ସୁନ୍ଦରଗଡ଼ରେ କରୋନା ସଂକ୍ରମଣ ଉଦବେଗଜନକ, ଅନେକ ଅଂଚଳ ସଟଡାଉନ

ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲାରେ କ୍ରମବର୍ଦ୍ଧିଷ୍ଣୁ କରୋନା ମହାମାରୀକୁ ଦୃଷ୍ଟି ରଖି ଜିଲା ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହାତକୁ ନେଇଛନ୍ତି। ଅନ୍ୟାନ୍ୟ ଜିଲାରେ ଯେପରି ସପ୍ତାହକୁ ଦୁଇ ଦିନ ସଟ୍‍ ଡାଉନ କରାଯାଉଛି ସୁନ୍ଦରଗଡ଼ ଜିଲାରେ ତାହା ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଜିଲା ପ୍ରଶାସନ ରାଉରକେଲା ସହର ଉଭୟ ପୌରାଞ୍ଚଳ ଏବଂ ସେକ୍ଟର ଅଞ୍ଚଳ, କଲୁଙ୍ଗା ଶିଳ୍ପାଞ୍ଚଳ ଓ ସୁନ୍ଦରଗଡ଼ ପୌରାଞ୍ଚଳ ପ୍ରତି ସପ୍ତାହର ଶନିବାର ଓ ରବିବାର ସଟ୍‍ ଡାଉନ ଘୋଷଣା କରିଛନ୍ତି। ସେହିପରି ବୀରମିତ୍ରପୁର ପୌରାଞ୍ଚଳ ଅନ୍ତର୍ଗତ ୧୧ଟି ୱାର୍ଡ଼ରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ସେଠାରେ ମଧ୍ୟ ଆଜିଠାରୁ ୩ ଦିନ ପାଇଁ ପାନପୋଷ ଉପଜିଲାପାଳ ସଟ୍‍ ଡାଉନ ଘୋଷଣା କରିଛି। ବୀରମିତ୍ରପୁର ପୌରାଞ୍ଚଳରେ ଆଜି ସନ୍ଧ୍ୟା ୬ଟାରୁ ଆସନ୍ତା ୧୩ ତାରିଖ ସୋମବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସଟ୍‍ ଡାଉନ୍‍ ଘୋଷଣା କରିଛନ୍ତି।

ଗତ କିଛି ଦିନ ଅର୍ଥାତ ଜୁନ୍‍ ମାସ ଶେଷ ସପ୍ତାହରୁ ଆଜି ଭିତରେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଜିଲାରେ ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ପାର କରିଥିବା ବେଳେ ଗତ ପ୍ରାୟ ୧୦ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ବିଶେଷ କରି ଗତ କିଛି ଦିନ ହେଲା ରାଉରକେଲା ସହର ଅନ୍ତର୍ଗତ ବିଭିନ୍ନ ସେକ୍ଟର, ଜଗଦା, କୋଏଲନଗର, ଝିରପାଣି, ହମିରପୁର, ବନ୍ଧମୁଣ୍ଡା, ତିଲିକାନଗର, ଜବାଘାଟ, ନୂଆ ବଜାର, ଜିଟି ଲେନ୍‍, ଗାନ୍ଧି ରୋଡ଼, ଛେଣ୍ଡ କଲୋନୀ, ବାସନ୍ତୀ କଲୋନୀ, ଗଙ୍ଗାଧରପାଲି, ଗୋଲଘର, ଡେଲି ମାର୍କେଟ, ଏସ୍‍ଟିଆଇ, ସିଭିଲ ଟାଉନଶିପ୍‍, ଫର୍ଟିଲାଇଜର, ପାନପୋଷ, ପ୍ରଧାନପାଲି, ବେଦବ୍ୟାସ ଓ କଲୁଙ୍ଗା ଶିଳ୍ପାଞ୍ଚଳରେ କରୋନା ପଜିଟିଭ୍‍ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

