ମେଗା ପାନୀୟ ଜଳ ପ୍ରକଳ୍ପ ଓ ରାସ୍ତା ଉନ୍ନତିକରଣ ପାଇଁ ୧୨୭୯ କୋଟି ମଞ୍ଜୁର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲାକୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ବିଗତ ଦିନରେ ରାଜ୍ୟ ସରକାର ଅନେକ ଉନ୍ନୟନ ମୂଳକ ପ୍ରକଳ୍ପ ସୁନ୍ଦରଗଡ଼ବାସୀଙ୍କୁ ଭେଟି ଦେଇଥିବା ବେଳେ ଶନିବାର ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ ଓ ରାସ୍ତା ଉନ୍ନତିକରଣ ପାଇଁ ୧୨୭୯ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଥିବାର କହିଥିଲେ। ମନ୍ତ୍ରୀ ମଲ୍ଲିକ ଜିଲା ଗସ୍ତରେ ଆସି ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଆଲୋଚନା କରିବା ସହ ଭିଡିଓ କନଫରେନ୍ସିଂ ଯୋଗେ କ୍ୟାବିନେଟ ବୈଠକରେ ଯୋଡ଼ି ହୋଇଥିଲେ।

ଏ ଅବସରରେ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିଲାବାସୀଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରି ତାଙ୍କର ଶୁଭ ଦୃଷ୍ଟି ଯୋଗୁଁ ଜିଲାରେ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଲୋକଙ୍କ ସମସ୍ୟା ସମାଧାନ ହେବାରେ ଲାଗିଛି ବୋଲି କହିଥିଲେ। ସୁନ୍ଦରଗଡ଼ ଜିଲାର ଡୁଡୁକା-ଗୋପାଳପୁର-ଟପରିଆ ରାସ୍ତାକୁ ୨ ଲେନ୍‍ ବିଶିଷ୍ଟ କରିବା ପାଇଁ ୧୦୩ କୋଟି ଟଙ୍କା ଅନୁମୋଦନ କରାଯାଇଥିବା ବେଳେ ଏହି କାର୍ଯ୍ୟ ୨୪ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଓ ଏହା ଦ୍ୱାରା ଛତିଶଗଡ଼-ରାଏଗଡ଼ ଓ ସୁନ୍ଦରଗଡ଼ ଟାଉନ ମଧ୍ୟରେ ଆନ୍ତରାଜ୍ୟ ଯୋଗାଯୋଗର ଉନ୍ନତି ହେବା ସହ କୋଇଲା ଖଣି ଅଞ୍ଚଳକୁ ଏହି ରାସ୍ତା ସଂଯୋଗ କରିବାରେ ବିଶେଷ ସହାୟକ ହେବ ବୋଲି ମନ୍ତ୍ରୀ କହିଥିଲେ। ସେହିପରି ଜିଲାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ଦୁଇଟି ବୃହତ୍‍ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୧୭୬ କୋଟି ଟଙ୍କା ମଞ୍ଜୁରି ହୋଇଥିବା କଥା ସୂଚନା ଦେଇଥିଲେ। ଏହି ଦୁଇଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଜିଲାର ୧୦ଟି ବ୍ଲକର ୬ ଲକ୍ଷ ୩୮ ହଜାର ୪୦୭ ଜଣ ଲୋକ ଉପକୃତ ହେବେ। ସୁନ୍ଦରଗଡ଼ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲା ପରିଷଦ ଅଧ୍ୟକ୍ଷା ଏମ୍ମା ଏକ୍କା, ସୁନ୍ଦରଗଡ଼ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ, ପୂର୍ବତନ ବିଧାୟକ ଯୋଗେଶ ସିଂ, ନୂଆଗାଁ ବ୍ଲକ ଅଧ୍ୟକ୍ଷ ମାକଲୁ ଏକ୍କା, କୁଆରମୁଣ୍ଡା ବ୍ଳକ ଅଧ୍ୟକ୍ଷା ମାକଦାଲୀ କଙ୍ଗାଡ଼ି, ବଣାଇ ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା କିଶାନ, ଲାଠିକଟା ବ୍ଲକ ଅଧ୍ୟକ୍ଷା ରଞ୍ଜିତା ଖାଲକୋ, ବିଶ୍ରା ବ୍ଲକ ଅଧ୍ୟକ୍ଷା ମେନକା ଓରାମ, କୁତ୍ରା ବ୍ଲକ ଅଧ୍ୟକ୍ଷା ପରାଗଲତା ଲାକ୍ରା, ସବଡେଗା ବ୍ଲକ ଅଧ୍ୟକ୍ଷ ମନୋଜ ବାରୁଆ, ସଦର ବ୍ଲକ ଅଧ୍ୟକ୍ଷା ରୁକ୍ମଣୀ ନାଏକ, ଟାଙ୍ଗରପାଲି ବ୍ଲକ ଅଧ୍ୟକ୍ଷ ଜଟିଆ ମୁଣ୍ଡା, ହେମଗିର ବ୍ଳକ ଅଧ୍ୟକ୍ଷା ସୁଧାରାଣୀ ରାଉଡିଆ, ଲେଫ୍ରିପଡ଼ା ବ୍ଲକ ଅଧ୍ୟକ୍ଷା କାମିନୀ କାଲୋ, ନୂଆଗାଁ ବ୍ଲକ ଉପାଧ୍ୟକ୍ଷା ସାବିତ୍ରୀ କୁଟି, କୁଆରମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁ, ସଦର ବ୍ଲକ ଉପାଧ୍ୟକ୍ଷ ଅଶ୍ୱିନୀ ନାଏକ, ଟାଙ୍ଗରପାଲି ବ୍ଲକ ଉପାଧ୍ୟକ୍ଷ ସବିତା ପ୍ରଧାନ ସମେତ ରାଜ୍ୟ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.