାବ ସମ୍ପର୍କିତ ଆବେଦନ ଉପରେ ଶୁଣାଣି କରି ଏହାର ଯୋଗାଣ ତ୍ବରାନ୍ବିତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ; ମାତ୍ର କେନ୍ଦ୍ର ଏଥିପ୍ରତି ଧ୍ୟାନ ଦେଇ ନଥିଲେ। କେନ୍ଦ୍ର ସରକାରଙ୍କ ଏତାଦୃଶ ମନୋଭାବକୁ ନେଇ ଉଚ୍ଚ ନ୍ୟାୟାଳୟ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ।

Comments are closed.