ଆଦିମ ଜନଜାତିଙ୍କୁ ରାହା ଦେଖାଇଛି ସୂର୍ଯ୍ୟମୁଖି

ରାୟଗଡ଼ା : ସୂର୍ଯ୍ୟମୂଖୀ ଚାଷ ପ୍ରତି ଆଗ୍ରହ ଦେଖାଇଛନ୍ତି ରାୟଗଡ଼ା ଜିଲାର ଆଦିମ ଜନଜାତି ଡଙ୍ଗରିଆ କନ୍ଧ। ଏକର ଏକର ସମତଳ ଓ ପାହାଡିଆ ଜମିରେ ସୂର୍ଯ୍ୟମୂଖୀ ଚାଷ କରି ଏହି ଆଦିମ ଜନଜାତି ସ୍ବାବଲମ୍ବୀ ହୋଇପାରିଛନ୍ତି। ଭୌଗୋଳିକ ସ୍ଥିତି ଓ ଅନୁକୂଳ ପାଣିପାଗ ଦୃଷ୍ଟିରୁ ରାୟଗଡ଼ା ଜିଲା ସୂର୍ଯ୍ୟମୁଖୀ ଚାଷ ପାଇଁ ଉପଯୁକ୍ତ ହୋଇଥିବା ବେଳେ ଦିନକୁ ଦିନ ଜନଜାତିଙ୍କ ମଧ୍ୟରେ ଏହି ଚାଷକୁ ନେଇ ବେଶ୍ ଆଗ୍ରହ ଦେଖାଦେଇଛି। ଡଙ୍ଗର ପାହାଡର ପୋଡୁଚାଷ ଛାଡ଼ି ଏବେ ଏହି ଜନଜାତି ସୂର୍ଯ୍ୟମୂଖୀ ଚାଷ କରିବାରେ ଲାଗିପଡିଛନ୍ତି। ଆଉ ତୈଳ ବିଜ ଫସଲ ସୂର୍ଯ୍ୟମୁଖୀ ଏକ ଅର୍ଥକରୀ ଫସଲ ହୋଇଥିବାରୁ ଆଦିମ ଜନଜାତି ଏହି ଚାଷକୁ ଅଧିକରୁ ଅଧିକ ପରିମାଣର ଉତ୍ପାଦନ କରିବା ପାଇଁ ଲାଗିପଡିଛନ୍ତି। ଏମାନଙ୍କୁ ପ୍ରୋତ୍ସାହନର ହାତ ବଢାଇଛି ଜିଲା କୃଷି ବିଭାଗ ଓ ଓପିଲିପି। ବିଶେଷ କରି ଓପିଲିପ୍ ବା ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ୟମରେ ରାୟଗଡା ଜିଲା ମୁନିଗୁଡା ଓ ବିଷମକଟକ ବ୍ଲକରେ ପ୍ରାୟ ୫୦୦ ଚାଷୀ ସୂର୍ଯ୍ୟମୂଖୀ ଚାଷ କରୁଥିବାବେଳେ କେବଳ ୮୦ଜଣ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଅନ୍ୟ ଚାଷ ସହ ସୂର୍ଯ୍ୟମୁଖୀ ଚାଷ କରି ନିଜେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଓପିଲିପ୍ ପକ୍ଷରୁ ଜଣେ ଚାଷୀଙ୍କୁ ହେକ୍ଟର ପିଛା ବିହନ, ଅଣୁସାର ଓ ରୋଗ ପୋକ ଦମନ ପାଇଁ ପ୍ରାୟ ୪୦୦୦ଟଙ୍କା ପ୍ରଦାନ କରାଯାଉଥିବାବେଳେ ସେମାନଙ୍କୁ ଉନ୍ନତ ପ୍ରଣାଳୀରେ କିପରି ସୂର୍ଯ୍ୟମୂଖୀ ଚାଷ କରାଯାଇପାରିବ ସେ ନେଇ ବୈଷୟିକ ତାଲିମ ପ୍ରଦାନ କରାଯାଉଛି । ଆଦିମ ଜନଜାତି ସମ୍ପ୍ରଦାୟର ଲୋକେ ଚାଷ କରିବା ପରେ ସୂର୍ଯ୍ୟମୁଖୀ ମଞ୍ଜି ବିକ୍ରି କରିବା ସହ ନିଜେ ତେଲ ବାହାର କରି ବ୍ୟବହାର କରୁଛନ୍ତି।
ସରକାରୀ ସ୍ତରରେ ସବୁପ୍ରକାର ସହାୟତା ମିଳୁଥିବାରୁ ଆମେ ସୂର୍ଯ୍ୟମୂଖୀ ଚାଷ କରିବା ପାଇଁ ଅଧିକରୁ ଅଧିକ ଆଗ୍ରହ ହେଉଛୁ ବୋଲି କହିଛନ୍ତି ମୁନିଗୁଡା ବ୍ଲକ ଶକଟା ଗ୍ରାମର ଡଙ୍ଗରିଆ ସମ୍ପ୍ରଦାୟର ଚାଷୀ ପାହିଲି ପୁସିକା,ଶାଇବାଣୀ ଜାକାକା ଓ ସୀତାରୀ ଶିରିକା। ପୁରୁଷ ପ୍ରାଧାନ୍ୟ ଜନଜାତି ସମ୍ପ୍ରଦାୟରେ ସରକାରୀ ଉଦ୍ୟମ ଫଳରେ ମହିଳାମାନେ ମଧ୍ୟ ଏବେ ସୂର୍ଯ୍ୟମୁଖୀ ଚାଷ ପ୍ରତି ଆକୃଷ୍ଟ ହୋଇପାରିଛନ୍ତି। ଆଦିମ ଜନଜାତି କିପରି ଅଧିକରୁ ଅଧିକ ସ୍ବାବଲମ୍ବୀ ହୋଇପାରିବେ ସେନେଇ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି ଓପିଲିପିର ପ୍ରକଳ୍ପ ପ୍ରଶାସକ ସୁଦର୍ଶନ ପାଢି ସୂଚନା ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଯୋଜନା ଜାତୀୟ ଖାଦ୍ୟ ନିରାପତ୍ତା ମିଶନ(ତୈଳବିଜ ମିଶନ) ଓ ପୂର୍ବଭାରତ ଦ୍ବିତୀୟ ସବୁଜ ବିପ୍ଲବ ଆଗମନ ବା ବିଜେଆରଇଆଇ ଯୋଜନା ମାଧ୍ୟମରେ କୃଷି ବିଭାଗ ପକ୍ଷରୁ ଜିଲାର ଚାଷୀଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି। ବଜାରରେ ଖାଇବା ତେଲର ଦର ବୃଦ୍ଧି ଯୋଗୁଁ କ୍ଷୁଦ୍ର ଚାଷୀ କିପରି ସ୍ବଳ୍ପ ସ୍ଥାନରେ ନିଜ ପାଇଁ ଉତ୍ପାଦନ କରିପାରିବ ସେନେଇ ମଧ୍ୟ ସଚେତନ କରାଯାଉଛି। କୃଷି ବିଭାଗର ତଥ୍ୟ ଅନୁଯାୟୀ ରାୟଗଡ଼ା ଜିଲାର ପ୍ରାୟ ୨ହଜାର ହେକ୍ଟର ଚାଷ ଜମିରେ ଚଳିତ ବର୍ଷ ଚାଷୀ ମାନେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି। ବର୍ତ୍ତମାନ ବଜାରରେ ସୂର୍ଯ୍ୟମୁଖୀ କ୍ବିଣ୍ଟାଲ ପ୍ରତି ୫୮୮୫ଟଙ୍କା ରହିଥିବା ବେଳେ ଚାଷୀଙ୍କ ମଧ୍ୟରେ ସୂର୍ଯ୍ୟମୁଖୀ ଉତ୍ପାଦନକୁ ନେଇ ଆଗ୍ରହ ପ୍ରକାଶ ପାଇଛି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ମୁନିଗୁଡା ବ୍ଲକର ଶକଟା ଓ ଗୁଞ୍ଜାପାଇ ଗ୍ରାମର ଏକାଧିକ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଲୋକେ ଏହି ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।

Comments are closed.