ପ୍ଲେ-ଅଫ୍ ମ୍ୟାଚ୍‌ ବାତିଲ ହେଲେ ସୁପର୍ ଓଭର

ନୂଆଦିଲ୍ଲୀ : ଚଳିତ ଆଇପିଏଲ୍‌ର ପ୍ଲେ-ଅଫ୍‌ ପର୍ଯ୍ୟାୟ ମଙ୍ଗଳବାରଠାରୁ ଆରମ୍ଭ ହେଉଛି । ଯଦି ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ର ଫଳାଫଳ ନ ବାହାରେ; ତେବେ ସୁପର ଓଭର୍‌ ଦ୍ବାରା ମ୍ୟାଚ୍‌ର ଫଇସଲା ହେବ। ଏହି ନିୟମ କ୍ବାଲିଫାୟର-୧, ଏଲିମିନେଟର ଓ କ୍ବାଲିଫାୟର-୨ ମ୍ୟାଚ୍‌ ପାଇଁ ଲାଗୁ କରାଯିବ। କାରଣ ଏହି ୩ଟି ମ୍ୟାଚ୍‌ର ଅତିରିକ୍ତ ଦିବସ ନ ଥିବା ବେଳେ ୨୯ରେ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍‌ରେ ଅତିରିକ୍ତ ଦିବସ ରହିଛି। କଲକାତାରେ କ୍ବାଲିଫାୟର-୧ ଓ ଏଲିମିନେଟର ମ୍ୟାଚ୍‌ ମଙ୍ଗଳବାର ଓ ବୁଧବାର ଖେଳାଯିବ। ଏହି ୨ଟି ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ ବୋଲି ପୂର୍ବାନୁମାନ କରାଯାଇଛି। ବର୍ଷା ହେଲେ ମ୍ୟାଚ୍‌ର ଫଇସଲା ପାଇଁ ଉଭୟ ଦଳଙ୍କୁ ଅତିକମ୍‌ରେ ୫ ଓଭର ଖେଳିବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ୫ ଓଭର ସାରିବାକୁ ନିର୍ଦ୍ଧାରିତ ସମାପ୍ତି ସମୟଠାରୁ ଅଧଘଣ୍ଟା ଅଧିକ ଖେଳ ହୋଇପାରିବ। ଯଦି ୫ ଓଭର ସମ୍ଭବ ନ ହୁଏ; ତେବେ ପ୍ରତି ଦଳ ଗୋଟିଏ ଲେଖାଏଁ ସୁପର ଓଭର ଖେଳି ମ୍ୟାଚ୍‌ର ଫଇସଲା କରିବେ। ଯଦି ସୁପର ଓଭର ସମ୍ଭବ ନହୁଏ; ତେବେ ଲିଗ୍‌ ପର୍ଯ୍ୟାୟରେ ଅଧିକ ପଏଣ୍ଟରେ ଥିବା ଦଳ ବିଜୟୀ ଘୋଷିତ ହେବ। ଉଦାହରଣ ସ୍ବରୂପ ମଙ୍ଗଳବାର ଗୁଜରାଟ ଟାଇଟାନ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମ୍ୟାଚ୍‌ ବାତିଲହେଲେ ସର୍ବାଧିକ ୨୦ ପଏଣ୍ଟ ପାଇଥିବା ଗୁଜରାଟ ଫାଇନାଲରେ ପହଞ୍ଚିବ। ପୁଣି ଗୋଟିଏ ଇନିଂସ ଶେଷ ପରେ ୨ୟ ଇନିଂସରେ ୫ କିମ୍ବା ଅଧିକ ଖେଳ ହୋଇଥିଲେ ଡିଏଲ୍‌ଏସ୍‌ ନିୟମ ଲାଗୁ କରାଯିବ। ବାକି ୨ଟି କ୍ବାଲିଫାୟର ମ୍ୟାଚ୍‌ରେ ମଧ୍ୟ ଉପରୋକ୍ତ ନିୟମ ଲାଗୁ କରାଯିବ। ପୁଣି ଫାଇନାଲ ମ୍ୟାଚ୍‌ରେ ପ୍ରଥମଦିନରେ ଯେଉଁଠି ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିବ; ୨ୟ ଦିନ ସେହିଠାରୁ ଆରମ୍ଭ ହେବ।

Comments are closed.