କେବଳ ସେକ୍ଟର-୧୬ ଅଞ୍ଚଳରୁ ୧୦୦ରୁ ଅଧିକ ଲୋକ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ବିଶେଷ କରି ଟ୍ରାଭେଲ ହିଷ୍ଟ୍ରି ନଥିବା ଲୋକେ ପଜିଟିଭ୍‍ ବାହାରିବା ପରେ ପ୍ରଶାସନ ଚିନ୍ତାରେ ପଡ଼ିଥିବା ବେଲେ ଲୋକଙ୍କ ହୃତ୍‍କମ୍ପନ ବଢ଼ି ଯାଇଛି। ଏହା ସହିତ ଗତ କିଛି ଦିନ ଭିତରେ ବହୁ କୋଭିଡ ଯୋଦ୍ଧା ମଧ୍ୟ କରୋନାର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରେ କିଛି ପୁଲିସ ଅଧିକାରୀ ରହିଥିବା ବେଳେ ବିଭିନ୍ନ ଟିଏମ୍‍ସି, ହାସପାତାଳ ଓ ମେଡ଼ିକାଲର ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଆମ୍ବୁଲାନ୍ସ ଡ୍ରାଇଭର, ହାଉସ୍‍ କିପିଂ ଷ୍ଟାଫ୍‍, ଝାଡ଼ୁଦାର, ସିକ୍ୟୁରିଟି ଗାର୍ଡ଼ ମଧ୍ୟ ସଂକ୍ରମିତ ହୋଇଛନ୍ତି। ବିଶେଷ କରି ଗତ କିଛି ଦିନ ହେଲା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସଂକ୍ରମଣ ରୋକିବାକୁ ଗତ ପ୍ରାୟ ସପ୍ତାହେ ହେବ ଜିଲାକୁ ସଟ୍‍ ଡାଉନ ଘୋଷଣା କରିବାକୁ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ସମେତ ରାଉରକେଲାର ବିଭିନ୍ନ ସଂଗଠନ ଓ ଜନସାଧାରଣ ଦାବି କରିଥିଲେ। ତେଣୁ ଯାହା ହେଉ ଜିଲା ପ୍ରଶାସନ ଲୋକମାନଙ୍କ ଦାବିକୁ ଗ୍ରହଣ କରିଥିବାରୁ ବିଭିନ୍ନ ମହଲରେ ପ୍ରଶାସନର ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି।

ଜିଲା ପ୍ରଶାସନ ରାଉରକେଲା ଇସ୍ପାତ ସହର, କଲୁଙ୍ଗା ଶିଳ୍ପାଞ୍ଚଳ ଓ ସୁନ୍ଦରଗଡ଼ ପୌରାଞ୍ଚଳକୁ ପ୍ରତି ସପ୍ତାହର ଶନିବାର ଓ ରବିବାର ଦୁଇ ଦିନ ସଟ୍‍ ଡାଉନ ଘୋଷଣା କରାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ ମାତ୍ର ପରିସ୍ଥିତିକୁ ଦେଖି ଏହାର ପରିବର୍ତ୍ତନ କରାଯାଇ ପାରିବ ବୋଲି ଜିଲାପାଳ ନିଖିଲ ପୱନ କଲ୍ୟାଣ ସୂଚନା ଦେବା ସହ ସାମାଜିକ ଦୂରତା ଓ କୋଭିଡ ନିୟମକୁ ପାଳନ କରିବା ପାଇଁ ଜିଲାବାସୀଙ୍କ ସହଯୋଗ କାମନା କରିଛନ୍ତି। ଅପରପକ୍ଷରେ ଉଲଂଘନକାରୀଙ୍କ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଜିଲା ପ୍ରଶାସନ ପଛାଇବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେହିପରି ବୀରମିତ୍ରପୁର ପୌରାଞ୍ଚଳ ଅନ୍ତର୍ଗତ ୧୧ଟି ୱାର୍ଡ଼ରେ ଆଜି ସନ୍ଧ୍ୟା ୬ଟାରୁ ଆସନ୍ତା ୧୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପାନପୋଷ ଉପଜିଲାପାଳ ବିଶ୍ୱଜିତ ମହାପାତ୍ର ସଟ୍‍ ଡାଉନ ଘୋଷଣା କରିଛନ୍ତି।