ରାଜଧାନୀରେ ପହଞ୍ଚିଲା ଟ୍ରକ ମାଲିକଙ୍କ ସମସ୍ୟା; ମନ୍ତ୍ରୀ, ସଚିବଙ୍କ ସହ ଆଲୋଚନା କଲେ ପ୍ରତିନିଧି ମଣ୍ଡଳୀ

ସୁନ୍ଦରଗଡ଼: ୨୪ଘଣ୍ଟିଆ କୋଇଲା ପରିବହନ ବନ୍ଦ ଆନ୍ଦୋଳନ ପରେ ଟ୍ରକ ମାଲିକ ମାନଙ୍କ ସମସ୍ୟା ସମାଧାନ ହୋଇନପାରିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆନ୍ଦୋଳନ ପରେ ଟ୍ରକ ମାଲିକମାନେ ଜିଲା ପ୍ରଶାସନ ଓ ଟ୍ରାନ୍ସପୋଟର ମାନଙ୍କ ସହ ଆଲୋଚନା କରିଥିଲେ ହିଁ ସମାଧାନର କୌଣସି ବାଟ ବାହାରିପାରି ନାହିଁ । ଫଳରେ ଟ୍ରକ ମାଲିକଙ୍କ ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ପହଞ୍ôଚ ସଦର ବିଧାୟିକା କୁସୁମ ଟେଟେଙ୍କ ଜରିଆରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ତାଙ୍କ ବିଧାନସଭା ପ୍ରକୋଷ୍ଠରେ ସାକ୍ଷାତ କରି ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ପରେ ଏହି ପ୍ରତିନିଧି ମଣ୍ଡଳୀ ପରିବହନ ସଚିବ ମଧୁସୂଧନ ପାଢ଼ୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ନିକଟରେ ରାଜ୍ୟ ସରକାର ୬ଚକିଆ, ୧୦ ଚକିଆ ଓ ୧୨ ଚକିଆ ଟ୍ରକର ପରିବହନ ଭଡ଼ା ନିର୍ଦ୍ଧାରିତ କରିଥିବା ବେଳେ ୧୪ ଚକିଆ ଓ ୧୮ ଚକିଆ (ମଲ୍ଟି ଏକ୍ସେଲ) ଟ୍ରକ ଗୁଡ଼ିକର ମାଲ ପରିବହନ ଉପରେ କୌଣସି ନିର୍ଦ୍ଦେଶନାମା ଦେଇନଥିବା ବେଳେ କୋଇଲା ପରିବହନରେ ସାଧାରଣତଃ ମଲ୍ଟି ଏକ୍ସେଲ ଟ୍ରକ ଗୁଡ଼ିକ ପରିବହନ କାର୍ଯ୍ୟ କରୁଥିବାର ଏହାର ଦର ନିର୍ଦ୍ଧାରଣ ଅତ୍ୟନ୍ତ ଜରୁରୀ ବୋଲି ପ୍ରତିନିଧି ମଣ୍ଡଳୀ ମନ୍ତ୍ରୀ ଓ ସଚିବଙ୍କୁ ଅବଗତ କରାଇଥିଲେ ।

 

ତୁରନ୍ତ ଏ ସଂପର୍କରେ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ପ୍ରକାଶ କରିବାକୁ ଦାବି କରିଥିଲେ । ଏମସିଏଲରେ ମାଲ ପରିବହନ ବେଳେ ଟ୍ରକ ମାଲିକଙ୍କୁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଥିବାରୁ “ଫାଷ୍ଟ କମ ଫାଷ୍ଟ ସର୍ଭିସ’ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଥିଲେ । ସୂଚନା ଯୋଗ୍ୟ, ନିର୍ଦ୍ଧାରିତ କରାଯାଇଥିବା ଭଡ଼ା ପାଇଁ ଟ୍ରକ ମାଲିକମାନଙ୍କ ପ୍ରଦାନ କରାଯାଉଥିବା ପର୍ଚିରେ ଟ୍ରାନ୍ସପୋଟର ମାନେ ଏହା ଉଲ୍ଲେଖ କରୁନଥିବାରୁ କେଉଁ ଆଧାରରେ ଟ୍ରକ ମାଲିକମାନଙ୍କୁ ଭଡ଼ା ଦିଆଯାଉଛି ତାହା ସ୍ପଷ୍ଟ ହୋଇପାରୁ ନାହିଁ ବୋଲି ଟ୍ରକ ମାଲିକମାନେ ଅଭିଯୋଗ କରିଥିଲେ । ମନ୍ତ୍ରୀ ବେହେରା ପ୍ରତିନିଧି ମଣ୍ଡଳୀର ସମସ୍ୟା ସଂପର୍କରେ ଅବଗତ ହୋଇ ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି କୁଆଡ଼େ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶୃତି ଦେଇଥିଲେ । ପ୍ରତିନିଧି ମଣ୍ଡଳୀରେ ବିଧାୟିକାଙ୍କ ସହ ଉଦୟ ଯାଦବ, ବୈଦ୍ୟନାଥ ସାହୁ, ଅମିତ ନାଏକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ଅଜୟ ପଟେଲ ପ୍ରମୁଖ ସାମିଲ ଥିଲେ ।

Comments are closed.