ପୁଲିସ ବନ୍ଧୁକରୁ ପୁଲିସକୁ ଗୁଳି

ସୁନ୍ଦରଗଡ଼ ଏକ୍ସିସ ବ୍ୟାଙ୍କରୁ ୧୫ଲକ୍ଷ ଟଙ୍କା ଲୁଟ

ସୁନ୍ଦରଗଡ଼: ସହରର ଅନ୍ୟତମ ଜନଗହଳିପୂର୍ଣ୍ଣ ଅଞ୍ଚଳ ହସ୍ପିଟାଲ ରୋଡ଼ରେ ଥିବା ଏକ୍ସିସ ବ୍ୟାଙ୍କ ଶାଖାରୁ ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ଦେଖାଇ ୧୫ଲକ୍ଷ ଟଙ୍କା ଲୁଟ ହେବା ସହ ଲୁଟିଆ ଓ ପୁଲିସଙ୍କ ମଧ୍ୟ ଗୁଳି ବିନିମୟ ହେବା ଘଟଣା ସମଗ୍ର ଜିଲାରେ ଆଲୋଡନ ସୃଷ୍ଟି କରିଛି । ଲୁଟିଆ ଜଣେ ପୁଲିସ ଅଧିକାରୀଙ୍କ ପୁଅ ଓ ବାପାଙ୍କ ସର୍ଭିସ ବନ୍ଧୁକ ବ୍ୟବହାର କରି ସେ ଏଭଳି କାଣ୍ଡ ଭିଆଇ ପୁଲିସ ଅଧିକାରୀଙ୍କ ଉପରକୁ ଗୁଳି ଚଳାଇ ପୁନଶ୍ଚ ପୁଲିସ ଗୁଳିରେ ଆହତ ହୋଇଥିବାର ଜଣାପଡ଼ିଛି । ପୁଲିସ ଲୁଟ ଟଙ୍କା ଓ ବନ୍ଧୁକକୁ ଜବତ କରିବା ସହ ଆହତ ଲୁଟିଆଙ୍କୁ ପ୍ରଥମେ ସୁନ୍ଦରଗଡ଼ ହସ୍ପିଟାଲ ଓ ପରେ ବିଶେଷ ଚିକିତ୍ସା ପାଇଁ ବୁର୍ଲାକୁ ସ୍ଥାନାନ୍ତରଣ କରିଥିବାର ଜଣାପଡ଼ିଛି । ମିଳିଥିବା ସୂତ୍ରରୁ ପ୍ରକାଶ, ଆଜି ଅପରାହ୍ନ ୨ଟା ବେଳେ ସଦର ଥାନାରେ ଅବସ୍ଥାପିତ ସହକାରୀ ସବଇନ୍ସପେକ୍ଟରଙ୍କ ପୁଅ ଜୟଦେବ ନାଏକ(୨୩) ଟ୍ରାକସୁଟ ପିନ୍ଧି ହଠାତ ବ୍ୟାଙ୍କ ଭିତରକୁ ପ୍ରବେଶ କରିବା ସହ ଶାଖା ପରିଚାଳକ ଓ କେସିୟରଙ୍କୁ ବନ୍ଧୁକ ଦେଖାଇ ଯାହା ଟଙ୍କା ଅଛି ଶୀଘ୍ର ଦିଅ ବୋଲି କହି ଏକ ବ୍ୟାଗରେ ପ୍ରାୟ ୧୫ ଲକ୍ଷ ଟଙ୍କା ନେଇ ବ୍ୟାଙ୍କରୁ ବାହାରିଯାଇଥିଲା । ପରେ ଅନ୍ୟ ଜଣେ ସ୍କୁଟି ଚାଳକଙ୍କୁ ଜବରଦସ୍ତ ବନ୍ଧୁକ ଦେଖାଇ ଜୋରରେ ସ୍କୁଟି ଚଳାଇବାକୁ କହି ଶଙ୍କରା ଅଭିମୁଖେ ଚାଲିଯାଇଥିଲେ ।

