ସୁନ୍ଦରଗଡ଼ରେ ଧଳା ଜହର କାରବାର, ଜଣେ ମହିଳା ସମେତ ଦୁଇ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହର ଓ ଆଖପାଖ ଅଞ୍ଚଳରେ ଧଳା ଜହର(ବ୍ରାଉନ ସୁଗର) କାରବାରକୁ ନେଇ ଚାଲିଥିବା ଚର୍ଚ୍ଚା ଆଜି ସ୍ପଷ୍ଟ ହୋଇ ପୁଲିସକୁ ବେଶ ସଫଳତା ମିଳିଛି। ଏହି ଗ୍ୟାଙ୍ଗର ମହିଳା ସମେତ ଦୁଇ ସଦସ୍ୟଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କଠାରୁ ଧଳା ଜହର ଓ ଗଞ୍ଜେଇ ଭର୍ତ୍ତି ବସ୍ତା ଜବତ କରିଛି। ଆଜି ଟାଉନ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ.ପି ସାଗରିକା ନାଥ ଏ ସଂପର୍କରେ ବିସ୍ତୃତ ସୂଚନା ଦେବା ସହ ପୂର୍ବରୁ ବାଲିଶଙ୍କରା ଓ ରାଜଗାଙ୍ଗପୁରରେ ଏହି କାରବାରରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ସହ ଆଜି ଧରାପଡ଼ିଥିବା ମହିଳା ସମେତ ଦୁଇ ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେଇଥିଲେ। ଖୁବଶୀଘ୍ର ଧଳା ଜହର କାରବାରରେ ସଂପୃକ୍ତ ଅନ୍ୟ ‘ଲିଙ୍କ’ ଗୁଡ଼ିକୁ ମଧ୍ୟ ପୁଲିସ ନିଜ କବଜାରେ ନେବ ବୋଲି ଏସ.ପି ନାଥ ସୂଚନା ଦେଇଛନ୍ତି।

ଆଜି ସକାଳେ ଏକ ବୁଲେଟ ଓଡି୧୪ଏସ ୪୯୨୬ ରେ ମହେଶଡିହିର ସୋହୁ ମହାତୋ ଓ ମହିଳା ଅଭିଯୁକ୍ତ ଧଳା ଜହର ଓ ଗଞ୍ଜେଇ ଭର୍ତ୍ତି ଏକ ବସ୍ତା ନେଇ ବିକ୍ରି ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଆଡ଼କୁ ଯାଉଥିବା ବେଳେ ରାଣୀବଗିଚା ବାଇପାସରେ ପୂର୍ବରୁ ଛକି ରହିଥିବା ପୁଲିସ ଦଳ ଏମାନଙ୍କୁ ଅଟକାଇଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉକ୍ତ ବସ୍ତାରେ ପ୍ରାୟ ୬କେଜି ୫ଶହଗ୍ରାମ ଗଞ୍ଜେଇ ରହିଥିବା ବେଳେ ୧.୫୦୦ ଧଳା ଜହରର ପୁଡ଼ିଆ (ସ୍ଥାନୀୟ ଭାଷାରେ ଠରକି)କୁ ମଧ୍ୟ ଜବତ କରିଥିଲେ। ପରେ ଉଭୟଙ୍କୁ ପଚରାଉଚରା କରାଯିବାରୁ ସେ ଏହି ଗଞ୍ଜେଇ ଓ ବ୍ରାଉନସୁଗରକୁ ଝାରସୁଗୁଡ଼ାରେ ବିକ୍ରି କରିବା ପାଇଁ ନେଉଥିଲେ ବୋଲି ପୁଲିସ ନିକଟରେ ସ୍ୱୀକାର କରିଥିଲେ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୋନୁ ମହାତୋଙ୍କ ବିରୁଧରେ ପୂର୍ବରୁ ଟାଉନ ଥାନାରେ ଏକାଧିକ ମାମଲା ରହିଥିବା ବେଳେ ପତ୍ରାପଡ଼ାରେ ରହୁଥିବା ଗିରଫ ମହିଳାଙ୍କ ମଧ୍ୟ କାରବାର ସନ୍ଦେହ ଜନକ ରହିଥିବାର ଜଣାପଡ଼ିଛି। ତଦନ୍ତ ବ୍ୟାଘାତ ଦୃଷ୍ଟିରୁ ଗ୍ୟାଙ୍ଗର କାର୍ଯ୍ୟକଳାପ ଓ ସଂପୃକ୍ତିକୁ ଏସ.ପି ସ୍ପଷ୍ଟ ଭାବରେ କହିନଥିଲେ ମଧ୍ୟ ଆଗାମୀ ଦିନରେ ପୁଲିସକୁ ଅଧିକ ସଫଳତା ମିଳିବ ବୋଲି ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସଦର ଏସ.ଡି.ପି.ଓ ମଧୁଶିକ୍ତା ମିଶ୍ର, ଟାଉନ ଥାନା ଅଧିକାରୀ ସୂର୍ଯ୍ୟକାନ୍ତି ଦାସ, ଗ୍ୟାଙ୍ଗକୁ ଗିରଫ କରିଥିବା ସବଇନ୍ସପେକ୍ଟର ଲକ୍ଷ୍ମୀକାନ୍ତ ପ୍ରଧାନ ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.