ତେବେ ଏହି ସଟ୍‍ ଡାଉନ ସମୟରେ ମେଡ଼ିକାଲ, ହାସପାତାଳ, କ୍ଲିନିକ୍‍, ନର୍ସିଂ ହୋମ୍‍, ମେଡ଼ିସିନ ଦୋକାନ ଖୋଲା ରହିବ। ଆମ୍ବୁଲାନ୍ସ ଚଳାଚଳ କରିବ। ମେଡ଼ିକାଲ କର୍ମଚାରୀଙ୍କ ଯାତାୟତରେ କୌଣସି କଟକଣା ନାହିଁ। ସେହିପରି ଜିଲା ପ୍ରଶାସନ, ପୌରପାଳିକା, ମହାନଗର ନିଗମ କର୍ମଚାରୀ, ପୁଲିସ, ଅଗ୍ନିଶମ ବିଭାଗ କର୍ମଚାରୀ, ରାଜ୍ୟ ସରକାରୀ ଓ କେନ୍ଦ୍ର ସରକାରୀ କର୍ମଚାରୀ କେବଳ ଜରୁରୀକାଳୀନ ଡ୍ୟୁଟିରେ ଯାଇପାରିବେ। ତେଜରାତି ଦୋକାନ ଓ କ୍ଷୀର ଦୋକାନ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ଯାଇପାରିବ। ଟେଲିକମ ସେବା, ପେଟ୍ରୋଲ ପମ୍ପ, ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିମଳ, ସଫେଇ ଓ ସ୍ୱେରେଜ କାମ ଚାଲି ପାରିବ। ଜିଲା ପୁଲିସ ଚିହ୍ନଟ କରିଥିବା ଗଣମାଧ୍ୟମ ପ୍ରତିନିଧିମାନେ ରିପୋର୍ଟିଂ ପାଇଁ ଚଳାଚଳ କରି ପାରିବେ। ମାଲପରିବହନ, ଶିଳ୍ପ କାରଖାନା, ଉଦ୍ୟାନ କୃଷି, କୃଷି, ପଶୁପାଳନ, ପଶୁ ଡାକ୍ତରଖାନା ସମେତ ଫସଲ ଅମଳ କାମ ପାଇଁ ପ୍ରତିବଦ୍ଧକ ନାହିଁ। ସେବା ଯୋଗାଉ ଥିବା ଶିଳ୍ପ, ଆଇଟି ସେକ୍ଟର ତଥା ଆଇଟି ସେକ୍ଟରରେ କାମ କରୁଥିବା ଲୋକ, ହୋଟେଲ ଓ ହୋଟେଲ କର୍ମଚାରୀଙ୍କ ପ୍ରତି କୌଣସି କଟକଣା ନାହିଁ। ରେଲୱେ ଟ୍ରାନ୍ସପୋର୍ଟ, ଟ୍ରାନଜିଟ୍‍ ଗାଡ଼ି, ଟ୍ୟାକ୍ସି, ଘରୋଇ ଗାଡ଼ି ଯଥା ଓଲା ଓ ଉବର ଯାନବାହନ କେବଳ ଯାତ୍ରୀଙ୍କୁୁ ବସ୍‍ ଷ୍ଟାଣ୍ଡ, ରେଲୱେ ଷ୍ଟେସନ ଓ ବିମାନ ବନ୍ଦର ପର୍ଯ୍ୟନ୍ତ ନେଇ ପାରିବ ଓ ଆଣି ପାରିବ। ବିବାହ ଓ ଶବ ଦାହ କାମ ପ୍ରଶାସନର ଅନୁମତିକ୍ରମେ କରାଯାଇପାରିବ। ଏଟିଏମ୍‍, କ୍ଲିଅରିଂ ହାଉସ୍‍ ସମେତ ନିର୍ଦ୍ଦିଷ୍ଟ କିଛି ଆର୍ଥିକ ଅନୁଷ୍ଠାନକୁ ସଟ୍‍ ଡାଉନ୍‍ରୁ ବାଦ୍‍ ଦିଆଯାଇଛି। ରେଲେଓ୍‍ବ ଷ୍ଟେସନ, ବସ୍‍ ଟର୍ମିନାଲ ଖୋଲା ରହିବ ଏବଂ ଏହା ସହିତ ଜଡ଼ିତ କର୍ମଚାରୀମାନେ ଯାତାୟତ କରି ପାରିବେ। ଜମାଟୋ ଓ ସ୍ୱିଗି ଭଳି ସଂସ୍ଥା ଘର ଘର ବୁଲି ଖାଦ୍ୟ ଯୋଗାଣ, ପରିବା, ଗ୍ରୋସରୀ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରିପାରିବେ।

