ରାସ୍ତାକଡ଼ରୁ ଶବ ଉଦ୍ଧାର ପ୍ରସଙ୍ଗ, ଅନ୍ନଦାତାଙ୍କ ପୁତ୍ରକୁ ହତ୍ୟା କଲେ କୃତଘ୍ନ ହେଲପର ଓ ସହଯୋଗୀ

ହତ୍ୟାକାଣ୍ଡ ବିଳାସପୁରରେ, ଅଭିଯୁକ୍ତ ପଶ୍ଚିମବଙ୍ଗରୁ ଗିରଫ

ସୁନ୍ଦରଗଡ଼: ଏକଦା ଚାକିରୀବାକିରୀ ନ ପାଇ ବାରଦ୍ବାର ଶୁଣ୍ଡିପିଣ୍ଡା ହେଉଥିବା ପଞ୍ଜାବର ଜୈନିକ ବ୍ୟକ୍ତିଙ୍କୁ ଗୁଜୁରାଟର କଚ୍ଛ ଜିଲା ଗଦାଶିଶା ଅଞ୍ଚଳର ରଜାକ ନାମକ ବ୍ୟବସାୟୀ ନିଜ ଟ୍ରକ ବ୍ୟବସାୟରେ ଏହି ପଞ୍ଜାବର ବ୍ୟକ୍ତିଙ୍କୁ ହେଲଫର ହିସାବରେ ନିୟୋଜିତ କରିଥିଲେ। ଏହି ଟ୍ରକରେ ରଜାକଙ୍କ ପୁଅ ଆକ୍ରମ ରଜାକ ଚାଳକ ଭାବେ କାମ କରିବା ସହ ଗୁଜୁରାଟରୁ କପଡ଼ା ଆଣି ବିଲାସପୁର, ରାୟପୁର ସମେତ ଅନ୍ୟାନ୍ୟ ଅଞ୍ଚଳରେ ବ୍ୟବସାୟ କରିଥାଏ। ବେଶ କିଛି ଦିନ ଆକ୍ରମ ରଜାକଙ୍କ ସହ ନିୟୋଜିତ ପଞ୍ଜାବ ବ୍ୟକ୍ତିଙ୍କ ସଂପର୍କ​‌ ଘନିଷ୍ଟ ହୋଇଯାଇଥାଏ ହେଲେ କୃତଘ୍ନ ମଣିଷ ନିଜ କୁଚିନ୍ତାଧାରାରେ ବଶବର୍ତ୍ତୀ ହୋଇ ଶେଷରେ ଅନ୍ନଦାତାଙ୍କ ପୁଅ ଆକ୍ରମ ରଜାକକୁ ନିର୍ମମ ଭାବେ ହତ୍ୟା କରି ଟ୍ରକକୁ ବିକ୍ରି କରିବା ଉଦ୍ଦେଶ୍ୟରେ ନେଇ ଚାଲିଯିବା ଓ ପରେ ପୁଲିସ ହାତରେ ଧରାପଡ଼ିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ସୁନ୍ଦରଗଡ଼ ପୁଲିସ ଅଜଣା ଶବ ଉଦ୍ଧାର ଘଟଣାରୁ ଅଭିଯୁକ୍ତ ଯାଏ ପହଞ୍ଚିବା ଘଟଣା ଏକ ସଫଳତା ବୋଲି ବିବେଚନା କରାଯାଉଛି। ଅଭିଯୁକ୍ତ ହତ୍ୟାକାରୀକୁ ପୁଲିସ ଆସନ୍ତାକାଲି ଅଦାଲତ ଚାଲାଣ କରୁଥିବା ବେଳେ ଅନ୍ୟ ଦୁଇ ସହଯୋଗୀଙ୍କ ବିଷୟରେ ତଦନ୍ତରେ ବ୍ୟାଘାତ ଦୃଷ୍ଟିରୁ ବିଶେଷ କିଛି କୁହାଯାଇନାହିଁ। ଆଜି ସୁନ୍ଦରଗଡ଼ ଜିଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ ସମଗ୍ର ଘଟଣା ସଂପର୍କରେ ବିସ୍ତୃତ ସୂଚନା ଦେଇ ଅଭିଯୁକ୍ତ ହତ୍ୟାକାରୀ ତାର ଦୁଇ ସହଯୋଗୀ ସହ ମିଶି ଶକ୍ତ ପାନାରେ ଚାଳକ ଆକ୍ରମଙ୍କୁ ବିଲାସପୁରରେ ହତ୍ୟାକାରୀ ଶବକୁ ଏକ ପ୍ଲାଷ୍ଟିକ ଅଖାରେ ବାନ୍ଧି ବିଳାସପୁରରୁ ଆଣି ବଡ଼ଗାଁ ଥାନା ଅନ୍ତର୍ଗତ ମରଚିମୁଣ୍ଡା ରାସ୍ତାକଡ଼ରେ ପକାଇ ପଶ୍ଚିମବଙ୍ଗକୁ ଚାଲିଯାଇଥିଲେ। ଅପରପକ୍ଷରେ ଟ୍ରକ ସହ କପଡ଼ା ନେଇ ଆସିଥିବା ଆକ୍ରମ ରଜାକର ପରିବାରବର୍ଗ ମଧ୍ୟ ଆକ୍ରମକୁ ଖୋଜାଖୋଜି କରିବା ସହ ଗୁଜୁରାଟରୁ ବିଲାସପୁରରେ ପହଞ୍ଚି ଗତ ୧୨ ତାରିଖ ଦିନ ସେଠାରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ ମାତ୍ର ୧୦ ତାରିଖ ଦିନ ସୁନ୍ଦରଗଡ଼ ପୁଲିସ ଶବ ଉଦ୍ଧାର କରି ନିୟମ ମୁତାବିକ ୪୮ଘଣ୍ଟା ସଂରକ୍ଷିତ ରଖିବା ପରେ ନିୟମ ଅନୁଯାୟୀ ଆକ୍ରମର ଶବକୁ ପୋତି ଦେଇଥିଲେ। ବିଳାସପୁର ପୁଲିସର ସହାୟତାରେ ସୁନ୍ଦରଗଡ଼ ପୁଲିସ ଆକ୍ରମକୁ ଚିହ୍ନଟ କରିବା ସହ ମାଲଦାରେ ଅଟକ ଥିବା ଅଭିଯୁକ୍ତ ହତ୍ୟାକାରୀକୁ ସୁନ୍ଦରଗଡ଼ ଅଣାଯାଇ ପଚରାଉଚୁରା କରାଯିବାରୁ ସେ ସମସ୍ତ ଘଟଣା ପୁଲିସକୁ କହିବା ସହ ହତ୍ୟାକାଣ୍ଡ ସହ ସଂପୃକ୍ତ ଅନ୍ୟ ଦୁଇ ସହଯୋଗୀଙ୍କ ସଂପର୍କରେ ମଧ୍ୟ କହିଥିଲା।

ପୁଲିସ ଆକ୍ରମର ଶବକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଳି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ବୋଲି ସୂଚନା ଦେଇ ଏସ.ପି ନାଥ ଏହି ଘଟଣାର ତଦନ୍ତ ପାଇଁ ରାଜଗାଙ୍ଗପୁର ଏସ.ଡି.ପି.ଓ ଶଶାଙ୍କ ଶେଖର ବେଉରାଙ୍କ ନେତୃତ୍ବରେ ବଡ଼ଗାଁ ଥାନା ଅଧିକାରୀ ବୀରକିଶୋର ମଲ୍ଲିକ, ବି.ବି.ମହାପାତ୍ର ସମେତ ସାଇବର ଟିମ ସାମିଲ ଥିଲେ ବୋଲି କହିଥିଲେ।

Comments are closed.