ଅଚାନକ ସୁନ୍ଦରଗଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ସୁନ୍ଦରଗଡ଼: କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଚାନକ ସୁନ୍ଦରଗଡ଼ ପହଞ୍ଚିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଯାଇଛି। ନିକଟତମ ସୂତ୍ରରୁ ପ୍ରକାଶ, ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ମନ୍ତ୍ରୀ ଧର୍ମେନ୍ଦ୍ର ଓ ସାଂସଦ ଜୁଏଲ ଓରାମ ଝାରସୁଗୁଡ଼ା ପହଞ୍ଚି ସିଧାସଳଖ ସୁନ୍ଦରଗଡ଼ ପହଞ୍ଚିଥିଲେ। ମନ୍ତ୍ରୀଙ୍କ ଏଭଳି ଅଚାନକ କାର୍ଯ୍ୟକ୍ରମ ଦଳୀୟ କର୍ମୀ ଓ କର୍ମକର୍ତ୍ତା ମହଲରେ ଉତ୍ସୁକତା ସୃଷ୍ଟି ହୋଇଥିଲେ ହିଁ ପ୍ରକୃତପକ୍ଷେ ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସମବେଦନା ଜଣାଇ ପ୍ରାୟ ଅଧଘଣ୍ଟା ତାଙ୍କ ଘରେ ରହି ପୁନଶ୍ଚ ଝାରସୁଗୁଡ଼ା ଦେଇ ପଶ୍ଚିମବଙ୍ଗ ଚାଲିଯାଇଥିବାର ଜଣାପଡ଼ିଛି। ଏହି ସମୟରେ ଶ୍ରୀ ତ୍ରିପାଠୀଙ୍କ ବାସଭବନରେ ସଦର ବିଧାୟିକା କୁସୁମ ଟେଟେ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, କୁଚିଣ୍ଡା ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ରାଜ୍ୟ କୋଷାଧ୍ୟକ୍ଷ ସୁଦର୍ଶନ ଗୋଏଲ, ଭାଜପା କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ, କିଛି ଦିନ ପୂର୍ବରୁ ରାଜ୍ୟ ସଂପାଦକ ଶ୍ରୀ ତ୍ରିପାଠୀଙ୍କ ମାତୃ ବିୟୋଗ ଘଟିଥିଲା।

Comments are closed.