ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ପରିବେଶୀୟ ସମ୍ବନ୍ଧୀୟ ଜନଶୁଣାଣି ସ୍ଥଗିତ

ସୁନ୍ଦରଗଡ଼/ହେମଗିର: ଇବନଦୀ ଉପରମୁଣ୍ଡରେ ଏକାଧିକ ବ୍ୟାରେଜ ଓ ବ୍ରିଜ ନିର୍ମାଣ କରି ଛତିଶଗଡ଼ ସରକାର ଯେପରି ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ଜିଲା ପାଇଁ ଜଳ ସଙ୍କଟ ସୃଷ୍ଟି କରିଛନ୍ତି ମାତ୍ର ବିବାଦ ଏବେ କେନ୍ଦ୍ରୀୟ ଜଳ ଆୟୋଗରେ ବିଚାରଧୀନ ଥିବା ବେଳେ ଏବେ ପୁଣି ଛତିଶଗଡ଼ ସରକାର ନିଜ ଦଗାବାଜିର ପୁନରାବୃତ୍ତି କରି ଓଡ଼ିଶା-ଛିତଶଗଡ଼ ସୀମାନ୍ତରେ ଥିବା ଗର୍ଜନପାହାଡ଼-ଧନୁବାଉଁଶ ସଂରକ୍ଷିତ ଜଙ୍ଗଲ ଓ ସୀମାନ୍ତ ଗ୍ରାମ ଗୁଡ଼ିକର ପରିବେଶ ସୁରକ୍ଷାକୁ ଦୃଷ୍ଟିନ ଦେଇ ଏକ ବଡ଼ କାରଖାନାର ସଂପ୍ରସାରଣ ପାଇଁ ପରିବେଶୀୟ ଜନଶୁଣାଣି ପାଇଁ ତାରିଖ (୧୫.୯.୨୦୨୧)କୁ ଧାର୍ଯ୍ୟ କରିଥିଲେ। ହେଲେ ସୀମାନ୍ତ ଗ୍ରାମ ପକ୍ଷରୁ ପରିବେଶ କର୍ମୀ କୁହାଯାଉଥିବା ରାଜେନ୍ଦ୍ର ନାଏକ ଏ ସଂପର୍କରେ ଜିଲାପାଳ, ହେମଗିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବା ସହ ରାଜ୍ୟ ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ । ଜିଲା ପ୍ରଶାସନର ହସକ୍ଷେପ ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛତିଶଗଡ଼ ରାୟଗଡ଼ା ଜିଲାପାଳଙ୍କ ନିର୍ଦେଶକ୍ରମ ଏହି ଜନଶୁଣାଣିକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ସୂଚନା ମିଳିଛି । ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଓ ସୁନ୍ଦରଗଡ଼ ଜିଲା ପ୍ରଶାସନକୁ ଏକ ପ୍ରକାର ଅନ୍ଧକାରରେ ରଖି ଯେପରି ବ୍ୟାରେଜ ଓ ବ୍ରିଜ ନିର୍ମାଣ କଲେ ଓ ଏ ସଂପର୍କରେ ଜିଲା ପ୍ରଶାସନ ମଧ୍ୟ ଏକ ପ୍ରକାର ଅଜ୍ଞ ରହିଲେ ତାହା ରାଜ୍ୟ ସରକାର ଓ ଜିଲା ପ୍ରଶାସନର ଖାମଖିଆଲ ଓ ଦାୟିତ୍ବହିନତାକୁ ସ୍ପଷ୍ଟ କରିଦେଇଥିବା ବେଳେ ଏବେ ପୁଣି ସୀମାନ୍ତରେ ଏକ ବଡ଼ ଶିଳ୍ପସଂସ୍ଥାର ସଂପ୍ରସାରଣ ପ୍ରସଙ୍ଗରେ ଏହି ଜନଶୁଣାଣି କରିବା ପାଇଁ ଧାର୍ଯ୍ୟ କରିଥିଲେ ।

 

ସୀମାନ୍ତ ଅଞ୍ଚଳର ଗ୍ରାମବାସୀଙ୍କ ଅଭିଯୋଗ ଯେ, ଏହି ବଡ଼ କାରଖାନାର ସଂପ୍ରସାରଣ ହେଲେ ଏହା ୧୨ହଜାରରୁ ଉର୍ଦ୍ଧ ହେକ୍ଟର ପରିମିତ ଗର୍ଜନପାହାଡ଼-ଧନୁବାଉଁଶ ସଂରକ୍ଷିତ ଜଙ୍ଗଲ ସଲଗ୍ନ ଅଞ୍ଚଳରେ ପ୍ରଭାବ ପକାଇବା ସହ ବିରଳ କଳାବାଘର ଆଶ୍ରୟସ୍ଥଳିରେ ମଧ୍ୟ ପ୍ରଭାବ ପକାଇବା ସହ ଜିଲାର ହେମଗିର ବ୍ଲକର ଜୁଲୁମବାହାଲ ଗ୍ରାମ ପଞ୍ଚାୟତର ବେହେରାମୁଣ୍ଡା, ବଡ଼ରାମ୍ପିଆ, ଚିଟକିଖାଡ଼ୁ, ଲିପସପାଲି, ନାକାଡେରା ସମେତ ବନ୍ୟଜନ୍ତୁ ଓ ବୃକ୍ଷରାଜି ଉପରେ ମଧ୍ୟ ପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଅଭିଯୋଗ କରିଥିଲେ । କେବଳ ସୁନ୍ଦରଗଡ଼ ଜିଲା ନୁହେଁ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକର କେତୋଟି ପଞ୍ଚାୟତରେ ଥିବା ଗ୍ରାମ ଗୁଡ଼ିକ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ରାଜ୍ୟ ସରକାର, ପ୍ରଦୂଷଣ ବୋର୍ଡ଼ ଓ ଜିଲା ପ୍ରଶାସନ ଏଥି ସକାଶେ ସତର୍କ ରହି ଛତିଶଗଡ଼ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରଖି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଶ୍ରୀ ନାଏକ ଦାବି କରିଛନ୍ତି । ଏ ସଂପର୍କରେ ସଦର ଉପଜିଲାପାଳ ଅଭିମନ୍ୟୁ ବେହେରାଙ୍କୁ ଯୋଗାଯୋଗ କରାଯିବାରୁ ସେ ଜନଶୁଣାଣି ହେବାକୁ ଥିବା ସ୍ଥାନ ଛତିଶଗଡ଼ ରାଜ୍ୟର ହୋଇଥିବା ବେଳେ ସଂପ୍ରସାରଣ ହେଉଥିବା କଳକାରଖାନାର ପ୍ରଭାବ ସୀମାନ୍ତ ଅଞ୍ଚଳର ଜଙ୍ଗଲ ଓ ଗ୍ରାମବାସୀଙ୍କ ଉପରେ କେତେ ପ୍ରଭାବିତ କରୁଛି ତାହା ଆକଳନ କରି ଦେଖିବା ପରେ ହିଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

Comments are closed.