ସୁନ୍ଦରଗଡ଼ର ସ୍ୱରୂପ ହେଲେ ପ୍ରଥମ ରନର୍ସଅପ

ସୁନ୍ଦରଗଡ଼: କ୍ରୀଡ଼ା, ସଂସ୍କୃତି ଓ ଅନ୍ୟାନ୍ୟ କ୍ଷେତ୍ରରେ ସୁନ୍ଦରଗଡ଼ ଗୌରବ ପରେ ଗୌରବ ଆଣିବାରେ ଲାଗିଛି। ଏହିକ୍ରମରେ ସୁନ୍ଦରଗଡ଼ ଲୁହୁରାଢିପା ହାଉସିଂବୋର୍ଡ଼ କଲୋନୀର ସ୍ୱରୂପ ଠାକୁର ଜାତୀୟସ୍ତରରେ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ ହେବାର ସୋଭାଗ୍ୟ ଅର୍ଜନ କରିଛନ୍ତି। ମିଳିଥିବା ସୂତ୍ରରୁ ପ୍ରକାଶ, ମୁମ୍ବାଇସ୍ଥିତ ଜୋଏଲ ଏଣ୍ଟରଟେନମେଣ୍ଟ ପକ୍ଷରୁ ଅନୁଷ୍ଠିତ ମିଷ୍ଟର, ମିସ ଓ ମିସେସ ୟୁନିଭର୍ସ ପ୍ରତିଯୋଗିତାରେ ସୁନ୍ଦରଗଡ଼ର ସ୍ୱରୂପ ଠାକୁର ପ୍ରଥମ ରନର୍ସଅପ ହୋଇଥିବା ଜଣାପଡ଼ିଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ଆଭାସି ମାଧ୍ୟମରେ ଅଗଷ୍ଟ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥିଲା।

ଏହା ପରେ ଅନୁରୂପ ବ୍ୟବସ୍ଥାରେ ୨୦ରୁ ୨୬ ଅଗଷ୍ଟ ପର୍ଯ୍ୟନ୍ତ ଦେଶର ପ୍ରତିଯୋଗୀଙ୍କୁ ନେଇ ଗ୍ରୁମିଂ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ୍ୟତା ହାସଲ କରି ମୁମ୍ବାଇ ସୁଭି ପ୍ୟାଲେସ ହୋଟେଲରେ ଆୟୋଜିତ ଚୂଡ଼ାନ୍ତ ପ୍ରତିଯୋଗିତାରେ ସ୍ୱରୂପ ଅଂଶ ଗ୍ରହଣ କରି ଏଥିରେ ସେ ପ୍ରଥମ ରନର୍ସ ଅପ ହେବା ସହ ‘ମିଷ୍ଟର ପରଫେକ୍ଟ ବଡି’ ଟ୍ରଫି ଜିତିଥିଲେ। ଫିଲ୍ମ ନିର୍ମାତା ରାକେଶ ସଭ୍ରୱାଲ, ମିସେସ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଦୁବାଇ ତରନୁମ ଶେଖ ଓ ମିସ ୟୁନିଭର୍ସ ପ୍ରଥମ ରନର୍ସଅପଙ୍କଠାରୁ ସେ ବିଜେତା ଟ୍ରଫି ଗ୍ରହଣ କରିଥିଲେ। ଏହି ସଫଳତା ମିଳିବା ପଛରେ ତାଙ୍କୁ ପ୍ରୋତ୍ସାହନ ଦେଇ ଆସିଥିବା ବାପା, ମାଆ, ସାଙ୍ଗସାଥି ତଥା ଫେସ ଅଫ ସୁନ୍ଦରଗଡ଼ର ସଙ୍ଗଠିକା ସ୍ୱାତୀ ପୁରୋହିତଙ୍କୁ ଶ୍ରୀ ଠାକୁର କୃତଜ୍ଞତା ଜଣାଇଛନ୍ତି। ସୂଚନା ଯୋଗ୍ୟ, ପୂର୍ବରୁ ସେ ଫେସ ଅଫ ସୁନ୍ଦରଗଡ଼ ଓ ଓଡ଼ିଶା ସାଇନିଂ ଆଇକନ ପ୍ରତିଯୋଗିତାରେ ଭାଗନେଇ କୃତକାର୍ଯ୍ୟ ହୋଇଥିଲେ। ସ୍ୱରୂପଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Comments are closed.