ବିଭିନ୍ନ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ମୁଖ୍ୟ ମୁଖ୍ୟ ରାସ୍ତା କଡ଼ରେ ଢାବା ଓ ହୋଟେଲ ଖୋଲା ରହିବ। କିନ୍ତୁ କେବଳ ଏଠାରୁ ପାର୍ସଲରେ ନିଆ ଯାଇ ପାରିବ। ଖବର କାଗଜ ବିକ୍ରେତାଙ୍କ ସମୟ ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ସେହିପରି ଜାଳେଣି ଗ୍ୟାସ ଯୋଗାଣ, ପରିବହନ ଓ କର୍ମଚାରୀଙ୍କ ଯାତାୟତ ଉପରେ କୌଣସି ପ୍ରତିବନ୍ଧକ ଜାରି କରାଯାଇ ନାହିଁ। ସେହିପରି ରାତ୍ରି କାଳୀନକ କର୍ଫ୍ୟୁ ଉଭୟ ରାଉରକେଲା ସହର ଓ କଲୁଙ୍ଗା ଶିଳ୍ପାଞ୍ଚଳ ପୂର୍ବ ପରି ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ। ଏହା ସହିତ କୋଭିଡ-୧୯ ଗାଇଡ୍‍ ଲାଇନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଅନ୍ୟପକ୍ଷରେ ହାଟ ବଜାର, ଜନଗହଳି ସ୍ଥାନ, ବସ୍‍, ଟ୍ରେନ, କାର୍ଯ୍ୟକ୍ଷେତ୍ରରେ ମାସ୍କ ପିନ୍ଧିବା ଓ ପ୍ରତ୍ୟେକ ପ୍ରତ୍ୟେକ ବ୍ୟକ୍ତିଙ୍କଠାରୁ ୬ ଫୁଟ୍‍ ଦୂରତା ପାଳନ କରିବାକୁ ନିୟମ କରାଯାଇଛି। ଏହାର ଉଲ୍ଲଂଘନ ହେଲେ ଆର୍‍ଏମ୍‍ସି ଏନ୍‍ଫୋର୍ସମେଣ୍ଟ ସ୍କାର୍ଡ଼ ଜରିମାନା ଆଦାୟ କରି ପାରିବେ। ସେଲୁନ ଓ ସ୍ପା ଓ ବିଉଟି ପାର୍ଲରରେ ବାରମ୍ବାର ସାନିଟାଇଜେସନ, ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣ ଓ ଶବ ଦାହ କାମରେ ୨୦ ଜଣରୁ ଅଧିକ ଯୋଗ ଦେଇ ପାରିବେ ନାହିଁ। ସାଧାରଣ ଜାଗାରେ ମଦ୍ୟପାନ, ପାନ, ଗୁଟଖା ଓ ବିଡ଼ି ସିଗାରେଟ ସେବନ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ସେହିପରି ଘରେ ରହି କାମ କରିବା, କାର୍ଯ୍ୟ କ୍ଷେତ୍ରର ସାନିଟାଇଜେସନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଅନ୍ୟପକ୍ଷରେ ୬୫ ବର୍ଷର ବୟସ୍କ ବ୍ୟକ୍ତି, ୧୦ ବର୍ଷରୁ କମ୍‍ ଶିଶୁ, ଗର୍ଭବତୀ ମହିଳା ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିିଙ୍କ ବିଶେଷ ଭାବେ ଯତ୍ନ ନେବାକୁ କୁହାଯାଇଛି।

Comments are closed.