ଅପରପକ୍ଷରେ ବ୍ୟାଙ୍କରେ ଲୁଟ ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଟାଉନ ଥାନା ଅଧିକାରୀ ସୂର୍ୟ୍ୟକାନ୍ତି ଦାଶ, ସବଇନ୍ସପେକ୍ଟର ଲକ୍ଷ୍ମୀକାନ୍ତ ପ୍ରଧାନ ପ୍ରମୁଖ ଅନ୍ୟ ଏକ ଗାଡ଼ିରେ ଲୁଟିଆକୁ ପିଛା କରୁଥିବା ବେଳେ ଲୁଟିଆ ଜୟଦେବ ହଠାତ ଶଙ୍କରାର ଏକ ଗଳି ରାସ୍ତାରେ ଥିବା ଅନ୍ୟ ଜଣେ ପୁଲିସ କର୍ମଚାରୀଙ୍କ କୋଠା ଉପରକୁ ଚଢ଼ିଯାଇଥିଲେ । ସେଠାରେ ଜୟଦେବ ପ୍ରଥମେ ପୁଲିସ ଟିମ ଉପରେ ଗୁଳି ଚଳାଇବାରୁ ପୁଲିସ ମଧ୍ୟ ପାଲଟା ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା । ଗୁଳିଟି ଜୟଦେବଙ୍କ ଜଙ୍ଘରେ ବାଜିବାରୁ ସେ ସେଠାରେ ପଡ଼ିଯାଇଥିଲେ ।

ଖବର ପାଇ ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ, ଏସ.ଡି.ପି.ଓ ଗୋକୁଳାନନ୍ଦ ସାହୁ ପ୍ରମୁଖ ପୁଲିସ ଫୋର୍ସ ସହ ସମଗ୍ର ଅଞ୍ଚଳକୁ ଘେରି ଆହତ ଜୟଦେବକୁ ତୁରନ୍ତ ସୁନ୍ଦରଗଡ଼ ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ । ଏଠାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଜୟଦେବଙ୍କୁ ବୁର୍ଲା ସ୍ଥାନାନ୍ତରଣ କରାଯାଇଥିବା ଜଣାପଡ଼ିଛି । ଘଟଣା ସଂପର୍କରେ ଏକ୍ସିସ ବ୍ୟାଙ୍କ ପରିଚାଳକ ଲଙ୍କେଶ୍ବର ମହାରଣା ଟାଉନ ଥାନାରେ ଏତଲା ଦେଇଥିବାର ଜଣାପଡ଼ିଛି ମାତ୍ର ଲୁଟିଆ ବ୍ୟାଙ୍କକୁ ଆସିବା ସମୟରେ କେଉଁଥିରେ ଆସିଥିଲେ ଓ ତାଙ୍କ ସହ ଆଉ କେତେଜଣ ଥିଲେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ବାପାଙ୍କ ବନ୍ଧୁକ ସେ କେଉଁଠୁ ପାଇଲେ ତାହାକୁ ନେଇ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି । ଜଣେ ପୁଲିସ ଅଧିକାରୀଙ୍କ ପୁଅର ଏହି କଳାକାରନାମା ସଂପର୍କରେ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଯାଇଥିଲେ ହିଁ ଜୟଦେବ କାହିଁକି ଏପରି କଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି । ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ ଘଟଣାକୁ ଗୁରୁତ୍ବର ସହ ନେଇ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହ ଲୁଟର ଅନ୍ୟାନ୍ୟ ଦିଗ ପ୍ରତି ମଧ୍ୟ ପୁଲିସ ତଦନ୍ତ ଜାରି ରଖିଛି ବୋଲି କହିଛନ୍ତି । ସୂଚନା ଯୋଗ୍ୟ, ଗତ ଜୁଲାଇ ମାସରେ ଏହି ଥାନା ଅଞ୍ଚଳର କିରେଇ ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ ହେବା ଘଟଣାରେ ପୁଲିସ ଆନ୍ତରାଜ୍ୟ ଡକାୟତ ଦଳଙ୍କୁ ଗିରଫ କରି ବେଶ ପ୍ରଶଂସା ସାଉଟିଥିବା ବେଳେ ଏବେ ପୁଲିସ ଅଧିକାରୀଙ୍କ ପୁଅ ଲୁଟ କାଣ୍ଡ ଘଟାଇବା ଏକ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରିଥିବା ଜଣାପଡ଼ିଛି ।

Comments are closed.